ଇସ୍ରାଏଲରୁ ୨୦୦ଟି ସ୍ପାଇକ ମିସାଇଲ ସିଷ୍ଟମ କିଣିଲା ଭାରତୀୟ ସେନା

ନୂଆଦିଲ୍ଲୀ : ଭାରତୀୟ ସେନା ଅର୍ଡର ଦେଇଥିବା ମାରାତ୍ମକ ସ୍ପାଇକ୍‌ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ (ଏଟିଡିଏମ)ର ଡେଲିଭରୀ ସଂପୂର୍ଣ୍ଣ କରିଛି ଇସ୍ରାଏଲ କମ୍ପାନି ରାଫେଲ ଆଡଭାନ୍ସଡ ଡିଫେନ୍ସ ସିଷ୍ଟମ୍ସ । ଏ ସଂପର୍କରେ କମ୍ପାନିର ଭାରତ ମୁଖ୍ୟ ଏଲି ହେଫେଟ ସୂଚନା ଦେଇଛନ୍ତି ।
୩ ମାସ ତଳେ ଭାରତୀୟ ସେନା ଜରୁରୀକାଳୀନ ଭିତ୍ତିରେ ପ୍ରାୟ ୨୦୦ ସ୍ପାଇକ ମିସାଇଲ ସିଷ୍ଟମର ଅର୍ଡର ଦେଇଥିଲା । ବିଶେଷକରି ଅଗଷ୍ଟ ମାସରେ କଶ୍ମୀରରୁ ଧାରା ୩୭୦ ଉଠିବା ପରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ ଭାରତୀୟ ସେନା ଏଗୁଡ଼ିକୁ ମଗାଇଥିଲା ।

ଏହି ମିସାଇଲର ବିଶେଷତ୍ୱ ହେଉଛି ଏହା ବିଶ୍ୱର ସବୁଠୁ ମାରାତ୍ମକ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ । ଏହାର ମାରକ କ୍ଷମତା ସର୍ବାଧିକ ୨୫ କିଲୋମିଟର । ଏହାକୁ ଜଣେ ସୈନିକ କାନ୍ଧରେ ବୋହି ଫାୟାର କରିପାରିବ । ବିଶ୍ୱର ସବୁପ୍ରକାରର ଅତ୍ୟାଧୁନିକ ଟ୍ୟାଙ୍କକୁ ଧ୍ୱଂସ କରିବାକୁ ଏହା ସକ୍ଷମ । ବିଶ୍ୱର ଅଳ୍ପ କେତେକ ଦେଶକୁ ହିଁ ଇସ୍ରାଏଲ ଏହି ମିସାଇଲ ହସ୍ତାନ୍ତର କରିଛି । ଭାରତୀୟ ସେନା ପାଖକୁ ଆସିବାପରେ ଏହା ପାକିସ୍ତାନୀ ଟ୍ୟାଙ୍କ ବାହିନୀ ପାଇଁ ଘାତକ ସାବ୍ୟସ୍ତ ହେବ । ଚୀନ ପାକିସ୍ତାନକୁ ଅତ୍ୟାଧୁନିକ ଭିଟି-୪ ଯୁଦ୍ଧ ଟ୍ୟାଙ୍କ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଭାରତର ଏହି ନିଷ୍ପତ୍ତି ବେଶ ଗୁରୁତ୍ୱ ବହନ କରୁଛି । ମୁଖ୍ୟତଃ ଭାରତକୁ ଟାର୍ଗେଟ କରିବାକୁ ପାକିସ୍ତାନ ଏହି ଟ୍ୟାଙ୍କ ଆଣୁଛି । ଏଣୁ ସ୍ପାଇକ ମିସାଇଲ ମାଧ୍ୟମରେ ଏସବୁ ଟ୍ୟାଙ୍କଗୁଡ଼ିକୁ ଧ୍ୱଂସ ଯୋଜନା କରୁଛି ଭାରତ ।

ସମ୍ବନ୍ଧିତ ଖବର