କାଏରୋ(ଇଜିପ୍ଟ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେରୁଜେଲମ୍କୁ ମିତ୍ର ରାଷ୍ଟ୍ର ଇସ୍ରାଏଲ୍ର ରାଜଧାନୀ ଭାବେ ମାନ୍ୟତା ଘୋଷଣା କରିବା ପରେ ବିଶ୍ୱବ୍ୟାପୀ ବିତର୍କ ଆରମ୍ଭ ହୋଇଯାଇଛି। ଟ୍ରମ୍ପଙ୍କ ନିଷ୍ପତ୍ତିର ପ୍ରତିବାଦରେ ସମଗ୍ର ମଧ୍ୟ ପ୍ରାଚ୍ୟରେ ବିଦ୍ରୋହର ନିଆଁ ଜଳିବା ସହ ସାରା ଇଲାକାରେ ଏକରକମ ଶାନ୍ତିଭଙ୍ଗ ହୋଇଛି। ତେବେ ଟ୍ରମ୍ପ୍ ପ୍ରଶାସନର ଏଭଳି ଆଭିମୁଖ୍ୟରେ ଗୁରୁବାର ତୀବ୍ର ପ୍ରତିକ୍ରିୟା ରଖିଛି ଆତଙ୍କବାଦୀ ସଂଗଠନ ଇସ୍ଲାମିକ ଷ୍ଟେଟ୍(ଆଇଏସ୍)। ଏପରିକି ଏହାର ଜବାବ ସ୍ୱରୂପ ଆଇଏସ୍ ପକ୍ଷରୁ ଆମେରିକା ଉପରେ ଆକ୍ରମଣ ହେବ ବୋଲି ମଧ୍ୟ ଧମକ ଦିଆଯାଇଛି।
ସଂଗଠନ ପକ୍ଷରୁ ସୋସିଆଲ୍ ମିଡିଆରେ ଛଡ଼ାଯାଇଥିବା ବାର୍ତ୍ତାରେ ‘ଆମକୁ ଅପେକ୍ଷା କର, ମାନ୍ହଟ୍ଟନ୍ରେ ଆଇଏସ୍’ ଉଲ୍ଲେଖ ରହିବା ସହ ଆକ୍ରମଣ ପାଇଁ ପ୍ରସ୍ତୁତ ଥିବା କୁହାଯାଇଛି। ତୁମେ ଇରାକ୍, ୟେମେନ୍, ଲିବ୍ୟା, ସିରିଆ ଏବଂ ଆଫଗାନ୍ରେ ଯେଉଁ ଯୁଦ୍ଧ ଆରମ୍ଭ କରିଥିଲ, ସେହି ଯୁଦ୍ଧର ନିଆଁରେ ହିଁ ତୁମେ ଛାରଖାର ହୋଇଯିବ ବୋଲି ଚେତାବନୀ ଦିଆଯାଇଛି। ଏଥି ସହିତ ଏହି ବାର୍ତ୍ତାରେ ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଏକ ବୋମା ଖଞ୍ଜାଯାଇଥିବାର ଛବି ମଧ୍ୟ ପ୍ରଦର୍ଶିତ ହୋଇଛି। ତୁମେ ଜେରୁଜେଲମ୍କୁ ଇସ୍ରାଏଲ୍ର ରାଜଧାନୀ ଭାବେ ଘୋଷଣା କରି ଆମକୁ ତୁମ ରାଜଧାନୀରେ ବୋମା ଖଞ୍ଜିବା ପାଇଁ ବାଧ୍ୟ କରିଛ ବୋଲି ଧମକ ଦିଆଯାଇଛି। ତେବେ ଆଇଏସ୍ର ଏଭଳି ଧମକ ପରେ ଆମେରିକା କିଛି ପ୍ରତିକ୍ରିୟା ପ୍ରକାଶ କରିନାହିଁ।
ଆମେରିକା ଆକ୍ରମଣ ପାଇଁ ଆଇଏସ୍ର ଧମକ: ଟ୍ରମ୍ପଙ୍କ ଜେରୁଜେଲମ୍ ନିଷ୍ପତ୍ତିକୁ ବିରୋଧ
/sambad/media/post_attachments/wp-content/uploads/2017/10/IRAQ_-_Isis_invades.jpg)
/sambad/media/agency_attachments/2024-07-24t043029592z-sambad-original.webp)
