ତେଲ୍ ଅଭିଭ୍: ଇସ୍ରାଏଲ ଆଜି ସମଗ୍ର ଗାଜାକୁ ନିଜ ଅକ୍ତିଆରକୁ ନେବ ବୋଲି ଘୋଷଣା କରିବା ସହ ସବୁ ଅଂଚଳରେ ବଡ଼ ଧରଣର ସାମରିକ ଅଭିଯାନ ଆରମ୍ଭ କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର କହିଛନ୍ତି ଯେ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ସେନାର ଅଭିଯାନ ତ୍ବରାନ୍ବିତ ହୋଇଛି। ଗାଜାର ସମଗ୍ର ଅଂଶକୁ ନିଜ ନିୟନ୍ତ୍ରଣକୁ ନେବା ଆମର ଲକ୍ଷ୍ୟ ଏବଂ ଏହି ପ୍ରକ୍ରିୟା ଆମେ ଖୁବ୍ଶୀଘ୍ର ଶେଷ କରିବୁ ବୋଲି ନେତାନ୍ୟାହୁଙ୍କ ଘୋଷଣା ଗାଜାରେ ଆତଙ୍କ ଖେଳାଇ ଦେଇଛି। ଅନ୍ୟପକ୍ଷରେ ହମାସ୍ର ଗୁପ୍ତ ଆଡ଼ାଗୁଡ଼ିକରେ ଇସ୍ରାଏଲର ବାୟୁସେନାର ପ୍ରଚଣ୍ଡ ଆକ୍ରମଣ ଜାରି ରହିଛି।
ଇସ୍ରାଏଲ ସେନା ଗାଜାର ଦ୍ବିତୀୟ ବୃହତ୍ତମ ସହର ଖାନ୍ ୟୁନିସ୍ ଏବଂ ଏହାର ଆଖପାଖ ସହରର ବାସିନ୍ଦାଙ୍କୁ ଏହି ଅଞ୍ଚଳକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି। ସମଗ୍ର ଅଞ୍ଚଳ ଏକ ବିପଜ୍ଜନକ ଯୁଦ୍ଧ କ୍ଷେତ୍ର ଭାବେ ବିବେଚିତ ହେବ ଏବଂ ସେଠାରେ କୌଣସି ସାଧାରଣ ନାଗରିକ ରହିପାରିବେ ନାହିଁ ବୋଲି ନେତାନ୍ୟାହୁ କହିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ ସହଯୋଗୀ ରାଷ୍ଟ୍ରମାନଙ୍କ ଚାପରେ ଗାଜାକୁ ସହାୟତା ପୁନରୁଦ୍ଧାର କରିବାକୁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ଖୁବ୍ କମ ସମୟ ପାଇଁ। ଇସ୍ରାଏଲର ସହଯୋଗୀମାନେ ଗାଜାରେ ଅତି ଉତ୍କଟ ଖାଦ୍ୟାଭାବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଲୋକେ ଭୋକରେ ଛଟପଟ ହୋଇ ମରିବା ଗ୍ରହଣୀୟ ନୁହେଁ ବୋଲି ଅନେକ ରାଷ୍ଟ୍ର ଇସ୍ରାଏଲକୁ କହିଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲର ହମାସ୍ ବିରୋଧୀ ଅଭିଯାନରେ ୨ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଅଂଚଳ ଛାରଖାର ହୋଇଯାଇଛି। ନୂଆ ଅସ୍ତ୍ରବିରତି ଚୁକ୍ତିରେ ଇସ୍ରାଏଲର ସର୍ତ୍ତ ମାନିବା ପାଇଁ ହମାସକୁ ଇସ୍ରାଏଲ ଏବେ ବାଧ୍ୟ କରୁଛି। ଏଥିପାଇଁ ପ୍ରବଳ ଚାପ ପକାଇବା ନିମନ୍ତେ ଇସ୍ରାଏଲ ସେନାର ଭୀଷଣ ଆକ୍ରମଣ ଆରମ୍ଭ ହୋଇଯାଇଛି । ଇସ୍ରାଏଲ ସେନା ଏକ ବିବୃତିରେ କହିଛି ଯେ ସେନା ଗତ ସପ୍ତାହରେ ୪୦ରୁ ଅଧିକ ହମାସ ଆତଙ୍କୀ ନିପାତ କରିବା ସହ ୬୭୦ରୁ ଅଧିକ ଟାର୍ଗେଟ ନଷ୍ଟ କରିଛି। ଗାଜାର ସ୍ୱାସ୍ଥ୍ୟକର୍ମୀମାନେ କହିଛନ୍ତି ଯେ ଚଳିତ ଆକ୍ରମଣରେ ଶହ ଶହ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି।