ସାହାରଣପୁର: ବ୍ୟାଙ୍କ୍ରେ ଚାକିରି କରୁଥିବା ଲୋକଙ୍କ ପରିବାରେ ବାହା ନ ହେବାକୁ ମୁସଲମାନ ମହିଳାଙ୍କ ପ୍ରତି ଫତ୍ଓ୍ଵା ଜାରି କରିଛି ଦେଶର ସବୁଠୁ ବଡ଼ ଧାର୍ମିକ ବିଦ୍ୟାଳୟ ‘ଦରୁଲ୍ ଉଲୂମ୍ ଦେଓବନ୍ଦ’। ବ୍ୟାଙ୍କ୍ ଚାକିରିରୁ ଉପାର୍ଜିତ ଅର୍ଥ ‘ହାରାମ୍’ ଅର୍ଥାତ୍ ନିଷିଦ୍ଧ ଆୟ ବୋଲି ବିଦ୍ୟାଳୟ ଦର୍ଶାଇଛି।
ବ୍ୟାଙ୍କ୍ରେ ଚାକିରି କରୁଥିବା ଜଣେ ବ୍ୟକ୍ତିଙ୍କ ପୁଅ ସହ ନିଜ ଝିଅର ବାହାଘର କରିବେ କି, ନାହିଁ ଜଣେ ବ୍ୟକ୍ତି ପଚାରିବାରୁ ଦରୁଲ୍ ଇଫ୍ତା ଏ ଭଳି ଘୋଷଣା କରିଛି।
ଇସ୍ଲାମ୍ ନିଷିଦ୍ଧ କରିଥିବା ସୁଧକୁ ଆଧାର କରି ବ୍ୟାଙ୍କ୍ ସେକ୍ଟର୍ ଚାଲେ। ଦରୁଲ୍ ଇଫ୍ତା କହିଛି ଯେ, ଇସ୍ଲାମୀୟ ଆଇନ ଅନୁସାରେ, ସୁଧରୁ ମିଳୁଥିବା ଆୟ ଏବଂ ସୁଧ ପାଇଁ ଯେ କୌଣସି ପ୍ରକାର ପୁଞ୍ଜି ନିବେଶ ନିଷିଦ୍ଧ ଅଟେ।
ଅଧିକ ଲାଭ ଆଶାରେ କରାଯାଉଥିବା ମଦ, ନିଶାଦ୍ରବ୍ୟ, ସ୍କୁଲ୍ ଏବଂ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ବ୍ୟବସାୟକୁ ମଧ୍ୟ ଇସ୍ଲାମ୍ ନିଷିଦ୍ଧ କରେ।
ଏହି ଫତ୍ଓ୍ଵାକୁ ଇସ୍ଲାମୀୟ ପଣ୍ଡିତ ଏବଂ ମୌଲବୀମାନେ ସମର୍ଥନ କରିଛନ୍ତି। ସେମାନେ କହିବା ଅନୁସାରେ ଇସ୍ଲାମୀୟ ଆଇନ୍ ଅନୁସାରେ ଧାର୍ମିକ ଅନୁଷ୍ଠାନ ଏହି ନିଷ୍ପତ୍ତି ନେଇଛି।
ମଜଲିସ ଇତ୍ତେହାଦ-ଇ-ମିଲାତ୍ର ସାଧାରଣ ସମ୍ପାଦକ ଓଥାର ଓସ୍ମାନି କହନ୍ତି: ଦରୁଲ୍ ଉଲୂମ୍ ଦେଓବନ୍ଦ୍ର ନିଷ୍ପତ୍ତି ଠିକ୍। ଏ ଭଳି ବ୍ୟକ୍ତିଙ୍କ ସହ ଜଣେ ସମାଜିକ ବନ୍ଧନରେ ଆବଦ୍ଧ ହେବା ଅନୁଚିତ। କାରଣ ନିଷିଦ୍ଧ ଅର୍ଥ ସହ ତାଙ୍କର ସମସ୍ତ ଜୀବନ ସଂଯୁକ୍ତ। ଏହାଛଡ଼ା ଧାର୍ମିକ, ସାମାଜିକ ଏବଂ ବ୍ୟକ୍ତିଗତ ଭାବେ ଏହା ଜଣେ ବ୍ୟକ୍ତିଙ୍କ ନିମନ୍ତେ କ୍ଷତିକାରକ ହୋଇ ପାରେ।
ମୁସଲମାନ ପଣ୍ଡିତ ଏବଂ ଇସ୍ଲାମୀୟ ଗବେଷକ ମୌଲାନା ନଦିମୁଲ୍ ବାଜଦି କହନ୍ତି ଯେ ଜାଣତରେ ହେଉ କି, ଅଜାଣତରେ ହେଉ ଯଦି କେହି ନିଷିଦ୍ଧ ଆୟରେ ସମ୍ପୃକ୍ତ ଅଛନ୍ତି, ସେ ଉକ୍ତ କାମ ଛାଡ଼ି ଇସ୍ଲାମୀୟ ଆଇନ୍ ଦୃଷ୍ଟିରେ ନିଷିଦ୍ଧ ବିବେଚିତ ହେଉ ନ ଥିବା ଅନ୍ୟ କୌଣସି ଉପାର୍ଜ୍ଜନ ପନ୍ଥା ବାଛିବା ଉଚିତ।