ମିଛୁଆ ଓ ଛଳନାକାରୀ ବୋଲି ଟ୍ରମ୍ପଙ୍କ ବୟାନ ନେଇ ଆମେରିକା ରାଷ୍ଟ୍ରଦୂତଙ୍କୁ ସମନ କଲା ପାକିସ୍ତାନ

ନୂଆଦିଲ୍ଲୀ, : ଆତଙ୍କବାଦ ମୁକାବିଲାରେ ପାକିସ୍ତାନ ସହଯୋଗ କରୁନଥିବାରୁ ପାକିସ୍ତାନ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଡ଼ା ଭାଷାରେ ଯେଉଁ ଟ୍ଵିଟ୍‌ କରିଥିଲେ , ତାହା ପାକିସ୍ତାନର ହଜମ ହୋଇ ନାହିଁ। ଆତଙ୍କବାଦୀଙ୍କ ଲାଗି ପାକିସ୍ତାନ ଏହାର ମାଟିକୁ ଭୂସ୍ୱର୍ଗରେ ପରିଣତ କରିଛି। ତେଣୁ ଆଉ ନୁହେଁ। ମିଛ ଓ ଛଳନାପାଇଁ ପାକିସ୍ତାନକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଟ୍ରମ୍ପ ଟ୍ଵିଟ୍‌ କରିବା ପରେ ଗତକାଲି ରାତି ପ୍ରାୟ ୯ଟା ବେଳେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଆମେରିକା ରାଷ୍ଟ୍ରଦୂତଙ୍କୁ ଏ ନେଇ ସମନ କରିଛି।
ସୂଚନା ଯୋଗ୍ୟ ଯେ ଟ୍ରମ୍ପ ଧମକ ଦେଇଥିଲେ ଯେ ଇସଲାମାବାଦକୁ ଦିଆଯାଉଥିବା ବାର୍ଷିକ ୨୫ କୋଟି ଡଲାରର ସହାୟତା ବନ୍ଦ କରି ଦିଆଯିବ। ଗତ ୧୫ ବର୍ଷରେ ପାକିସ୍ତାନକୁ ୩୩୦୦ କୋଟି ଡଲାରର ସହାୟତା ଦିଆଗଲାଣି। କିନ୍ତୁ ଏହା ବଦଳରେ ଆମେରିକାକୁ ମିଳିଛି ମିଛ ପ୍ରତିଶ୍ରୁତି ଓ ପ୍ରତାରଣା। ପାକିସ୍ତାନର ଏଭଳି ଆଚରଣକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଟ୍ରମ୍ପ ସ୍ପଷ୍ଟ କରିଦେଇଥିଲେ।


ନୂଆବର୍ଷରେ ଟୁଇଟ୍‌ କରି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଆମେରିକାର ନେତାମାନଙ୍କୁ ପାକିସ୍ତାନ ମୂର୍ଖ ବୋଲି ଭାବୁଛି। ଏହି କାରଣରୁ ଗତ ୧୫ ବର୍ଷ ଧରି ଆମକୁ ଠକି ଚାଲିଛି। ଏହି ସମୟ ମଧ୍ୟରେ ପାକିସ୍ତାନକୁ ସହାୟତା ଆମେରିକାର ବୋକାମି ଥିଲା। ପାକିସ୍ତାନ ବିରୋଧରେ ଗୁରୁତର ଅଭିଯୋଗ ଆଣି ସେ କହିଲେ, ଆମେ ଯେଉଁ ଆତଙ୍କବାଦୀଙ୍କୁ ଆଫଗାନିସ୍ତାନରେ ଖୋଜୁଛୁ, ପାକିସ୍ତାନ ସେମାନଙ୍କୁ ଦେଶରେ ଆଶ୍ରୟ ଦେଉଛି। ତେଣୁ ଆତଙ୍କବାଦ ମୁକାବିଲା ବିଶେଷ ଫଳପ୍ରଦ ହେଉନାହିଁ। ପାକିସ୍ତାନର ଏଭଳି ଆଚରଣ ଆଉ ଚଳିବ ନାହିଁ। ଏଥର ଆମେରିକାର ସହାୟତାକୁ ବନ୍ଦ କରିବାକୁ ପଡ଼ିବ।
ସୂଚନା ଥାଉ କି, ଗତ ଅଗଷ୍ଟ ମାସରେ ଟ୍ରମ୍ପ୍‌ ତାଙ୍କ ନୂଆ ଦକ୍ଷିଣ ଏସିଆ ଆଭିମୁଖ୍ୟ ଘୋଷଣା କରିବା ସମୟରେ କହିଥିଲେ ଯେ ଆମେରିକାର ଆତଙ୍କବାଦୀ ବିରୋଧ ଲଢ଼େଇରେ ପାକିସ୍ତାନ ସହଯୋଗ ନକଲେ ଏହା ବିରୋଧରେ କଟକଣା ଲାଗୁ ହେବ। କିନ୍ତୁ ପାକିସ୍ତାନ ସେଥିପ୍ରତି ଗୁରୁତ୍ୱ ନ ଦେଇ ପୂର୍ବବତ୍‌ ଆତଙ୍କବାଦୀଙ୍କ ପ୍ରତି କୋହଳ ମନୋଭାବ ବଜାୟ ରଖିଛି।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ଵିଟ୍‌ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଖ୍ଵାଜା ଆସିଫ କହିଛନ୍ତି ଯେ କିଏ ସତ କହୁଛି ତାହା ଶୀଘ୍ର ଜଣାପଡ଼ିବ। ବିଶ୍ୱ ସମୁଦାୟ ସମ୍ମୁଖରେ ପାକିସ୍ତାନ ସଂପୂର୍ଣ୍ଣ ତଥ୍ୟ ରଖିବ। ସତ କଣ ମିଛ କଣ ତାହା ଜଣାପଡ଼ିବ। ତେବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ଏହି ବୟାନ ପରେ ଗତକାଲି ରାତିରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆମେରିକା ରାଷ୍ଟ୍ରଦୂତ ଡେଭିଡ୍‌ ହାଲିଙ୍କୁ ସମନ କରାଯାଇଛି। ଡେଭିଡ୍‌ ହାଲିଙ୍କୁ ଡକାଇ ପାକିସ୍ତାନ ଆମେରିକା ରାଷ୍ଟ୍ରପତି ଟମ୍ପ୍‌ଙ୍କ ଟ୍ଵିଟ୍‌ ବିରୋଧରେ ନିଜର ପ୍ରତିକ୍ରିୟା ଜଣାଇବ। ଆମେରିକା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରଦୂତ ଡେଭିଡ୍‌ ହାଲିଙ୍କୁ ପାକିସ୍ତାନ ସମନ କରିଥିବା କଥାକୁ ସ୍ୱୀକାର କରାଯାଇଛି।

ସମ୍ବନ୍ଧିତ ଖବର