ନୂଆଦିଲ୍ଲୀ: ଭାରତ ସରକାର ଇସ୍ରାଏଲ ସହିତ କରିଥିବା ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତିକୁ ରଦ୍ଦ କରିଛନ୍ତି। ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ‘ସ୍ପାଇକ୍’ କ୍ରୟ କରିବା ପାଇଁ ଇସ୍ରାଏଲୀ କମ୍ପାନି ସହ ଭାରତ ୫ ଶହ ନିୟୁତ ଡଲାରର ଚୁକ୍ତି ସଂପନ୍ନ କରିଥିବା ବେଳେ ଆଜି ସରକାର ଏ ବାବଦ ଚୁକ୍ତିକୁ କୌଣସି କାରଣରୁ ରଦ୍ଦ କରିଦେଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଜାନୁଆରି ୧୪ ତାରିଖରେ ଆସୁଥିବା ବେଳେ ଏହି ଗସ୍ତ ପୂର୍ବରୁ ଭାରତର ଏଭଳି ନିଷ୍ପତ୍ତି ନେଇ ସ୍ପାଇକ୍ କ୍ଷେପଣାସ୍ତ୍ର ନିର୍ମାଣକାରୀ ସଂସ୍ଥା ରାଫେଲ୍ ଦୁଃଖ ପ୍ରକାଶ କରିଛି। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ଚୁକ୍ତିକୁ ରଦ୍ଦ କରାଯିବା ନେଇ ଆନୁଷ୍ଠାନିକ ଭାବେ ଜଣାଇ ଦିଆଯାଇଛି ବୋଲି ରାଫେଲ କମ୍ପାନି ପ୍ରବକ୍ତା ଇସାହି ଡେଭିଡ୍ କହିଛନ୍ତି। ଟ୍ୟାଙ୍କ ବିଧ୍ୱଂସୀ ଗାଇଡେଡ କ୍ଷେପଣାସ୍ତ୍ର ସ୍ପାଇକ୍କୁ ଏବେ ୨୬ଟି ରାଷ୍ଟ୍ର ବ୍ୟବହାର କରୁଥିବା ବେଳେ ବ୍ୟାପକ ପରୀକ୍ଷା ନିରୀକ୍ଷା ପରେ ଏହି ଚୁକ୍ତି ସଂପାଦିତ ହୋଇଥିଲା। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିକୁ କେଉଁ ଆଧାରରେ ଏବଂ କାହିଁକି ରଦ୍ଦ କରାଗଲା ସେ ସଂପର୍କରେ ଭାରତ କିଛି ସ୍ପଷ୍ଟ କରିନାହିଁ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଜାନୁଆରି ୧୪ ତାରିଖରୁ ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ନେତାନ୍ୟାହୁଙ୍କ ସହିତ ରାଫେଲ ସଂସ୍ଥାର ସିଇଓ ମଧ୍ୟ ଭାରତ ଆସୁଥିବା ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୧୭ରେ ଐତିହାସିକ ଇସ୍ରାଏଲ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ଖୁବ୍ ନିବିଡ଼ ହୋଇଥିଲା। ତେବେ ଭାରତ ପାଲେଷ୍ଟାଇନ୍ ସହ ତା’ର ପୂର୍ବ ସଂପର୍କ ଯଥାରୀତି ରଖିବା ପାଇଁ ନିଷ୍ପତ୍ତି ନେଇଥିଲା। ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ ଏକ ଅତ୍ୟନ୍ତ ବିବାଦୀୟ ନିଷ୍ପତ୍ତି ନେଇ ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ଭାବେ ଘୋଷଣା କରିଥିଲେ। କିନ୍ତୁ ଜାତିସଂଘରେ ଏହି ପ୍ରସ୍ତାବକୁ ଭାରତ ବିରୋଧ କରି ପାଲେଷ୍ଟାଇନ୍ ସପକ୍ଷରେ ଭୋଟ୍ ଦେଇଥିଲା।
ଇସ୍ରାଏଲ ସହିତ ୫୦୦ ନିୟୁତ ଡଲାରର ପ୍ରତିରକ୍ଷା ଚୁକ୍ତି ରଦ୍ଦ
/sambad/media/post_attachments/wp-content/uploads/2018/01/15-india-israel-flag.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)