ଗାଜା: ଇସ୍ରାଏଲ  ଓ  ହମାସ ମଧ୍ୟରେ ଆମେରିକା ମଧ୍ୟସ୍ଥତାରେ  ଯୁଦ୍ଧବିରତି ଆରମ୍ଭ ହେବାର ମାତ୍ର  ଦିନକ ପରେ ଗାଜାରେ ନୂଆ ହିଂସା ଦେଖାଦେଇଛି। ଏହି ଯୁଦ୍ଧବିରତି ଦୀର୍ଘ ଦୁଇ ବର୍ଷର ସଂଘର୍ଷକୁ ଶେଷ କରିବା ଲାଗି ଉଦ୍ଦିଷ୍ଟ ଥିବା ବେଳେ ପୁଣି ସାନି ହିଂସା ଚିନ୍ତା ବଢ଼ାଇଛି। ଆଜି କିଛି ବ୍ୟକ୍ତି ଇସ୍ରାଏଲ ସେନା ଉପରେ ଯୋଜନାବଦ୍ଧ ଆକ୍ରମଣ ଉଦ୍ୟମ କରିଥିଲେ ଏବଂ ଏହା ପରେ ସେନା ୨ଟି ସ୍ଥାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏଥିରେ ୬ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି।  

Advertisment

ଇସ୍ରାଏଲ ସେନା କହିଛି ଯେ ଉତ୍ତର ଗାଜାରେ କିଛି  ସନ୍ଦିଗ୍ଧ ବ୍ୟକ୍ତି ହଠାତ ଗୁଳିମାଡ଼ ଆରମ୍ଭ କରିଥିଲେ ଏବଂ ଏହା ସେନା ପାଇଁ ବିପଦ ସୃଷ୍ଟି କରିବାରୁ ତୁରନ୍ତ ଜବାବ ଦିଆଯାଇଥିଲା।  ଅନ୍ୟପକ୍ଷରେ, ଗାଜାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ କହିଛନ୍ତି ଯେ  ଇସ୍ରାଏଲୀ ସେନା ଦୁଇଟି ପୃଥକ ଘଟଣାରେ ଗାଜାରେ ଅତି କମରେ ୬ ଜଣ  ନାଗରିକଙ୍କୁ ବିନା ଉତ୍ତେଜନାରେ ହତ୍ୟା କରିଛି। ଏହି ଘଟଣା ସମ୍ପର୍କରେ ଅଧିକ ତଥ୍ୟ କିମ୍ବା ମୃତକମାନଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଯୁଦ୍ଧବିରତିକୁ ଏକ ଐତିହାସିକ ସଫଳତା ଭାବେ ଘୋଷଣା କରି ଗତକାଲି କହିଥିଲେ,   ‘ଦୁଇ ବର୍ଷର ଯୁଦ୍ଧ ଯାହା ପଶ୍ଚିମ ଏସିଆକୁ ଅସ୍ଥିର କରିଥିଲା, ତାହାର ଅନ୍ତ ଘଟିଛି।’ କିନ୍ତୁ ଏହି ନୂଆ ହିଂସା ଯୁଦ୍ଧବିରତିର ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଉଠାଇଛି। ଉଭୟ ପକ୍ଷ  ଚୁକ୍ତି ଉଲ୍ଲଂଘନ କରୁଥିବା କେତେକ ମାନବାଧିକାର ଗୋଷ୍ଠୀ ଅଭିଯୋଗ କରିଛନ୍ତି। ଆଜିର ଘଟଣା ଗାଜାରେ ଶାନ୍ତି ସ୍ଥାପନ ଏକ ଜଟିଳ ପ୍ରକ୍ରିୟା ବୋଲି ପୁଣିଥରେ ପ୍ରମାଣିତ କରିଛି।