ଦୋହା: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ୪ ଦିନିଆ ଅସ୍ତ୍ରବିରତି ଆଜି ମଧ୍ୟରାତ୍ରିରେ ଶେଷ ହେବାକୁ ଯାଉଛି। ସେପଟେ କତାରର ବୈଦେଶିକ ମନ୍ତ୍ରଣାଳୟ ଏକ ବଡ ଘୋଷଣା କରିଛି । ଏହି ଅସ୍ତ୍ରବିରତିକୁ ଦୁଇ ଦିନ ପାଇଁ ବୃଦ୍ଧି କରିବାକୁ ସହମତି ହୋଇଥିବା କତର କହିଛି ।
କାତାରର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ ଗାଜା ଉପତ୍ୟକାରେ ମାନବିକ ଅସ୍ତ୍ରବିରତି ବୃଦ୍ଧି ପାଇଁ ଏକ ଚୁକ୍ତି ହୋଇଛି। ଏବେ ଏହାକୁ ଦୁଇ ଦିନ ପାଇଁ ବୃଦ୍ଧି କରାଯାଉଛି।
କତାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଜିଦ ଅଲ୍ ଅନସାରୀ କହିଛନ୍ତି, କତାର ରାଜ୍ୟ ଘୋଷଣା କରିଛି ଯେ, ଚାଲିଥିବା ମଧ୍ୟସ୍ଥତାର ଏକ ଅଂଶ ଭାବରେ ଗାଜା ଉପତ୍ୟକାରେ ମାନବିକ ଅସ୍ତ୍ରବିରତିକୁ ଅତିରିକ୍ତ ଦୁଇ ଦିନ ବୃଦ୍ଧି କରିବାକୁ ଏକ ଚୁକ୍ତି ହୋଇଛି।
ସୂଚନାଯୋଗ୍ୟ ଯେ, ୪ ଦିନ ତଳେ ଇସ୍ରାଏଲ ଓ ଗାଜା ମଧ୍ୟରେ ଅସ୍ତ୍ରବିରତି ଆରମ୍ଭ ହୋଇଥିଲା । ଏହି ସମୟରେ ଉଭୟ ପକ୍ଷର କିଛି କଛି ବନ୍ଦୀ ଓ ପଣବନ୍ଦୀଙ୍କୁ ମୁକ୍ତ କରିଥିଲେ । ଏହା ସହିତ ଗାଜାରେ ମାନବୀୟ ସହାୟତା ମଧ୍ୟ ପହଞ୍ଚିଥିଲା । ଏହି ୪ ଦିନିଆ ଅସ୍ତ୍ରବିରତିକୁ ପୁଣି ବୃଦ୍ଧି କରିବାକୁ ଆମେରିକା, ଇଜିପ୍ଟ ଓ କତର ଉଦ୍ୟମ କରୁଥିଲେ । ସେହିପରି କେତେକ ୟୁରୋପୀୟ ଦେଶମଧ୍ୟ ଏ ଦିଗରେ ଉଦ୍ୟମ କରୁଥିଲେ ।