କଶ୍ମୀରରେ ଆଇଏସ୍‌ର ପ୍ରଥମ ଆକ୍ରମଣ ଦାବି

ଶ୍ରୀନଗର: କଶ୍ମୀର ଉପତ୍ୟକାରେ ପ୍ରଥମ ଥର ପାଇଁ ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ ଷ୍ଟେଟ୍‌ ନିଜର ଉପସ୍ଥିତି ଦାବି କରିବା ସହ ଶୁକ୍ରବାର ଘଟିଥିବା ଜାକୁରା ଏନ୍‌କାଉଣ୍ଟର ପାଇଁ ନିଜକୁ ଦାୟୀ କରିଛି। ଜାକୁରା ଆକ୍ରମଣରେ ଜଣେ ପୁଲିସ ଅଫିସର ସହିଦ ହୋଇଯାଇଥିବା ବେଳେ ସଂପୃକ୍ତ ଅଂଚଳରେ ୩ ଦିନ ଧରି କମ୍ବିଂ ଜାରି ରହିଛି । ତେବେ ପ୍ରଥମ ଥର ପାଇଁ ଆଇଏସ୍‌ କଶ୍ମୀରରେ ଆକ୍ରମଣ କରିଥିବା ଦାବି କରିଥିବାରୁ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱର ସହ ନେଇ ଖୋଳତାଡ଼ ଆରମ୍ଭ କରିଛନ୍ତି। ଜମ୍ମୁ କଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଏସ୍‌ପି ବୈଦ ଆଇଏସ୍‌ର ଉପସ୍ଥିତିକୁ ଖଣ୍ଡନ କରିବା ସହ ଏଭଳି ସମ୍ଭାବନା ନାହିଁ ବୋଲି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ସମସ୍ତ ଗୁଇନ୍ଦା ସଂସ୍ଥା ଏ ବାବଦରେ ନଜର ରଖିଛନ୍ତି ଏବଂ ଯେ କୌଣସି ଆତଙ୍କବାଦୀଙ୍କୁ ନିପାତ ପାଇଁ ସୁରକ୍ଷା ବାହିନୀ ବଦ୍ଧପରିକର ବୋଲି ସେ କହିଛନ୍ତି। ଗୁଇନ୍ଦା ସଂସ୍ଥାଗୁଡ଼ିକର ସୂଚନାକୁ ଆଧାର କରି ସ୍ଥିତି ସମୀକ୍ଷା କରାଯାଉଛି ଏବଂ ଯାହାକିଛି ଆବଶ୍ୟକ ସେହି ଆଧାରରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଆଇଏସ୍‌ ତାର ପ୍ରଚାର ମାଧ୍ୟମ ଅମାକ୍‌ ନ୍ୟୁଜ୍‌ ଏଜେନ୍‌ସି ମାଧ୍ୟମରେ ଏହି ଖବର ପ୍ରଚାର କରି ଚାଂଚଲ୍ୟ ସୃଷ୍ଟି କରିବାକୁ ଚାହୁଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଗତ ଶ୍‌ୁକ୍ରବାର ଦିନ ପୁଲିସ ବାହିନୀ ଉପରକୁ ଶ୍ରୀନଗର ନିକଟ ଜାକୁରାଠାରେ ଆତଙ୍କବାଦୀମାନେ ଅତର୍କିତ ଗୁଳିମାଡ଼ କରିଥିଲେ। ଏଥିରେ ପୁଲିସ ସବ୍‌ ଇନିସ୍‌ପେକ୍ଟର ଇମ୍ରାନ ଟାକ୍‌ଙ୍କ ମୃତ୍ୟୁ ଘଟିଥିଲା। ପୁଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ଜଣେ ମୋଷ୍ଟ୍‍ ଓ୍ଵାଣ୍ଟେଡ ଆତଙ୍କବାଦୀ ନିପାତ ହୋଇଥିଲା। ଏହି ଏନ୍‌କାଉଣ୍ଟର ପାଇଁ ଆଇଏସ୍‌ ସଂଗଠନ ନିଜକୁ ଦାୟୀ କରିଥିବା ବେଳେ ଏହି ଆକ୍ରମଣ କୌଶଳ ଏବଂ ସ୍ଥାନୀୟ ଆତଙ୍କବାଦୀଙ୍କ ସଂପୃକ୍ତି ଅନୁଧ୍ୟାନରୁ ଏଥିରେ ଆଇଏସ୍‌ର ହାତଥିବା ନେଇ କୌଣସି ପ୍ରମାଣ ମିଳିନାହିଁ। ପାକିସ୍ତାନ ସେନା ଓ ଆଏସ୍‌ଆଇ ସହଯୋଗରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ସଂପର୍କରେ ସିଂହ କହିଛନ୍ତି ଯେ ଏ ବାବଦରେ ଭାରତ ତା’ର ଆଭିମୁଖ୍ୟ ସବୁ ମଞ୍ଚରେ ସ୍ପଷ୍ଟ କରିଛି, କିନ୍ତୁ ଇସ୍‌ଲାମାବାଦ ଏହାକୁ ରୋକିବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

ସମ୍ବନ୍ଧିତ ଖବର