ଗାଜା: ଗାଜାର ଖାନ୍ ୟୁନିସ୍ରେ ବିସ୍ଥାପିତଙ୍କ ଶିବିର ଉପରେ ଇସ୍ରାଏଲ ସେନା ଭୀଷଣ ବୋମାମାଡ଼ କରିଛି। ଆଜି ହୋଇଥିବା ବିମାନ ଆକ୍ରମଣରେ ଅତି କମ୍ରେ ୭୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ରୁ ଅଧିକ ଆହତ ହୋଇଛନ୍ତି। ହମାସ ଦ୍ୱାରା ପରିଚାଳିତ ଗାଜା ସରକାର ଏହି ଆକ୍ରମଣକୁ ଏକ ବୀଭତ୍ସ ହତ୍ୟାକାଣ୍ଡ ବୋଲି ବର୍ଣ୍ଣନା କରିବା ସହ ‘ନିରାପଦ ଅଞ୍ଚଳ’ ଘୋଷଣା ହୋଇଥିବା ସ୍ଥାନ ଉପରେ ଏଭଳି ବୋମାବର୍ଷା ବଡ଼ ଧରଣର ଯୁଦ୍ଧ ଅପରାଧ ବୋଲି କହିଛି। ମୃତକଙ୍କ ମଧ୍ୟରେ ବେସାମରିକ ଜରୁରୀକାଳୀନ ସେବାର ସଦସ୍ୟ ମଧ୍ୟ ଅଛନ୍ତି। ଖାନ୍ ୟୁନିସ୍ ବିସ୍ଥାପିତଙ୍କ କ୍ୟାମ୍ପ ଉପରେ ବୋମାମାଡ଼ କରି ଇସ୍ରାଏଲ ସେନା ବଡ଼ ଧରଣର ଆତଙ୍କ ସୃଷ୍ଟି କରିଥିବା ବେଳେ ଜାତିସଂଘ ଏ ନେଇ ଉଦ୍ବେଗ ପ୍ରକାଶ କରିଛି। ବିସ୍ଥାପିତଙ୍କ ଶିବିର, ହସ୍ପିଟାଲ, ବିଭିନ୍ନ ସ୍କୁଲ୍ରେ ଚାଲିଥିବା ଅସ୍ଥାୟୀ ଶିବିର ଉପରେ ତୁହାକୁ ତୁହା ବୋମାମାଡ଼ ଭୟାନକ ସ୍ଥିତି ସୃଷ୍ଟି କରିଛି।
ବିଭିନ୍ନ ବେସାମରିକ ଜରୁରୀକାଳୀନ ସେବାର ସଦସ୍ୟଙ୍କୁ ମଧ୍ୟ ଟାର୍ଗେଟ୍ କରାଯାଉଥିବାରୁ ଅତି ସାଂଘାତିକ ମାନବୀୟ ସଙ୍କଟ ସୃଷ୍ଟି ହୋଇଛି। ହସ୍ପିଟାଲକୁ ଆହତମାନଙ୍କୁ ପଠାଇବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଗାଜା ସରକାରୀ ଗଣମାଧ୍ୟମ କହିଛି ଯେ ଇସ୍ରାଏଲ ସେନା ୪୦ରୁ ଅଧିକ ଶିବିରକୁ ଟାର୍ଗେଟ୍ କରି ଦୁଇ ସପ୍ତାହ ମଧ୍ୟରେ ୨ ଶହରୁ ଅଧିକ ଲୋକଙ୍କ ଜୀବନ ନେଇଛି। ଇସ୍ରାଏଲ-ହମାସ ଯୁଦ୍ଧରେ ଅତି କମରେ ୩୮,୩୪୫ ଲୋକ ପ୍ରାଣ ହରାଇଛନ୍ତି। ଅକ୍ଟୋବର ୭ରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଗାଜାରେ ଲକ୍ଷାଧିକ ଲୋକ ଆହତ ହେଲେଣି।