ଗୁଜରାଟରେ ଇସ୍‌ଲାମିକ ଷ୍ଟେଟ୍‌ ଶାଖାର ପର୍ଦ୍ଦାଫାସ୍‌: ମହିଳାଙ୍କ ସମେତ ୪ ଗିରଫ

ଅହମଦାବାଦ: ଗୁଜରାଟର ବନ୍ଦର ସହର ପୋରବନ୍ଦରରେ ଗୁଜରାଟ ପୁଲିସର ଏଟିଏସ୍‌ (ଆତଙ୍କବାଦ ନିରୋଧ ସ୍କ୍ବାଡ୍‌) ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌)ର ଏକ ଶାଖାାର ପର୍ଦ୍ଦାଫାସ କରିଛି। ଏହି ଶାଖା ସଂଚାଳନ କରୁଥିବା ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ଶ୍ରୀନଗରରୁ ୩ ଜଣ ଯୁବକ ଏବଂ ସୁରଟରୁ ଜଣେ ମହିଳା ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ଆଇଏସ୍‌ ଆତଙ୍କବାଦୀ ଗୋଷ୍ଠୀର ସ୍ଲିପର୍‌ସେଲ ସଂଚାଳକ ବୋଲି ଏଟିଏସ୍‌ ପ୍ରକାଶ କରିଛି। ସେମାନଙ୍କୁ ଚିହ୍ନଟ କରାଯାଇଛି। ଡିଆଇଜି ଦୀପନ ଭଦ୍ରନ ଏବଂ ଏସ୍‌ପି ସୁନିଲ ଯୋଶୀଙ୍କ ନେତୃତ୍ବରେ ‌ବ୍ୟାପକ ଚଢ଼ଉ ପରେ ପୋରବନ୍ଦରରେ ଆତଙ୍କବାଦୀ ସଂଗଠନର ପର୍ଦ୍ଦାଫାସ ହୋଇଛି।

ଗିରଫ ଆତଙ୍କବାଦୀମାନେ ଅଧିକ ତାଲିମ ପାଇଁ ଆଫଗାନିସ୍ତାନ ଯିବାକୁ ଯୋଜନା କରିଥିଲେ। ଆଫଗାନିସ୍ତାନ ସ୍ଥିତ ଇସଲାମିକ ଷ୍ଟେଟ୍‌ ଅଧୀନରେ ସେମାନେ ଗୁଜରାଟରେ ସଂଗଠନ ତିଆରି କରିଥିଲେ ବୋଲି ଜଣାପଡ଼ିଛି। ସେମାନେ ଆଇଏସ୍‌କେପି (ଇସଲାମିକ ଷ୍ଟେଟ୍‌ ଅଫ ଖୋରାସନ୍‌) ସହ ତାଳମେର ରଖି ଆଇଏସ୍‌ରେ ନୂଆ ନିଯୁକ୍ତି ପାଇଁ ମଧ୍ୟ ପ୍ରୟାସ କରିଥିଲେ।। ସେମାନେ ପୋରବନ୍ଦରରେ ପହଞ୍ଚିବା ପରେ ସେଠାରୁ ଏକ ବୋଟ୍‌ରେ ଆଫଗାନିସ୍ତାନ ଯାଇଥାନ୍ତେ। ପୁଲିସ ଅନୁଯାୟୀ ଚଢ଼ଉ ସମୟ‌ରେ ୩ କାଶ୍ମୀରୀ ଯୁବକଙ୍କଠାରୁ ବିଭିନ୍ନ ଜିହାଦୀ ପୁସ୍ତକ ଜବତ କରାଯାଇଛି। ଏହାସହିତ ଆଇଏସ୍‌କେପିର କିଛି ବ୍ୟାନର ଏବଂ ପତାକା ମଧ୍ୟ ଜବତ ହୋଇଛି। ସେମାନେ ନିଜ ପରିଚୟକୁ ଗୋପନ ରଖିବା ପାଇଁ ପୋରବନ୍ଦରରେ ଶ୍ରମିକ ଭାବେ କାମ କରୁଥିଲେ ଏବଂ ଆଇଏସ୍‌କେପି ସହ ସଂପର୍କରେ ରହୁଥିଲେ। କାଶ୍ମୀରର ଅନ୍ୟ ଜଣେ ବ୍ୟକ୍ତି ଜୁବେର ମହମ୍ମଦ ମଧ୍ୟ ସେମାନଙ୍କ ସହ ଆଫଗାନିସ୍ତାନ ଯାଇଥାନ୍ତା। ଜୁବେର ଏବେ ଫେରାର ରହିଛି ଏବଂ ତାକୁ ଠାବ କରିବା ପାଇଁ ସ୍ବତନ୍ତ୍ର ଅପରେସନ ଆରମ୍ଭ ହୋଇଛି। ଗୁଜରାଟରେ ଆତଙ୍କବାଦୀ ଶାଖାର ପର୍ଦ୍ଦାଫାସ ହୋଇଥିବାରୁ ଭାରତରେ ଇସ୍‌ଲାମିକ ଷ୍ଟେଟ୍‌ ନେଟ୍‌ୱର୍କ ନେଇ ଆଗକୁ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର