‌ତେହରାନ/ତେଲ୍‌ ଅଭିଭ୍‌: ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଏବେ ଏକ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଇରାନର ୩ଟି ପ୍ରମୁଖ ପରମାଣୁ ପ୍ରତିଷ୍ଠାନକୁ ଆଜି ଆମେରିକା ଧ୍ବଂସ କରିଦେବା ପରେ  ଇରାନ ଏହାର ପ୍ରତିଶୋଧ  ଏବେ ଇସ୍ରାଏଲ ଉପରେ ନେଉଛି। ଆମେରିକା ଆକ୍ରମଣର କିଛି ଘଣ୍ଟା ପରେ ଇରାନ ତେଲ୍‌ ଅଭିଭ୍‌, ହାଇଫା ସମେତ ସମସ୍ତ ପ୍ରମୁଖ ସହରକୁ ଟାର୍ଗେଟ୍‌ କରି କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ୩୦ରୁ ଅଧିକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଏବଂ ଶତାଧିକ ଡ୍ରୋନ୍‌ ଆକ୍ରମଣରେ ଇସ୍ରାଏଲରେ ବ୍ୟାପକ ଧ୍ବଂସଲୀଳା ଦେଖିବାକୁ ମିଳିଛି। ଜନବସତିକୁ ଟାର୍ଗେଟ୍‌ କରି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମାଡ଼ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି। ଦିନ ସମୟରେ ବି ପ୍ରଚଣ୍ଡ ଆକ୍ରମଣ ଅତି ସାଂଘାତିକ ସ୍ଥିତି ସୃଷ୍ଟି କରିଛି।
ଇସ୍ରାଏଲର  ସମସ୍ତ ସହର ଏବେ ହାଇଆଲର୍ଟରେ ଥିବା‌ ବେଳେ ଯଥାସମ୍ଭବ ଅଧିକ ଲୋକଙ୍କୁ ସୁରକ୍ଷା ଆଶ୍ରୟସ୍ଥଳରେ ରଖାଯିବା ବ୍ୟବସ୍ଥା ହେଉଛି। ଇସ୍ରାଏଲ ସେନା କହିଛି ଯେ ଇରାନ ଇସ୍ରାଏଲ ବିରୋଧରେ ପ୍ରତିଶୋଧମୂଳକ ଆକ୍ରମଣକୁ ଅତି ବ୍ୟାପକ କରିଛି। ଇସ୍ରାଏଲ ଗଣମାଧ୍ୟମ କହିଛି, ଇରାନ ଆଜି ଉତ୍ତର ଏବଂ କେନ୍ଦ୍ରୀୟ ଇସ୍ରାଏଲର ହାଇଫା, ନେସ୍ ଜିଓନା, ରିଶୋନ୍ ଲିଜିଅନ୍, ତେଲ୍‌ ଅଭିଭ୍‌ ସହର ଉପରେ ବହୁ ସଂଖ୍ୟାରେ କ୍ଷେପଣାସ୍ତ୍ର  ମାଡ଼ କରିଛି। ଇରାନର ନ୍ୟୁଜ୍ ଚ୍ୟାନେଲରେ ମଧ୍ୟ ଏହି ଆକ୍ରମଣର ଫଟୋ ପ୍ରସାରିତ ହୋଇଛି।  ୩୦ରୁ ଅଧିକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମାଡ଼ରେ  ୫୦ରୁ ଅଧିକ ଆବାସିକ କୋଠା ଧ୍ବଂସ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ଇସ୍ରାଏଲରେ ସର୍ବାଧିକ ଲୋକ ଆହତ ହୋଇଛନ୍ତି ବୋଲି ଇସ୍ରାଏଲର ‘ମାଗେନ୍ ଡେଭିଡ୍ ଆଡମ୍’ ଉଦ୍ଧାର ସେବା  ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଅନ୍ୟପକ୍ଷରେ ଇସ୍ରାଏଲ ମଧ୍ୟ ଆଜି ତେହରାନ ସମେତ ଇରାନର ୬ଟି ସହରରେ ଉପରେ ବୋମାବର୍ଷା କରିଛି। ୩୦ରୁ ଅଧିକ ଯୁଦ୍ଧ ବିମାନ ଇରାନର ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଲଗାତାର ଟାର୍ଗେଟ୍‌ କରୁଛନ୍ତି। ଆମେରିକାର ଆକ୍ରମଣ ପରେ ଇସ୍ରାଏଲ ତା’ର ସାମରିକ ଅଭିଯାନକୁ ବ୍ୟାପକ କରି ଦିନକରେ ୨୦ରୁ ଅଧିକ ସାମରିକ ପ୍ରତିଷ୍ଠାନକୁ ଛାରଖାର କରିଦେଇଛି। ଇରାନର ସମସ୍ତ କମାଣ୍ଡ ସେଣ୍ଟର, ଅସ୍ତ୍ର ଭଣ୍ଡାର ଓ ଡ୍ରୋନ କାରଖାନା ଏବେ ଇସ୍ରାଏଲ ଟାର୍ଗେଟ୍‌ରେ ରହିଛି।