ନୂଆଦିଲ୍ଲୀ : ସମଗ୍ର ବିଶ୍ୱ ଏବେ କରୋନା ଭାଇରସ ମହାମାରୀକୁ ନେଇ ଚିନ୍ତିତ ଓ ଆତଙ୍କିତ ଥିବାବେଳେ ଏହାକୁ ଏକ ଉତ୍ତମ ସୁଯୋଗ ବୋଲି ଭାବୁଛନ୍ତି ବିଶ୍ୱର ଦୁଇ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲକାଇଦା ଓ ଆଇଏସ୍ । କରୋନା ଲଢେଇକୁ ନେଇ ବିଶ୍ୱର ଶକ୍ତିଶାଳୀ ଦେଶମାନେ ବ୍ୟସ୍ତ ଥିବାବେଳେ ଏହି ମୌକାରେ ଘନ ଘନ ଆତଙ୍କବାଦୀ ଆକ୍ରମଣ କରିବାକୁ ଏହି ସଂଗଠନଗୁଡ଼ିକ ଷଡ଼ଯନ୍ତ୍ର କରୁଛନ୍ତି ।

Advertisment

ମାର୍ଚ୍ଚରେ ପ୍ରକାଶିତ ନିଜର ମୁଖପତ୍ରରେ ଆଇଏସ ପକ୍ଷରୁ ନିଜ ଅନୁଗାମୀମାନଙ୍କୁ କୁହାଯାଇଛି ଯେ ଲୋକମାନଙ୍କୁ କୌଣସି ଦୟାମାୟା ନଦେଖାଇ ଘନ ଘନ ଆକ୍ରମଣ କରିବାକୁ ହେବ । ଅଲକାଇଦା କହିଛି ଯେ ଅଣ-ମୁସଲିମାନେ ଏକାନ୍ତବାସରେ ଥିବାବେଳେ ଇସଲାମ ସଂପର୍କରେ ଜ୍ଞାନ ଅର୍ଜନ କରନ୍ତୁ । ଉଭୟ ସଂଗଠନ କହିଛନ୍ତି ଯେ କରୋନା ସଂକ୍ରମଣ ଅଣ-ମୁସଲିମମାନଙ୍କ ପାଇଁ ଏକ ଦଣ୍ଡ ।
ଗତକାଲି ଇଣ୍ଟରନାସନାଲ କ୍ରାଇସିସ ଗ୍ରୁପ ପକ୍ଷରୁ କୁହାଯାଇଥିଲା ଯେ କରୋନା ଭାଇରସ ଯୋଗୁଁ ବିଶ୍ୱରେ ଦେଶ ଦେଶମାନଙ୍କ ମଧ୍ୟରେ ଏକତା ଦୁର୍ବଳ ହୋଇଛି । ଏହା ଦ୍ୱାରା ବିଶ୍ୱରେ ଚାଲିଥବା ଆତଙ୍କବାଦ ବିରୋଧୀ ଯୁଦ୍ଧ ମଧ୍ୟ ଦୁର୍ବଳ ହେଉଛି । ଏହାର ସୁଯୋଗ ଆତଙ୍କବାଦୀମାନେ ନେଇପାରନ୍ତି ଓ ନିଜକୁ ପୁଣି ସଂଗଠିତ କରି ଆକ୍ରମଣ କରିପାରନ୍ତି ।