ତେଲ୍ ଅଭିଭ୍: ହମାସ-ଇସ୍ରାଏଲ ମଧ୍ୟରେ ଘୋଷଣା ହୋଇଥିବା ଯୁଦ୍ଧବିରତିର ଆଜି ଅଚାନକ ଅବସାନ ଘଟିଛି ଏବଂ ମଧ୍ୟପ୍ରାଚ୍ୟରେ ପୁଣି ଅସ୍ଥିରତା ଓ ଉତ୍ତେଜନା ବଢ଼ିଯାଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଗାଜା ଷ୍ଟ୍ରିପ୍ରେ ଆତଙ୍କୀ ସଙ୍ଗଠନ ହମାସର ଟାର୍ଗେଟ୍ଗୁଡ଼ିକ ଉପରେ ବଡ଼ ଆକ୍ରମଣ ଆରମ୍ଭ କରିବାକୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍)କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହା ତତ୍କାଳ କାର୍ଯ୍ୟକାରୀ ମଧ୍ୟ ହୋଇଛି। ‘ଆମେରିକା ମଧ୍ୟସ୍ଥତାରେ ୧୦ ଅକ୍ଟୋବରରୁ ଲାଗୁ ହୋଇଥିବା ଯୁଦ୍ଧବିରତିକୁ ହମାସ ଉଲ୍ଲଙ୍ଘନ କରିଥିବାରୁ ଆମେ ଏଭଳି ପଦକ୍ଷେପ ନେଇଛୁ ଏବଂ ଯୁଦ୍ଧବିରତିର ଅବସାନ ଘଟାଇଛୁ’ ବୋଲି ନେତାନ୍ୟାହୁ କହିଛନ୍ତି। ଇସ୍ରାଏଲର ପୁନଃଯୁଦ୍ଧକୁ ନେଇ ଆରବ ରାଷ୍ଟ୍ରମାନେ ଚିନ୍ତିତ ହୋଇପଡ଼ିଛନ୍ତି ଏବଂ ଗାଜାକୁ ନେଇ ପରବର୍ତ୍ତୀ ରଣନୀତି କ’ଣ ହେବ ସେ ନେଇ ମନ୍ଥନ ଆରମ୍ଭ ହୋଇଯାଇଛି। କତର, ସାଉଦି ଆରବ, ଇଜିପ୍ଟ ଓ ଇରାନ ଆଦି ରାଷ୍ଟ୍ର ଏ ବାବଦରେ ଖୁବ୍ଶୀଘ୍ର ଏକ ବୈଠକରେ ମିଳିତ ହୋଇପାରନ୍ତି ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଯୁଦ୍ଧବିରତି ପରେ ହମାସ ନିଜର ଘାତକ ଶକ୍ତି ବୃଦ୍ଧି ପାଇଁ ତତ୍କାଳ ପ୍ରୟାସ ଆରମ୍ଭ କରିବାରୁ ନେତାନ୍ୟାହୁ ଏଥିରେ କ୍ଷୁବ୍ଧ ହୋଇଥିଲେ। ଏ ବାବଦରେ ଗୁଇନ୍ଦା ସଂସ୍ଥାର ରିପୋର୍ଟକୁ ଦୃଷ୍ଟିରେ ରଖି ଇସ୍ରାଏଲ ଯୁଦ୍ଧବିରତିର ପରିସମାପ୍ତି ଘଟାଇଥିବା କୁହାଯାଉଛି। ନିକଟରେ ୨୮ ଜଣ ଇସ୍ରାଏଲୀ ବନ୍ଦୀଙ୍କ ମଧ୍ୟରୁ ୧୬ ଜଣଙ୍କ ମୃତଦେହ ହମାସ ହସ୍ତାନ୍ତର କରିଥିବା ବେଳେ ଇସ୍ରାଏଲର ଫରେନ୍ସିକ୍ ବିଶେଷଜ୍ଞମାନେ ଯାଞ୍ଚରୁ ଜାଣିପାରିଥିଲେ ଯେ ଏକ ଭୁଲ୍ ମୃତଦେହ ଜାଣିଶୁଣି ଦିଆଯାଇଛି। ଏହା ସହିତ ଗାଜାରେ ରିଲିଫ୍ ନିୟନ୍ତ୍ରଣ ପାଇଁ ହମାସର ଉଦ୍ୟମ ମଧ୍ୟ ଇସ୍ରାଏଲର ଅଡ଼ୁଆ ବଢ଼ାଇଥିଲା। ଆଜି ନେତାନ୍ୟାହୁ ସୁରକ୍ଷା ଉପଦେଷ୍ଟାମାନଙ୍କ ସହ ଜରୁରୀ ବୈଠକ ପରେ ଗାଜା ଉପରେ ତୀବ୍ର ଆକ୍ରମଣ ଅନୁମତି ଦେଇଛନ୍ତି। ଆଇଡିଏଫ୍ ଗାଜାରେ ହମାସ ଅସ୍ତ୍ରଶସ୍ତ୍ର ଗୋଦାମ ଓ ସୁଡ଼ଙ୍ଗଗୁଡ଼ିକୁ ଲକ୍ଷ୍ୟ କରି ବୋମାମାଡ଼ ଆରମ୍ଭ କରିଦେଇଛି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଆକ୍ରମଣରେ ୧୨ ଜଣ ପାଲେଷ୍ଟାଇନ ନାଗରିକ ନିହତ ହୋଇଛନ୍ତି । ସୂଚନାଯୋଗ୍ୟ, ୨୦୨୩ ଅକ୍ଟୋବର ୭ରେ ହମାସ ଆକ୍ରମଣରେ ୧,୨୦୦ ଇସ୍ରାଏଲୀ ନାଗରିକ ନିହତ ହୋଇଥିଲେ ଏବଂ ୨୫୧ ଜଣଙ୍କୁ ପଣବନ୍ଦୀ କରାଯାଇଥିଲା। ଏବେ ବି ଗାଜାରେ ୧୦୦ରୁ ଅଧିକ ବନ୍ଦୀ ରହିଥିବା ଅନୁମାନ କରାଯାଉଛି। ଏଭଳି ସ୍ଥିତିରେ ହମାସକୁ ମୂଳପୋଛ କରିବା ଅପରିହାର୍ଯ୍ୟ ବୋଲି ନେତାନ୍ୟାହୁ ଘୋଷଣା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/29/gfgfg321-2025-10-29-02-55-17.jpg)