ତେଲ୍ ଅବିବ୍: ସ୍ୱିଡେନର ଜଳବାୟୁ ପ୍ରଚାରକ ଗ୍ରେଟା ଥନବର୍ଗ ଏବଂ ଫ୍ରାନ୍ସର ୟୁରୋପୀୟ ସଂସଦର ସଦସ୍ୟା ରୀମା ହାସନଙ୍କ ସମେତ ଅନ୍ତର୍ଜାତୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଗାଜା ଆସୁଥିବା ଏକ ସହାୟତା ଜାହାଜକୁ ଇସ୍ରାଏଲ ସେନା ସୋମବାର ସକାଳେ ଅଟକାଇଛି। ପାଲେଷ୍ଟାଇନ୍ ସମର୍ଥକ ଫ୍ରିଡମ୍ ଫ୍ଲୋଟିଲା କୋଆଲିସନ୍ (ଏଫ୍ଏଫ୍ସି) ପକ୍ଷରୁ ଆୟୋଜିତ ଏକ ମିସନର ଅଂଶ ଭାବେ ଏହି ଜାହାଜ ମାଡ୍ଲିନ୍ ନାମକ ବ୍ରିଟିସ ପତାକାଧାରୀ ଜାହାଜ ଥିଲା। ଏହା ଜୁନ୍ ୬ରେ ସିସିଲିରୁ ଯାତ୍ରା ଆରମ୍ଭ କରିଥିଲା ଏବଂ ଆଜି ସୁଦ୍ଧା ଗାଜାରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଥିଲା।
ହାସନ ଦାବି କରିଛନ୍ତି ଯେ ଜାହାଜର ସମସ୍ତ କର୍ମଚାରୀଙ୍କୁ ଇସ୍ରାଏଲ ସେନା ରାତି ପ୍ରାୟ ୨ଟା ବେଳେ ଅନ୍ତର୍ଜାତୀୟ ଜଳସୀମାରେ ଗିରଫ କରିଥିଲା। ଏହି ଯାତ୍ରାର ଆୟୋଜନ କରିଥିବା ଫ୍ରିଡମ୍ ଫ୍ଲୋଟିଲା କୋଆଲିସନ୍ କହିଛି ଯେ ଗାଜାରେ ଅତ୍ୟାବଶ୍ୟକ ସହାୟତା ପହଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଏହି କାର୍ଯ୍ୟକର୍ତ୍ତାମାନଙ୍କୁ ଇସ୍ରାଏଲ ସେନା ଅପହରଣ କରିନେଇଛି। ଇତିମଧ୍ୟରେ ଗ୍ରେଟା ଥନବର୍ଗ ଏକ ରେକର୍ଡ ହୋଇଥିବା ବାର୍ତ୍ତାରେ କହିଛନ୍ତି ଯେ ଗାଜା ଯିବା ବାଟରେ ତାଙ୍କୁ ଓ ଫ୍ରିଡମ୍ ଫ୍ଲୋଟିଲାର ଅନ୍ୟ ସଦସ୍ୟମାନଙ୍କୁ ଇସ୍ରାଏଲ ସେନା ଅପହରଣ କରିଛି। ମୁଁ ମୋର ସମସ୍ତ ବନ୍ଧୁ, ପରିବାର ଓ ସାଥୀମାନଙ୍କୁ ଅନୁରୋଧ କରୁଛି ଯେ, ମୋତେ ଓ ଅନ୍ୟମାନଙ୍କୁ ଯଥାଶୀଘ୍ର ମୁକ୍ତ କରିବା ପାଇଁ ସ୍ୱିଡେନ ସରକାରଙ୍କ ଉପରେ ଚାପ ପକାନ୍ତୁ। ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟ ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛି ଯେଉଁଥିରେ ଇସ୍ରାଏଲ ସେନା ଜାହାଜକୁ ନିୟନ୍ତ୍ରଣ କରୁଛି ଏବଂ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିବା କ୍ରୁ ମେମ୍ବରମାନଙ୍କୁ ଜଳଖିଆ ପ୍ରଦାନ କରୁଛନ୍ତି।