ତେଲ ଅଭିଭ୍: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ କତର ଗୁରୁବାର ଏକ ବଡ଼ ଘୋଷଣା କରିଛି। ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର (ନଭେମ୍ବର ୨୪) ଠାରୁ ଅସ୍ତ୍ରବିରତି ଆରମ୍ଭ ହେବ ଓ ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ବନ୍ଦୀମାନଙ୍କୁ ମୁକ୍ତ କରାଯିବ ବୋଲି କତର ପକ୍ଷରୁ କୁହାଯାଇଛି ।

Advertisment

କତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଜେଦ ଅଲ୍ ଅନସାରୀ କହିଛନ୍ତି, ଶୁକ୍ରବାର ସ୍ଥାନୀୟ ସମୟ ସକାଳ ୭ଟାରୁ ଅସ୍ତ୍ରବିରତି ଆରମ୍ଭ ହେବ। ବନ୍ଦୀମାନଙ୍କୁ ସ୍ଥାନୀୟ ସମୟ ଅପରାହ୍ନ ୪ଟାରେ ମୁକ୍ତ କରାଯିବ। ଏଥିରେ ଶିଶୁ ଓ ମହିଳାଙ୍କୁ ମିଶାଇ ୧୩ ଜଣଙ୍କୁ ମୁକ୍ତ କରାଯିବ।

ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦକୁ ମୁକ୍ତ ହେବାକୁ ଥିବା ବନ୍ଧକଙ୍କ ତାଲିକା ହସ୍ତାନ୍ତର କରାଯାଇଛି ବୋଲି ମାଜେଦ ଅଲ-ଅନସାରୀ କହିଛନ୍ତି। ଏହା ସହ ଅକ୍ଟୋବର ୭ତାରିଖରୁ ଆରମ୍ଭ ହୋଇଥିବା ଇସ୍ରାଏଲ ଓ ହମାସ ମଧ୍ୟରେ ପ୍ରଥମ ଥର ପାଇଁ ଯୁଦ୍ଧ ଶେଷ ହେବ। ତେବେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଗୁରୁବାରଠାରୁ ଅସ୍ତ୍ରବିରତି ଆରମ୍ଭ ହେବାର ଥିଲା, କିନ୍ତୁ ତାହା ହୋଇପାରିନଥିଲା।

ଇସ୍ରାଏଲ ଓ ହମାସ ୪ ଦିନିଆ ଅସ୍ଥାୟୀ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ। ଏହି ଚୁକ୍ତି ଅନୁଯାୟୀ ଇସ୍ରାଏଲ ୧୫୦ ଜଣ ପାଲେଷ୍ଟାଇନ୍ କଏଦୀଙ୍କୁ ମୁକ୍ତ କରିବା ବଦଳରେ ହମାସ ୫୦ ଜଣ ବନ୍ଧକଙ୍କୁ ମୁକ୍ତ କରିବ। କତାର, ଇଜିପ୍ଟ ଓ ଆମେରିକା ର ମଧ୍ୟସ୍ଥତାରେ ହୋଇଥିବା ଏହି ଚୁକ୍ତିକୁ ଇସ୍ରାଏଲ କ୍ୟାବିନେଟ ୩୫-୩ ଭୋଟରେ ଅନୁମୋଦନ କରିଥିଲା ।