ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧକୁ ଆଉ ମାତ୍ର ୩ ଦିନ ପରେ ମାସେ ପୂରିବ। ଆକ୍ରମଣ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଗତକାଲି ଇସ୍ରାଏଲ ସେନା ଏକ ଆମ୍ବୁଲାନ୍ସକୁ ଟାର୍ଗେଟ୍ କରି ଆକ୍ରମଣ କରିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଇସ୍ରାଏଲ ବାୟୁସେନା ଏକ ସ୍କୁଲ୍ରେ ଚାଲିଥିବା ଜାତିସଂଘ ପରିଚାଳିତ ରିଲିଫ୍ ଶିବିର ଉପରେ ଆକ୍ରମଣ କରିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଇତିମଧ୍ୟରେ ଆମେରିକାର ଯୁଦ୍ଧବିରତି ଅନୁରୋଧକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରତ୍ୟାଖ୍ୟାନ କରିବା ସହ କହିଛନ୍ତି, ହମାସ ଗୋଷ୍ଠୀ ପଣବନ୍ଦୀଙ୍କୁ ନଛାଡ଼ିବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ।
ଇସ୍ରାଏଲ ଗସ୍ତରେ ଥିବା ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି, ଗାଜାକୁ ମାନବୀୟ ସହାୟତା ତ୍ବରାନ୍ବିତ କରିବାପାଇଁ ସେ ନେତାନ୍ୟାହୁଙ୍କ ସହ ଯୁଦ୍ଧବିରତି ପ୍ରସଙ୍ଗରେ ଆଲୋଚନା କରିଥିଲେ। କିନ୍ତୁ ନେତାନ୍ୟାହୁ ଏହାକୁ ପ୍ରତ୍ୟାଖ୍ୟାନ କରିଥିବା ସେ କହିଛନ୍ତି। ଇତିମଧ୍ୟରେ ଆଇଡିଏଫ୍ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ଗତକାଲି ରାତିସାରା ଗାଜାରେ ଏହାର ଅପରେସନ୍ ଜାରି ରଖିଛି ଏବଂ ଅନେକ ହମାସ ଆଡ଼ାସ୍ଥଳକୁ ଟାର୍ଗେଟ୍ କରି ଆକ୍ରମଣ କରିଛି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଉତ୍ତର ଗାଜାରୁ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିଆଯାଉଥିବାବେଳେ ଇସ୍ରାଏଲ ଏହି ଆମ୍ବୁଲାନ୍ସ ଉପରେ ଆକ୍ରମଣ କରିଥିଲା। ଫଳରେ ୧୫ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୬୦ ଲୋକ ଆହତ ହୋଇଛନ୍ତି। କିନ୍ତୁ ଇସ୍ରାଏଲ ସେନା ଦାବି କରିଛି ଯେ ଏହା ହମାସ ଆତଙ୍କବାଦୀଙ୍କ ଦ୍ବାରା ବ୍ୟବହୃତ ଆମ୍ବୁଲାନ୍ସ ଉପରେ ଆକ୍ରମଣ କରିଛି। ହମାସ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଆମ୍ବୁଲାନ୍ସ ବ୍ୟବହାର କରୁଥିବା ଇସ୍ରାଏଲ ଦାବି କରିଛି। ଇସ୍ରାଏଲ ସେନା ମଧ୍ୟ ଏନେଇ ପ୍ରମାଣ ଜାରି କରିବ ବୋଲି ଇସ୍ରାଏଲ କହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ ଆଦନମ କହିଛନ୍ତି, ରୋଗୀଙ୍କୁ ନେବା ଆଣିବା କରୁଥିବା ଆମ୍ବୁଲାନ୍ସ ଉପରେ ଆକ୍ରମଣ ଖବରରେ ଆମେ ବିସ୍ମିତ। ରୋଗୀ, ସ୍ବାସ୍ଥ୍ୟ କର୍ମୀ, ସ୍ବାସ୍ଥ୍ୟ ସେବା କେନ୍ଦ୍ର ଏବଂ ଆମ୍ବୁଲାନ୍ସକୁ ସବୁ ସମୟରେ ସୁରକ୍ଷା ଦେବା ଉଚିତ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଆରବ ନେତାମାନେ ତୁରନ୍ତ ଯୁଦ୍ଧବିରତି ପାଇଁ ଦାବି କରିଛନ୍ତି।
ବ୍ଲିଙ୍କେନ୍ଙ୍କ ଇସ୍ରାଏଲ ଗସ୍ତ ସମୟରେ ଲେବାନନ୍ର ଇରାନ ସମର୍ଥିତ ହେଜବୋଲ୍ଲା ମୁଖ୍ୟ ହାସନ ନସରଲ୍ଲା ଆମେରିକାକୁ ଚେତାବନୀ ଦେଇ କହିଛନ୍ତି ଯେ ଇସ୍ରାଏଲ ଯଦି ଗାଜା ଉପରେ ଏହାର ଆକ୍ରମଣ ବନ୍ଦ ନକରେ ତେବେ ଏହି ବିବାଦ ଏକ ଆଞ୍ଚଳିକ ଯୁଦ୍ଧରେ ପରିଣତ ହେବ। ଇତି ମଧ୍ୟରେ ଇସ୍ରାଏଲ ଆକ୍ରମଣରେ ଗାଜାରେ ୯,୪୮୮ ଲୋକଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ୩,୮୨୬ ଶିଶୁ ଅଛନ୍ତି। ଇସ୍ରାଏଲ ଉତ୍ତର ଗାଜରେ ଏହାର ଆକ୍ରମଣକୁ ଜୋରଦାର କରିଛି । କିନ୍ତୁ ଉତ୍ତର ଗାଜାରେ ଏବେ ବି ୩୫୦,୦୦୦ରୁ ୪୦୦,୦୦୦ ଲୋକ ଅଛନ୍ତି ବୋଲି ଆମେରିକାର ଜଣେ ଅଧିକାରୀ କହିଛନ୍ତି। ନାଗରିକମାନେ ଉତ୍ତର ଗାଜା ଛାଡ଼ି ଦକ୍ଷିଣକୁ ଚାଲିଯିବାପାଇଁ ଇସ୍ରାଏଲ ବାରମ୍ବାର କହିଆସିଛି। ଗାଜା ଷ୍ଟ୍ରିପ୍ରେ ପ୍ରାୟ ୧୩୦୦ ସୁଡ଼ଙ୍ଗ ରହିଛି ବୋଲି ଇସ୍ରାଏଲ ଦାବି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/sfhfhfhsfhfh.jpg)