ଭାରତରେ ଆକ୍ରମଣ ପାଇଁ ଆଇଏସ୍‌ର ଧମକ

ଲା ଭେଗାସ୍‌ ଭଳି କୁମ୍ଭମେଳାରେ ଆକ୍ରମଣ ହେବ!

ନୂଆଦିଲ୍ଲୀ: ଭାରତରେ କୁମ୍ଭମେଳା ଏବଂ ଥ୍ରିସୁରପୁରମ୍‌ ପରି ବିଶାଳ ହିନ୍ଦୁ ଉତ୍ସବଗୁଡ଼ିକରେ ପ୍ରଚଣ୍ଡ ଆକ୍ରମଣ କରିବାକୁ ଆତଙ୍କବାଦୀ ସଂଗଠନ ଇସ୍‌୍‌ଲାମିକ ଷ୍ଟେଟ୍‌ ଧମକ ଦେଇଛି। ଆଇଏସ୍‌ ସଂଗଠନ ଏକ ଅଡିଓ କ୍ଲିପ୍‌୍‌ରେ ଏଭଳି ଧମକ ଜାରି କରିବା ପରେ ସରକାର ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। କୁମ୍ଭମେଳାରେ ଲକ୍ଷ ଲକ୍ଷ ଲୋକଙ୍କର ସମାଗମ ହୋଇଥାଏ। ବଡ଼ ଧରଣର ଉତ୍ସବ ପାଳନ ସମୟରେ କଡ଼ା ସତର୍କତା ଅବଲମ୍ବନ କରିବାକୁ ଏବେ ରଣନୀତି ତୟାର କରାଯାଉଛି । ଭାରତରେ ଆଇଏସ୍‌ ନିଜର ନେଟ୍‌ଓ୍ଵର୍କ ସ୍ଥାପନ କରିବାରେ ବିଫଳ ହେବା ପରେ ଏବେ କୁମ୍ଭମେଳା ଏବଂ ଥ୍ରିସୁର ପୁରମ ଉତ୍ସବ ଉପରେ ନଜର ପକାଇଛି। ଉଭୟ ଉତ୍ସବରେ ଲା ଭେଗାସ ପରି ଆକ୍ରମଣ କରାଯିବ ବୋଲି ଧମକ ଦେଇଛି ଆଇଏସ୍‌।

ମାଲୟାଲମ୍‌ ଭାଷାରେ ଜାରି ହୋଇଥିବା ଏହି ଅଡିଓ କ୍ଲିପ୍‌ରେ ଜଣେ ପୁରୁଷ କଣ୍ଠରେ ଆକ୍ରମଣ ଧମକ ଦେଇଛି। ପାଖାପାଖି ୧୦ ମିନିଟ୍‌ ଅବଧିର ଏହି ଅଡିଓ କ୍ଲିପ୍‌ରେ ସେ କହିଛି ଯେ ଆଇଏସ ସମର୍ଥକମାନେ ହତ୍ୟାପାଇଁ ନିଜର ବୁଦ୍ଧି ଖଟାଅ, ଖାଦ୍ୟରେ ବିଷ ମିଶାଅ, ଲୋକଙ୍କୁ ମାରିବାପାଇଁ ଟ୍ରକ୍‌ ମଡ଼ାଇ ଚାଲ। ବିଶ୍ୱର ବିଭିନ୍ନ ସ୍ଥାନରେ ଆଇଏସ ମୁଜାହିଦ୍ଦିନ୍‌ ଏଭଳି ଆକ୍ରମଣ କରିଆସୁଛନ୍ତି। ନିକଟରେ ଲା ଭେଗାସରେ ଏକ ସଂଗୀତ ଉତ୍ସବରେ ପାଖାପାଖି ୨୨,୦୦୦ ଲୋକ ଉପସ୍ଥିତ ଥିବାବେଳେ କେବଳ ଜଣେ ବ୍ୟକ୍ତି ଗୁଳି ଫୁଟାଇ ୫୮ ଜଣଙ୍କ ଜୀବନ ନେଇଥିଲା। ଅନ୍ୟପକ୍ଷରେ କେରଳ ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଆଫଗାନିସ୍ତାନର ଏକ ସ୍ଥାନରୁ ଟେଲିଗ୍ରାମ୍‌ ମେସେଞ୍ଜର ଦ୍ୱାରା ଏହି ଅଡିଓ କ୍ଲିପ୍‌ ପଠାଯାଇଛି। ଏହି ମାମଲାରେ ତଦନ୍ତ କରୁଥିବା କେରଳ ପୁଲିସ ହ୍ଵାଟ୍ସଆପ୍‌, ଟେଲିଗ୍ରାମ୍‌ ମେସେଜିଙ୍ଗ ଆପ୍‌ ଏବଂ ଅନ୍ୟ ସୋସିଆଲ ମିଡିଆ ଆପ୍‌ରୁ ୩୦୦ରୁ ଊର୍ଦ୍ଧ୍ୱ ଭଏସନ୍‌ କ୍ଲିପ୍‌ ସଂଗ୍ରହ କରିଛି। ତେବେ କ୍ଲିପ୍‌ରେ ଶୁଣାଯାଉଥିବା ଏହି ପୁରୁଷ କଣ୍ଠ ଆତଙ୍କବାଦୀ ରସିଦ ଅବଦୁଲ୍ଲାର ବୋଲି ପୁଲିସ ବିଶ୍ୱାସ କରୁଛି। କେରଳର କସରଗଡ଼ ବାସିନ୍ଦା ରସିଦ ଚଳିତବର୍ଷ ଦେଶ ଛାଡ଼ି ଆଫଗାନିସ୍ତାନ ପଳାଇଥିଲା ଏବଂ ସେଠାରେ ଆଇଏସ୍‌ରେ ଯୋଗ ଦେଇଥିଲା। କେରଳ ପୁଲିସ ଏବେ ରାଜ୍ୟରୁ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଆଇଏସ୍‌ରେ ଯୋଗ ଦେଇଥିବା ନେଇ ଖୋଳତାଡ଼ କରୁଥିବାବେଳେ ଏହି ଅଡିଓ ଜାରି ହୋଇଛି।

ସମ୍ବନ୍ଧିତ ଖବର