କାବୁଲ ବିମାନବନ୍ଦରରେ ତ୍ରାହିତ୍ରାହି, ଆଇଏସ୍‌ଆଇଏସ୍‌ ଆକ୍ରମଣ ଆଶଙ୍କା

ତାଲିବାନ ଗୁଳିମାଡ଼ରେ ୭ ମୃତ; ସପ୍ତାହକରେ ୨୦ ମୃତ, ଭୋକଉପାସରେ ପଡ଼ିଛନ୍ତି ଆତଙ୍କିତ ନାଗରିକ

କାବୁଲ : ଆଫ୍‌ଗାନିସ୍ତାନକୁ କବ୍‌ଜା କରି ନେବାପରେ ଯେଉଁଠି ସବୁଠୁ ଅଧିକ ଅରାଜକ ସ୍ଥିତି ଦେଖିବାକୁ ମିଳୁଛି, ତାହା ହେଉଛି କାବୁଲ ଅନ୍ତର୍ଜାତୀୟ ବିମାନ ବନ୍ଦର। ତାଲିବାନୀ ଆତଙ୍କବାଦୀଙ୍କ ଡରରେ ଦେଶ ଛାଡ଼ିବାକୁ ବିକଳ ହେଉଥିବା ଲୋକମାନେ ବିମ‌ାନ ବନ୍ଦରରେ ଠୁଳ ହୋଇ ତ୍ରାହିତ୍ରାହି ଡାକୁଛନ୍ତି। ତେବେ ବିମାନ ବନ୍ଦର ପରିସର ଏବଂ ଏହାର ନିକଟବର୍ତ୍ତୀ ଅଂଚଳକୁ ତାଲିବାନ ସେନା ଘେରି ରହିବା ସହିତ ସ୍ଥାନୀୟ ଓ ବିଦେଶୀ ନାଗରିକଙ୍କୁ ନିର୍ଯାତନା ଦେଉଛନ୍ତି। ତାଲିବାନର ଗୁଳିମାଡ଼ରେ ବିମାନ ବନ୍ଦରରେ ୭ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଆଜି ବ୍ରିଟେନ୍‌ ସେନା କହିଥିବାବେଳେ ସପ୍ତାହକ ମଧ୍ୟରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ନାଟୋ ସେନା କହିଛି।

ହଜାର ହଜାର ଆଫଗାନ ନାଗରିକ ଦେଶ ଛାଡ଼ିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି ଏବଂ ଚରମ ଦୁର୍ଦ୍ଦଶା ଭିତରେ ବିମାନ ବନ୍ଦର ଅଞ୍ଚଳରେ ପଡ଼ି ରହିଛନ୍ତି। ତାଲିବାନ ଆତଙ୍କବାଦୀ ଯେତେବେଳେ ଚାହୁଛନ୍ତି କୌଣସି ଦେଶର ନାଗରିକଙ୍କୁ ଅଟକାଇ ଆକ୍ରମଣ କରୁଛନ୍ତି କିମ୍ବା ଅନାବଶ୍ୟକ ଭାବେ ଅଟକ ରଖି ଜେରା କରୁଛନ୍ତି। ଦେଶ ଛାଡ଼ିବାକୁ ଚାହୁଥିବା ନିରୀହ ଆଫଗାନ ‌ନାଗରିକଙ୍କୁ ତାଲିବାନ ଆତଙ୍କବାଦୀ ବିମାନ ବନ୍ଦର ଅଂଚଳରୁ ଏବେ ଉଠାଇ ନେଉଥିବାରୁ ହାହାକାର ସ୍ଥିତି ଉପୁଜିଛି।

The Guardian

ବ୍ରିଟେନ୍, ଆମେରିକା ଏବଂ ଭାରତ ନିଜ ନାଗରିକମାନଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ଖାଲି କରାଉଥିବାବେଳେ କିଛି କିଛି ଆଫଗାନ୍‌ ନାଗରିକଙ୍କୁ ଉଦ୍ଧାର କରାଯାଉଛି। ତେବେ ତାଲିବାନର ବିଭିନ୍ନ କଟକଣା ଏବଂ ଅପ୍ରତ୍ୟାଶିତ ଆକ୍ରମଣ ଯୋଗୁଁ ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। କାବୁଲ୍‌ ବିମାନବନ୍ଦର ବାହାରେ ହଜାର ହଜାର ଆଫଗାନ ନାଗରିକ ଖୋଲା ଆକାଶ ତଳେ ସପ୍ତାହେ ହେଲା ପଡ଼ି ରହିଥିବା ବେଳେ ସେମାନଙ୍କ ଉଦ୍ଧାର ଦିଗରେ ତାଲିବାନ ବଡ଼ ପ୍ରତିବନ୍ଧକ ସାଜିଛି। ଲୋକଙ୍କ ଦସ୍ତାବିଜ ଗାଏବ କରିଦିଆଯାଉଛି ଏବଂ ସେମାନଙ୍କୁ କୌଣସି ଆଇନଗତ ସହାୟତା କିମ୍ବା ସୁରକ୍ଷା ଉପଲବ୍ଧ ହେଉନାହିଁ। ଏହାସତ୍ତ୍ବେ ପ୍ରତିଦିନ ବିମାନବନ୍ଦରରେ ଭିଡ଼ ବଢ଼ୁଛି ଏବଂ ସ୍ଥିତି ଖୁବ୍‌ ଜଟିଳ ରହିଛି।

ଆଫ୍‌ଗାନ ଓ ବିଦେଶୀ ନାଗରିକଙ୍କ ପାଇଁ ଏବେ ମୁଖ୍ୟ ସମସ୍ୟା ହେଉଛି ବିମାନ ବନ୍ଦର ଗେଟ୍‌ ଅତିକ୍ରମ କରି ପ୍ଲେନ୍‌ ନିକଟରେ ପହଞ୍ଚିବା। ନାଗରିକଙ୍କୁ ଅଟକାଇବାପାଇଁ ତାଲିବାନ୍‌ ଆତଙ୍କବାଦୀ ବିମାନବନ୍ଦର ନିକଟରେ ଫାଙ୍କା ଗୁଳି ଚାଳନା କରୁଛନ୍ତି। ଫଳରେ ଦଳାଚକଟାରେ ଅନେକ ଲୋକଙ୍କ ମୃତ୍ୟୁ ହେଉଥିବା ଦେଖିବାକୁ ମିଳୁଛି।

India TV News

ଅନ୍ୟପକ୍ଷରେ, ତାଲିବାନର ଆତଙ୍କରେ ଲୋକମାନେ ଆତଙ୍କିତ ଅବସ୍ଥାରେ ଥିବାବେଳେ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଆକ୍ରମଣ କରିପାରେ ବୋଲି ଆମେରିକା ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି। ଏ ନେଇ ଆମେରିକା ଏହାର ନାଗରିକମାନଙ୍କ ପାଇଁ ଏକ ଟ୍ରାଭେଲ ଆଡ଼ଭାଇଜରୀ ଜାରି କରିଛି। ଏଥିରେ କାବୁଲ୍‌ ବିମାନବନ୍ଦରଠାରୁ ଦୂରରେ ରହିବା ପାଇଁ କୁହାଯାଇଛି। ଯେକୌଣସି ମୁହୂର୍ତ୍ତରେ ହୁଏତ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ଏହି ବିମାନବନ୍ଦର ଉପରେ ଆକ୍ରମଣ କରିପାରେ। ଆମେରିକା ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଯେଉଁମାନଙ୍କୁ ଆମେରିକା ସରକାରଙ୍କ ପ୍ରତିନିଧିମାନେ ଯାତ୍ରା କରିବାକୁ କହିଛନ୍ତି କେବଳ ସେହି ଲୋକ ବିମାନବନ୍ଦରକୁ ଆସନ୍ତୁ। ଆମେରିକାର ‌ଜଣେ ପ୍ରତିରକ୍ଷା ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ସେମାନେ ଆଫଗାନିସ୍ତାନରେ ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଅନ୍ୟାନ୍ୟ ଉପାୟ ଖୋଜାଯାଉଛି।

ତେବେ, ଆଇଏସଆଇଏସର ସମ୍ଭାବ୍ୟ ଆକ୍ରମଣ ବାବଦରେ ଆମେରିକା ଅଧିକ ସୂଚନା ଦେଇନାହିଁ।

ସମ୍ବନ୍ଧିତ ଖବର