ଆଇଏସ୍‌ଆଇଏସ୍‌ କାର୍ଯ୍ୟକଳାପ ନେଇ ଯାଞ୍ଚ: ଯୁପି ଓ ପଞ୍ଜାବରେ ଏନ୍‌ଆଇଏର ଚଢ଼ାଉ

ନୂଆଦିଲ୍ଲୀ: ନ୍ୟାସନାଲ୍‌ ଇନଭେଷ୍ଟିଗେସନ୍‌ ଏଜେନ୍ସୀ (ଏନ୍‌ଆଇଏ) ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ର କାର୍ଯ୍ୟକଳାପ ସଂପର୍କରେ ସୂଚନା ପାଇ ଦେଶର ବିଭିନ୍ନ ସ୍ଥାନରେ ଯାଞ୍ଚ ଆରମ୍ଭ କରିଛି। ପଶ୍ଚିମ ଉତ୍ତର ପ୍ରଦେଶ ଓ ପଞ୍ଜାବର ସାତଟି ସ୍ଥାନରେ ଚଢ଼ାଉ କରିଛି ଏନଆଇଏ । ଆଇଏସ୍‌ଆଇଏସ୍‌ର ଏକ ଗୋଷ୍ଠୀ ଦିଲ୍ଲୀ ଓ ଉତ୍ତର ଭାରତର ଅନେକ ନେତା ଓ ସରକାରୀ ପ୍ରତିଷ୍ଠାନ ଉପରେ ଆତ୍ମଘାତୀ ଆକ୍ରମଣ ଓ ବୋମା ବିସ୍ଫୋରଣ କରିବାର ଯୋଜନା କରୁଥିବା ସୂଚନା ପାଇବା ପରେ ଏନ୍‌ଆଇଏ ଏହି ଚଢ଼ାଉ ଆରମ୍ଭ କରିଛି।

ଗତବର୍ଷ ଡିସେମ୍ବର ୨୬ରୁ ନେଇ ଏଯାବତ୍‌ ଏହି ମାମଲାରେ ୧୨ଜଣଙ୍କୁ ଗିରଫ କରିଛି ଏନଆଇଏ । ଏଜେନ୍ସୀ ଜାନୁଆରି ୧୨ରେ ହାପୁଡରୁ ମହମ୍ମଦ ଅବସାର (୨୪)କୁ ଗିରଫ କରିଥିଲା। ତା’ଠାରୁ ମିଳିଥିବା ସୂଚନା ଆଧାରରେ ଆଜି ଏହି ଚଢ଼ାଉ କରାଯାଇଥିଲା।

ଏନ୍‌ଆଇଏର କହିବାନୁସାରେ, ଆଇଏସ୍‌ଆଇଏସ୍‌ ଦ୍ୱାରା ପରିଚାଳିତ ସଂଗଠନ ‘ହରକତ ଉଲ ହର୍ଷ ଏ ଇସ୍‌ଲାମ୍‌’ ଏହି ଷଡଯନ୍ତ୍ରରେ ସାମିଲ ଥିବା ନେଇ ସୂଚନା ରହିଛି ।

ସମ୍ବନ୍ଧିତ ଖବର