ନୂଆଦିଲ୍ଲୀ: ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଅଭୂତପୂର୍ବ ଓ ଅତର୍କିତ ଆକ୍ରମଣ କରି ୧୪୦୦ରୁ ଅଧିକ ଇସ୍ରାଏଲବାସୀଙ୍କୁ  ହାମାସ ଆତଙ୍କବାଦୀମାନେ ହତ୍ୟା କରିଥିବା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।

Advertisment

ତେବେ ଏହି ଘଟଣା ପରେ ଆତଙ୍କବାଦୀମାନଙ୍କର ବର୍ବରତାର ଅନେକ ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା। ଇସ୍ରାଏଲ ପୁଲିସ ଏହି ଆକ୍ରମଣ ଘଟଣାରେ ସାମିଲ ଥିବା ଅନେକ ହାମାସ ଆତଙ୍କବାଦୀଙ୍କୁ ଗିରଫ କରିଛି।

ଗିରଫ ପରେ ପୁଲିସ ଆତଙ୍କବାଦୀଙ୍କୁ ପଚରାଉଚରା କରିଥିଲା। ଏହି ସମୟର କିଛି ଭିଡିଓ ପୁଲିସ ସୋସିଆଲ ମିଡିଆରେ ପୋଷ୍ଟ କରିଛି।

ଏହି ପଚରାଉଚରା ସମୟରେ ଆତଙ୍କବାଦୀମାନେ ପୁଲିସ ସମ୍ମୁଖରେ କହିଥିଲେ କି, ‘ଲୋକଙ୍କ ଉପରକୁ ଗୁଳି କରିବା ସହିତ ଲୋକଙ୍କୁ ବନ୍ଦୀ କରି ଆଣିବା ପାଇଁ ଆମକୁ ମୋଟାଅଙ୍କର ରାଶି ଅର୍ଥାତ ଜଣଙ୍କୁ ବନ୍ଦୀ କରି ଆଣିଲେ ୧୦ହଜାର ଡଲାର ଓ ନୂଆ ଘର ଦିଆଯିବ ବୋଲି ପ୍ରତିଶ୍ରୃତି ଦିଆଯାଇଥିଲା।

ଇସ୍ରାଏଲ ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ଜଣେ ହାମାସ ଆତଙ୍କବାଦୀର ହାତରେ ହାତକଡ଼ି ପଡ଼ିଥିବା ଦେଖିବାକୁ ମିଳୁଛି। ଏହି ଆତଙ୍କବାଦୀ ଜଣକ ପୁଲିସକୁ କହୁଛି କି, ‘ମୋତେ ଇସ୍ରାଏଲ ନାଗରିକଙ୍କ ହତ୍ୟା ଆଦେଶ ଦିଆଯାଇଥିଲା। ବିଶେଷ ଭାବେ ମହିଳା, ଶିଶୁ ଓ ବୃଦ୍ଧ‌ଲୋକଙ୍କୁ ବନ୍ଦୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏଥିସହିତ ଭିଡିଓରେ ଆଉ ଜଣେ ଆତଙ୍କବାଦୀଙ୍କୁ ଦେଖିବାକୁ ମିଳୁଛି। ଯିଏ କହୁଛି କି, ‘ଘରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିବାକୁ ଆମକୁ କୁହାଯାଇଥିଲା। ଯିଏବି ଗାଜାରେ ଲୋକଙ୍କୁ ବନ୍ଦୀ କରି ଆଣିବ ତାଙ୍କୁ ପୁରସ୍କାର ଦିଆଯିବ। ଏହି ପୁରସ୍କାର ରାଶିରେ ଆମକୁ ୧୦ହଜାର ଆମେରିକୀୟ ଡଲାର ଓ ନୂଆଘର ଦେବାକୁ କୁହାଯାଇଥିଲା।