ଗାଜାରେ ସାମରିକ ଅଭିଯାନ ବନ୍ଦ ପାଇଁ ଅସ୍ତ୍ରବିରତି ଘୋଷଣା କଲା ଇସ୍ରାଏଲ୍‌

ଗାଜା ସିଟି: ୧୧ ଦିନ ବ୍ୟାପୀ ହମାସ ଆତଙ୍କବାଦୀଙ୍କ ବିପକ୍ଷରେ ଚଳାଇ ଆସୁଥିବା ଆକ୍ରମଣର ଅବସାନ ଘଟାଇ ଗୁରୁବାର ବିଳମ୍ବିତ ରାତିରେ ଇସ୍ରାଏଲ୍‌ ଅସ୍ତ୍ରବିରତି ଘୋଷଣା କରିଛି।

ବିଳମ୍ବିତ ରାତ୍ରୀରେ ନିରାପତ୍ତା କ୍ୟାବିନେଟ୍‌ ସହ ବୈଠକ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏହି ଅସ୍ତ୍ରବିରତି ଘୋଷଣା କରିଛି। ହମାସ୍‌ ସଙ୍ଗଠନ ନିର୍ବିବାଦରେ ଇଜିପ୍ଟର ମଧ୍ୟସ୍ଥମାନେ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିବା ପରେ ଏ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି ବିବୃତିରେ ଉଲ୍ଲେଖ ଅଛି।

‘ମିଲିଟାରି ଚିଫ୍‌ ଅଫ୍‌ ଷ୍ଟାଫ୍‌’ ଏବଂ ଜାତୀୟ ନିରାପତ୍ତା ପରାମର୍ଶଦାତାଙ୍କ ସମେତ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଇଜିପ୍ଟର ପ୍ରସ୍ତାବ ଗ୍ରହଣ କରିବା ଲାଗି ସୁପାରିସ କରିଥିଲେ ବୋଲି ଉକ୍ତ ବିବୃତିରେ କୁହାଯାଇଛି।

ଇସ୍ରାଏଲ୍‌ର ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଞ୍ଜ୍‌ ଟୁଇଟ୍‌ କରି ଲେଖିଛନ୍ତି ଯେ, ସ୍ଥଳବିଶେଷର ବାସ୍ତବତା ଏହି ଅଭିଯାନର ପୁନରାରମ୍ଭ କଥା ର୍ଦ୍ଧାରଣ କରିବ।

Image Courtesy of Zee News

ସେପଟେ, ଅସ୍ତ୍ରବିରତି ଘୋଷିତ ହେବା ପରେ ଗାଜା ସହରରେ ଲୋକେ ଉତ୍ସବମୁଖର ହୋଇ ଉଠିଛନ୍ତି। ହମାସ୍‌ର ବରିଷ୍ଠ ସଦସ୍ୟ ଖଲିଲ୍‌ ଅଲ୍‌-ହୟା କହିଛନ୍ତି ଯେ, ଅସ୍ତ୍ରବିରତି ଉଲ୍ଲଂଘନ ଘୋଷଣା ହେଉଛି ନେତାନ୍ୟାହୁଙ୍କର ପରାଜୟ, ପାଲେଷ୍ଟାଇନୀୟଙ୍କର ବିଜୟ।

ସମ୍ପ୍ରତି ଅସ୍ତ୍ରବିରତି ଉଲ୍ଲଂଘନ ହେବାର ଆଶଙ୍କା କରି ଉଭୟ ପକ୍ଷ ଜାଗତିଆର ହୋଇ ଅଛନ୍ତି। ଯେଉଁ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହେବ ତା’ର ପାଲଟା ଜବାବ ଦିଆଯିବ ବୋଲି ଉଭୟ ଦେଶ କହୁଛନ୍ତି।

ଏହି ସଂଘର୍ଷ କାରଣରୁ ୬୫ଜଣ ପିଲା ଓ ୩୯ଜଣ ମହିଳାଙ୍କ ସମେତ ଅନ୍ୟୂନ ୨୩୦ଜଣ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି ଏବଂ ୧,୭୧୦ ଲୋକେ କ୍ଷତବିକ୍ଷତ ହୋଇଛନ୍ତି ବୋଲି ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

ସମ୍ବନ୍ଧିତ ଖବର