ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ସେନା ମଧ୍ୟରେ ଯୁଦ୍ଧବିରତି ଲାଗୁ ହୋଇଥିବା ସତ୍ତ୍ବେ ଆତଙ୍କବାଦୀମାନଙ୍କୁ ନିଜର ସହାୟତା ଜାରି ରଖିଛି ପାକିସ୍ତାନ । ଭାରତରେ ଅନୁପ୍ରବେଶ କରି ହିଂସାକାଣ୍ଡ ଖେଳାଇବାକୁ ଆତଙ୍କବାଦୀମାନଙ୍କୁ ତାଲିମ ଦେଇଚାଲିଛି ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇ ।

Advertisment

ମିଳିଥିବା ଗୁଇନ୍ଦା ସୂଚନା ଅନୁସାରେ ପ୍ରାୟ ୮୦ ଜଣ ଆତଙ୍କବାଦୀ ଖାଇବର ପଖତୁନଖ୍ବାବାଠାରେ ଥିବା ଗାରି ହବିବୁଲ୍ଲା ଆତଙ୍କବାଦୀ ତାଲିମ କ୍ୟାମ୍ପରେ ଗତ ଜାନୁଆରି ଶେଷ ସପ୍ତାହରୁ ତାଲିମ ନେଉଛନ୍ତି । ଏହି ଆତଙ୍କବାଦୀମାନେ ହିଜବୁଲ ମୁଜାହିଦ୍ଦିନ, ଲସ୍କର-ଇ-ତୋଇବା ଓ ଅଲ-ବଦର ଆଦି ସଂଗଠନର ବୋଲି ଜଣାପଡ଼ିଛି । ସେମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଚାଳନା, ଗ୍ରେନ ଫିଙ୍ଗିବା ଏପରି ଆତ୍ମଘାତି ଆକ୍ରମଣ କରିବାର କୌଶଳ ଶିଖାଯାଉଛି । ତାଲିମ ଶେଷ ହେବା ପରେ ସେମାନଙ୍କୁ ଭାରତକୁ ଅନୁପ୍ରବେଶ ପାଇଁ ପଠାଯିବ ବୋଲି ଜଣାପଡ଼ିଛି ।

ଆତଙ୍କବାଦୀମାନେ ଅନୁପ୍ରବେଶ ଅପେକ୍ଷାରେ ଥିବାବେଳେ ସୀମା ଏପଟେ ସେମାନଙ୍କୁ ଅପେକ୍ଷା କରିଛି ଭାରତୀୟ ସେନା । ଗତ ସପ୍ତାହରେ ସେନା ପକ୍ଷରୁ କୁହାଯାଇଥିଲା ଯେ ସୀମାରେ ପାକିସ୍ତାନ ସହ ଯୁଦ୍ଧବିରତି ହୋଇଥିଲେ ମଧ୍ୟ କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନ ଚାଲୁ ରହିବ ।

ସୂଚନାଯୋଗ୍ୟ ଯେ ଉଭୟ ଭାରତ ଓ ପାକିସ୍ତାନ ଗତ ଫେବ୍ରୁଆରି ୨୪ ଓ ୨୫ ମଧ୍ୟରାତ୍ରିରୁ ନିୟନ୍ତ୍ରଣ ରେଖା ନିକଟରେ ଯୁଦ୍ଧବିରତି ଘୋଷଣା କରିଛନ୍ତି । ଏହା ଫଳରେ ଗତ କିଛିବର୍ଷ ଧରି ନିୟନ୍ତ୍ରଣ ରେଖା ନିକଟରେ ଉଭୟପଟୁ ଜାରି ରହିଥିବା ଗୁଳିଗୋଳା ବର୍ଷଣର ଅନ୍ତ ହେବା ଆଶା କରାଯାଉଛି ।