ତେଲ୍‌ ଆଭିଭ: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ସିଧାସଳଖ କ୍ଷେପଣାସ୍ତ୍ର ଆକ୍ରମଣ କରପାରେ ଇରାନ୍। ଏଥିପାଇଁ ଇରାନ୍‌ ଶତାଧିକ କ୍ଷେପଣାସ୍ତ୍ର ଓ ୧ ହଜାର ଡ୍ରୋନ୍‌ ପ୍ରସ୍ତୁତ ରଖିଥିବା ନେଇ ଆଜି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଇସ୍ରାଏଲ ହାଇଆଲର୍ଟରେ ରହିଛି। ଅନ୍ୟପକ୍ଷରେ ଇରାନ୍‌ ଆକ୍ରମଣର ମୁକାବିଲା ପାଇଁ ଇସ୍ରାଏଲର ତୁହାକୁ ତୁହା ରଣନୀତିକ ବୈଠକ ଚାଲିଛି ଏବଂ ଆମେରିକା ଲଗାତାର ଇସ୍ରାଏଲ ସହ ସଂପର୍କରେ ରହିଛି। ‘ୱାଲ୍‌ ଷ୍ଟ୍ରିଟ୍ ଜର୍ଣ୍ଣାଲ’ରେ ଆଜି ପ୍ରକାଶିତ ରିପୋର୍ଟ ମୁତାବକ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଇରାନ୍‌ ସବୁ ପ୍ରସ୍ତୁତି ଶେଷ କରିଛି ଏବଂ ଦୁଇ ଦିନ ମଧ୍ୟରେ ଯେ କୌଣସି ମୁହୂର୍ତ୍ତରେ ଏହି ଆକ୍ରମଣ ଆରମ୍ଭ ହୋଇଯାଇପାରେ। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମେନିଙ୍କ ଜଣେ ପରାମର୍ଶଦାତା କହିଛନ୍ତି, ଇସ୍ରାଏଲକୁ ଏକ ଚରମ ଶିକ୍ଷା ଦେବାଲାଗି ଆକ୍ରମଣ ସଂକ୍ରାନ୍ତ ପ୍ରସ୍ତାବକୁ ମଂଜୁରି ମିଳିସାରିଛି। ଏହି ଆକ୍ରମଣର ସମସ୍ତ ସମ୍ଭାବ୍ୟ ବିପଦକୁ ଆକଳନ କରାଯାଇଛି ଏବଂ ସେହି ଅନୁସାରେ ମଧ୍ୟପ୍ରାଚ୍ୟର ଅନ୍ୟ ରାଷ୍ଟ୍ରଗୁଡ଼ିକ ସହିତ ମଧ୍ୟ ଇରାନ୍‌ ଯୋଗାଯୋଗରେ ଥିବା ସେ କହିଛନ୍ତି। ଇସ୍ରାଏଲ ନିକଟରେ ସିରିଆରେ କରିଥିବା ଆକ୍ରମଣରେ ଇରାନର ଜଣେ ଶୀର୍ଷ ଜେନେରାଲ ଏବଂ ଅନ୍ୟ ୬ ଜଣ ସାମରିକ ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ବଢ଼ିଯାଇଛି। ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଇରାନ୍‌ ଘୋଷଣା କରିବା ପରେ ଇସ୍ରାଏଲକୁ ସୁରକ୍ଷା ଦେବାପାଇଁ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରମାନେ ତତ୍ପରତା ଦେଖାଇଛନ୍ତି। ଇରାନ୍‌ ଯଦି କୌଣସି ଗଣବିଧ୍ବଂସୀ ଅସ୍ତ୍ର ପ୍ରୟୋଗ କରିବ, ତା’ହେଲେ ଇସ୍ରାଏଲ ମଧ୍ୟ ସମାନ ଅସ୍ତ୍ରରେ ଏହାର ଜବାବ ଦେଇପାରେ ବୋଲି ସାମରିକ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।

Advertisment

ଇରାନ୍‌-ଇସ୍ରାଏଲ ନଯିବା ପାଇଁ ଭାରତୀୟଙ୍କୁ ପରାମର୍ଶ, ଫ୍ରାନ୍ସ ଓ ଆମେରିକା ମଧ୍ୟ ନାଗରିକଙ୍କୁ ସତର୍କ କରାଇଲେ

ନୂଆଦିଲ୍ଲୀ: ଇରାନ୍‌ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଉଭୟ ରାଷ୍ଟ୍ର ଯେକୌଣସି ମୁହୂର୍ତ୍ତରେ ପରସ୍ପର ଉପରେ ଆକ୍ରମଣ କରିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜି ବିଦେଶ ମନ୍ତ୍ରାଳୟ ଭାରତୀୟଙ୍କ ପାଇଁ ସୁରକ୍ଷା ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ଜାରି କରିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଭାରତୀୟମାନେ ଇରାନ୍‌ ଓ ଇସ୍ରାଏଲ ଗସ୍ତରେ ନଯିବା ପାଇଁ ପରାମର୍ଶ ଦିଆଯାଇଛି ଯେଉଁ ଭାରତୀୟମାନେ ଏବେ ଇରାନ୍‌ ଓ ଇସ୍ରାଏଲରେ ଅଛନ୍ତି ସେମାନେ ନିଜ ସୁରକ୍ଷା ପ୍ରତି ମଧ୍ୟ ସତର୍କ ରହିବା ସହ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି। ଫ୍ରାନ୍ସ ଏବଂ ଆମେରିକା ମଧ୍ୟ ସେମାନଙ୍କ ନାଗରିକଙ୍କୁ ଇରାନ୍‌, ଇସ୍ରାଏଲ, ଲେବାନନ ଏବଂ ପାଲେଷ୍ଟାଇନ ଅଞ୍ଚଳକୁ ନଯିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛି।