ଅନ୍ୟ ୨୦ଜଣଙ୍କ ସମେତ କାବୁଲ ଗୁରୁଦ୍ୱାର ଆକ୍ରମଣର ଷଡ଼ଯନ୍ତ୍ରକାରୀ ଅସଲମ୍ ଫାରୁକି ଗିରଫ

କାବୁଲ: ମାର୍ଚ ୨୫ ତାରିଖ ଦିନ କାବୁଲ ଗୁରୁଦ୍ୱାର ଆକ୍ରମଣର ଯୋଜନା କରିଥିବା ଅଭିଯୋଗରେ ଶନିବାର ଦିନ ଅନ୍ୟ ୨୦ ଜଣଙ୍କ ସମେତେ “ଇସଲାମିକ୍ ଷ୍ଟେଟ୍ ଖୋରାସନ ପ୍ରୋଭନସ୍’ର (ଆଇଏସ୍କେପି) ମୁଖ୍ୟ ଅସଲମ୍ ଫାରୁକିଙ୍କୁ ଗିରଫ କରାଯାଇଛି । ଆଫଗାନିସ୍ତାନର ରାଜଧାନୀ କାବୁଲର ଶୋର୍ ବଜାର ଅଞ୍ଚଳରେ ଥିବା ଗୁରୁଦ୍ୱାରରେ ହୋଇଥିବା ଆକ୍ରମଣ ପାଇଁ “ଆଇଏସକେପି’ ନିଜକୁ ଦାୟୀ କରିଥିଲା । ଏହି ଆକ୍ରମଣରେ ୨୭ଜଣ ଶିଖଙ୍କର ମୃତ୍ୟୁ ହୋଇଥିଲା ।

ପାକିସ୍ତାନୀ ନାଗରିକ ଫାରୁକି ପୂର୍ବରୁ ଲଶ୍କର୍-ଏ-ତୈବା ଏବଂ ତେରୀକ୍-ଏ-ତାଲିବାନ ଭଳି ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତ ଥିଲା । ଏପ୍ରିଲ୍ ୨୦୧୯ରେ ସେ ଅବୁ ଓମାର ଖୋରାସନିଙ୍କ ସ୍ଥାନରେ “ଆଇଏସ୍କେପି’ ମୁଖ୍ୟ ହୋଇଥିଲେ । ତାଙ୍କର ପ୍ରକୃତ ନାମ ଅବ୍ଦୁଲ୍ଲା ଉରାକଜାଇ । ତାଙ୍କର ଘର ହେଉଛି ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶ ଅନ୍ତର୍ଗତ ଆଦିବାସୀ ଅଞ୍ଚଳ ।

Image Source: Zee News

ଏଠାରେ ପ୍ରକାଶଯୋଗ୍ୟ ଯେ ମାର୍ଚ ୨୫ ତାରିଖ ଦିନ କାବୁଲ ଗୁରୁଦ୍ୱାରରେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ସମେତ ୪ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଫଳରେ ୨୭ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ଆଠଜଣ ଆହତ ହୋଇଥିଲେ ।

ପାକିସ୍ତାନର ଗୁଇନ୍ଦା ଏଜେନସି “ଆଇଏସଆଇ’ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିବା କଥା ସେ ସ୍ୱୀକାର କରିଛନ୍ତି ।

ସମ୍ବନ୍ଧିତ ଖବର