ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ କୋଭିଡ-୧୯ ପାଇଁ ଡ୍ୟୁଟିରେ ନିୟୋଜିତ ପୁଲିସ କର୍ମଚାରୀଙ୍କୁ ଆଇଏସ୍ ଆତଙ୍କବାଦୀମାନେ ଟାର୍ଗେଟ କରିବାର ଆଶଙ୍କା ରହିଛି ବୋଲି ଦିଲ୍ଲୀ ପୁଲିସ ଏକ ଆଡ଼ଭାଇଜରି ଜାରି କରିଛି। କୋଭିଡ-୧୯ ଡ୍ୟୁଟି ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀର ବିଭିନ୍ନ ଆନ୍ଦୋଳନସ୍ଥଳୀ ଏବଂ ବ୍ୟାରିକେଡରେ ନିୟୋଜିତ ପୁଲିସ କର୍ମଚାରୀମାନେ ଆଇଏସଆଇଏସ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛନ୍ତି | ଗୁଇନ୍ଦା ସୂଚନାରେ କୁହାଯାଇଛି ଯେ, ଆକ୍ରମଣ ‘ଲୋନ୍ ଓଲଫ’ .ଶୈଳୀରେ ହୋଇପାରେ, ଯେପରିକି ଗୁଳି ଚଳାଇବା, ଛୁରା ମାଡ଼ କରିବା କିମ୍ବା ଗାଡି ଚଢାଇ ଆକ୍ରମଣ କରିବା ଭଳି ରଣନୀତି ଆତଙ୍କବାଦୀମାନେ ଆପଣାଇ ପାରନ୍ତି |
ଏହି ସୂଚନା ମିଳିବା ପରେ ରାଜଧାନୀରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି ଏବଂ କୋଭିଡ-୧୯ର ପ୍ରସାର ବନ୍ଦ କରିବାକୁ ଘୋଷଣା କରାଯାଇଥିବା ୨୧ ଦିନିଆ ଲକଡାଉନର ସଙ୍ଗରୋଧ ନିୟମ ଯେମିତି ଲୋକମାନେ ନ ଭାଙ୍ଗନ୍ତି ସେ ନେଇ ପୁଲିସ ନିଶ୍ଚିତ କରୁଛି |ଲୋକମାନଙ୍କ ଗତିବିଧି ଯାଞ୍ଚ କରିବା ଏବଂ କୌଣସି ନିୟମର ଯେମିତି ଉଲ୍ଲଂଘନ ନକରାଯାଏ, ସେ ନେଇ ଘରେ ସଙ୍ଗରୋଧରେ ଥିବା ଲୋକଙ୍କ ମୋବାଇଲ୍ ଫୋନ୍ ଟ୍ରାକ୍ କରିବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଲୋକମାନେ ସଙ୍ଗରୋଧର ନିୟମ ଉଲ୍ଲଂଘନ ନକରିବା ଏବଂ କେତେ ଜଣଙ୍କ ସହ ଯୋଗାଯୋଗ କରୁଛନ୍ତି ତାହା ଚିହ୍ନଟ କରିବା ପାଇଁ ଟ୍ରାକିଂ କରାଯାଉଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ଗତକାଲି ଆମେ ୧୧,୦୮୪ଫୋନ ନମ୍ବରର ଏକ ତାଲିକା ପୁଲିସକୁ ଦେଇଥିଲୁ ଏବଂ ଆଜି ୧୪,୩୪୫ ଫୋନ ନମ୍ବରର ତାଲିକା ପୁଲିସକୁ ଦିଆଯାଇଛି | ଏଥିରେ ଘରେ ସଙ୍ଗରୋଧରେ ରହିବାକୁ କୁହାଯାଇଥିବା ଲୋକଙ୍କ ଫୋନ ନମ୍ବର ରହିଛି |