କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ର ଦାବି; ଭାରତରେ ନିଜସ୍ୱ ‘ପ୍ରୋଭିନ୍ସ’ ଗଠନ କରିବା ସହ ନାମକରଣ କରିଛି ‘ଉଲ୍ଲାହ୍ୟା ଅଫ୍‌ ହିନ୍ଦ୍‌’!

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆଜି ପ୍ରଥମ ଥର ପାଇଁ କରିଥିବା ଏକ ଦାବିକୁ ନେଇ ଏବେ ସମଗ୍ର ଭାରତ ଆତଙ୍କିତ ହୋଇପଡ଼ିଛି। ଆତଙ୍କବାଦୀ ସଂଗଠନ ଆଇଏସ୍‌ ଆଜି ପ୍ରଥମ ଥର ପାଇଁ ଦାବି କରି କହିଛି ଯେ ସେ ଭାରତରେ ନିଜର ଏକ ‘ପ୍ରେଭିନ୍ସ’ ବା ରାଜ୍ୟ ବା ଅଞ୍ଚଳ ଗଠନ କରି ସାରିଲାଣି। ଆଇଏସ୍‌ ସଂଗଠନ ସହ ସଂପୃକ୍ତ ଥିବା ଜଣେ ଆତଙ୍କବାଦୀକୁ କଶ୍ମୀରରେ ସୁରକ୍ଷା କର୍ମୀମାନେ ଗୁଳି କରି ହତ୍ୟା କରିବା ପରେ ଏହି ଦାବି କରିଛି ଆଇଏସ୍‌।

ଆତଙ୍କବାଦୀ ସଂଗଠନ ଆଇଏସ୍‌ ତା’ର ନିଜସ୍ୱ ଖବର ପ୍ରସାରଣ ଉଦ୍ଦେଶ୍ୟରେ ଗଠନ କରିଥିବା ନିଜସ୍ୱ ସଂସ୍ଥା ଅମକ୍‌ ନ୍ୟୁଜ୍‌ ଏଜେନ୍ସି ଗତ ଶୁକ୍ରବାର ବିଳମ୍ବିତ ରାତ୍ରରେ ଆଇଏସ୍‌ର ଏହି ଦାବିକୁ ପ୍ରସାରିତ କରିଛି। ଆଇଏସ୍‌ ଭାରତରେ ଏକ ‘ପ୍ରେଭିନ୍ସ’ ବା ରାଜ୍ୟ ଗଠନ କରିବା ସହ ଏହାର ନାମକରଣ ‘ଉଲ୍ଲାହ୍ୟା ଅଫ୍‌ ହିନ୍ଦ୍‌’ ବୋଲି କରିସାରଛି  ବୋଲି କହିଛି ଏହି ସଂସ୍ଥା।  କଶ୍ମୀରର ସୋପିଆନ୍‌ ଜିଲ୍ଲା ଅର୍ନ୍ତଗତ ଅମଶିପୋରା ଅଞ୍ଚଳରେ ଆଇଏସ୍‌ ତା’ର ଏଇ ‘ପ୍ରୋଭିନ୍ସ’ ବା ରାଜ୍ୟ ଗଠନ କରିଛି ବୋଲି କହିଛି। ଏବଂ ଏଠାରେ ଥିବା ଆଇଏସ୍‌ ସଦସ୍ୟମାନଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଭାରତୀୟ ସୁରକ୍ଷା ବାହିନୀର ଯବାନମାନଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ହତ୍ୟା କରିବା।

ତେବେ, ଆତଙ୍କବାଦୀ ସଂଗଠନ ଆଇଏସ୍‌ର ଏହି ଦାବି ମଧ୍ୟ ନିରାଧାର ନଥିବା ଜାଣିବାକୁ ମିଳିଛି। କାରଣ, ଜମ୍ମୁ- କଶ୍ମୀରର ସୋପିଆନ୍‌ରେ ଶୁକ୍ରବାର ଦିନ ଦୀର୍ଘ ସମୟର ଏନ୍‌କାଉଣ୍ଟର ପରେ ସୁରକ୍ଷା ବାହିନୀର ଯବାନମାନେ ଇସ୍‌ଫାକ୍‌ ଅହମ୍ମଦ ସୋଫି ନାମକ ଜନୈକ କୁଖ୍ୟାତ ଆତଙ୍କବାଦୀକୁ ଗୁଳି କରି ହତ୍ୟା କରିଥିଲେ। ପରେ ତଦନ୍ତ କାଳରେ ଏହି ନିହତ ଆତଙ୍କବାଦୀର ସଂପୃକ୍ତି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ସହ ରହିଥିବା ଏବଂ ମୃତ ଆତଙ୍କବାଦୀ ଆଇଏସ୍‌ର ସଦସ୍ୟ ଥିବା ଜଣାପଡ଼ିଥିଲା।

ଏହି ଘଟଣା ପରେ ଏବେ ଖୋଦ୍‌ ଆଇଏସ୍‌ ନିଜ ଆଡ଼ୁ ଭାରତରେ ଏକ ‘ପ୍ରୋଭିନ୍ସ’ ବା ରାଜ୍ୟ ଗଠନ କରିବା ସହ ଏହାର ନାମକରଣ ‘ଉଲ୍ଲାହ୍ୟା ଅଫ୍‌ ହିନ୍ଦ୍‌’ ବୋଲି କରିସାରଛି  ବୋଲି ଦାବି କରିବା ପରେ ସମଗ୍ର ଦେଶରେ ଏକ ଭୟର ବାତାବରଣ ସୃଷ୍ଟି ହେବା ସହ ସୁରକ୍ଷା ବାହିନୀ ଆଖିରୁ ନିଦ ହଜିଯାଇଛି।

ସମ୍ବନ୍ଧିତ ଖବର