ଭାରତର ସନ୍ଦେହ ସତ ହେଲା, ଜାତିସଂଘର କାଶ୍ମୀର ରିପୋର୍ଟ ପଛରେ ପାକିସ୍ତାନର ହାତ

ମିସିସୁଗା (କାନାଡା) : ଗତ ମାସରେ ମିଳିତ ଜାତିସଂଘର ମାନବ ଅଧିକାର ସଂଗଠନ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରେ ଭାରତୀୟ ସେନା କାଶ୍ମୀରରେ ମାନବ ଅଧିକାରର ବ୍ୟାପକ ହନନ କରୁଥିବା କୁହାଯାଇଥିଲା । ଏହାକୁ ନେଇ ଭାରତ ସରକାର ଓ ଭାରତୀୟ ସେନା ପ୍ରବଳ ଆପତ୍ତି ଉଠାଇଥିଲେ । କିନ୍ତୁ ଏବେ ଜଣାପଡିଛି ଯେ ଏହି ରିପୋର୍ଟ ପାଇଁ ପ୍ରବାସୀ ପାକିସ୍ଥାନୀ ଏବଂ ଇସ୍ଲାମିକ ଲବି କାମ କରୁଥିଲା । କାନାଡାରେ ରହୁଥିବା ଜଣେ ପାକିସ୍ଥାନୀ ଇମାମ ତଥା ଇସ୍ଲାମପନ୍ଥୀ ଜାଫର ବଙ୍ଗାସ ସ୍ୱୀକାର କରିଛନ୍ତି ଯେ ସେ ଜାତିସଂଘ ମାନବ ଅଧିକାର ହାଇକମିଶନର ଜେଦ ରାଜ ଅଲହୁସେନଙ୍କ ସହ ସଂପର୍କରେ ଥିଲେ । ଏପରିକି ଏହି ରିପୋର୍ଟ ପ୍ରସ୍ତୁତି ପାଇଁ ସେ ତାଙ୍କୁ ଅନେକ ଇ-ମେଲ ମଧ୍ୟ କରିଥିଲେ । ଏଠାରେ ଅନୁଷ୍ଠିତ ଏକ ସମ୍ମିଳନୀରେ ସେ କହିଛନ୍ତି ଯେ କେବଳ ସେ ନୁହେଁ, କାଶ୍ମୀରର ଅନେକ ବନ୍ଧୁ ଏହି ରିପୋର୍ଟ ପ୍ରସ୍ତୁତିରେ ସାହାଯ୍ୟ କରିଥିଲେ । ସେ ଅଲ ହୁସେନଙ୍କୁ ବ୍ୟକ୍ତିଗତ ଭାବେ ଇ-ମେଲ କରିଥିଲେ ଓ ସେ ତାହାର ଜବାବ ଦେଇଥିଲେ । ଏହି ଲବି ପାଇଁ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ସହାୟତା କରିଥିଲା ବୋଲି ସେ ସ୍ୱୀକାର କରିଛନ୍ତି । ଗତ ଜୁନ ୧୪ରେ ଜାତିସଂଘ ନିଜର ମାନବ ଅଧିକାର ରିପୋର୍ଟ ପ୍ରକାଶ କରି କାଶ୍ମୀରରେ ଭାରତୀୟ ସେନା ବ୍ୟାପକ ଦମନ ଲୀଳା ଚଳାଇଛି ବୋଲି କହିଥିଲା ।

ସମ୍ବନ୍ଧିତ ଖବର