ଏକ ବଡ଼ ଯୁଦ୍ଧ ଆଡ଼କୁ ମୁହାଁଇଛି ଇସ୍ରାଏଲ-ହମାସ୍ ଲଢେଇ

ତେଲ ଅଭିଭ : ପୁଣି ଅଶାନ୍ତ ହୋଇଉଠିଛି ମଧ୍ୟପ୍ରାଚ୍ୟ । ଇସ୍ରାଏଲ ଓ ପାଲେଷ୍ଟାଇନର ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଲଢେଇ ଏକ ବଡ଼ ଯ଼ୁଦ୍ଧରେ ପରିଣତ ହେବାର ଆଶଙ୍କା ଦେଖାଦେଇଛି । ଏହି ଲଢେଇରେ ମୃତ୍ୟୁସଂଖ୍ୟା ବଢିଚାଲିଥିବାବେଳେ ଜାତିସଂଘ ପକ୍ଷରୁ ଚିନ୍ତା ପ୍ରକଟ କରାଯ଼ାଇଛି ।
ଗୋଟିଏ ପଟେ ହମାସ ପକ୍ଷରୁ ଇସ୍ରାଏଲର ବିଭିନ୍ନ ସହର ଉପରେ ଘନଘନ ରକେଟ ମାଡ଼ କରାଯ଼ାଉଥିବାବେଳେ ଇସ୍ରାଏଲ ବାୟୁସେନା ପକ୍ଷରୁ ଗାଜାର ବିଭିନ୍ନ ଅଂଚଳ ଉପରେ ବୋମା ବର୍ଷଣ କରାଯ଼ାଇଛି । ଗାଜାରେ ଥିବା ପାଲେଷ୍ଟାଇନ ସୁରକ୍ଷା ବାହିନୀ ମୁଖ୍ୟାଳୟ, ପୁଲିସ ମୁଖ୍ୟାଳୟ ଓ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ବୋମା ବର୍ଷଣ କରାଯ଼ାଇଛି । ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଏପର୍ୟ଼୍ୟନ୍ତ ଇସ୍ରାଏଲ ବିମାନ ଆକ୍ରମଣରେ ଗାଜରେ ପ୍ରାୟ ୫୩ ଜଣ ମୃତ୍ୟୁବରଣ କରିସାରିଲେଣି ଓ ପ୍ରାୟ ୩୦୦ରୁ ଅଧିକ ଆହତ ହୋଇଛନ୍ତି ।
ଅନ୍ୟପକ୍ଷରେ ହମାସ ପକ୍ଷରୁ ଇସ୍ରାଏଲର ବିଭିନ୍ନ ସହର, ସାମରିକ ପ୍ରତିଷ୍ଠାନ, ବନ୍ଦର, ଶକ୍ତିକେନ୍ଦ୍ରକୁ ଲକ୍ଷ୍ୟକରି ରକେଟ ନିକ୍ଷେପ କରାଯ଼ାଉଛି । ଏପର୍ୟ଼୍ୟନ୍ତ ପ୍ରାୟ ୧୫୦୦ ରକେଟ ମାଡ କରାଯ଼ାଇଥିବା ଇସ୍ରାଏଲ ପକ୍ଷରୁ କୁହାଯ଼ାଇଛି । ତେବେ ଇସ୍ରାଏଲର ବାୟୁ ସୁରକ୍ଷା ବ୍ୟବସ୍ଥା ଆଇରନ ଡୋମ ଅନେକ ରକେଟକୁ ଆକାଶରେ ହିଁ ନଷ୍ଟ କରିଦେଉଥିବା ଇସ୍ରାଏଲ କହିଛି ।

 

ସମ୍ବନ୍ଧିତ ଖବର