ଭାରତ ଗସ୍ତରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ, ପ୍ରୋଟୋକଲ ଭାଙ୍ଗି ସ୍ୱାଗତ କଲେ ମୋଦି

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ୬ ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋଟୋକଲ ଭାଙ୍ଗି ତାଙ୍କୁ ସ୍ୱାଗତ କରିଛନ୍ତି । ଦୀର୍ଘ ୧୫ ବର୍ଷ ପରେ ଏହା ହେଉଛି ଜଣେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ । ନିଜ ସହ ଶ୍ରୀ ନେତାନ୍ୟାହୁ ଏକ ବୃହତ ବ୍ୟବସାୟିକ ପ୍ରତିନିଧିମଣ୍ଡଳ ନେଇ ଆସିଛନ୍ତି ।

 

ଗତ ୨୦୦୩ରେ ତତ୍‌କାଳୀନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏରିଏଲ ସେରନ ପ୍ରଥମ ଇସ୍ରାଏଲ ଶାସନମୁଖ୍ୟଭାବେ ଭାରତ ଗସ୍ତରେ ଆସିଥିଲେ ।
ନେତାନ୍ୟାହୁଙ୍କ ଏହି ଗସ୍ତ ଭାରତ ଓ ଇସ୍ରାଏଲ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ନିବିଡ଼ କରିବ ବୋଲି ଭାରତସରକାର ଆଶା ପ୍ରକଟ କରିଛନ୍ତି । କିଛି ଦିନ ପୂର୍ବେ ଜାତିସଙ୍ଘ ସୁରକ୍ଷା ପରିଷଦରେ ଇସ୍ରାଏଲ ବିରୁଦ୍ଧରେ ଭୋଟ ଦେବା ପରେ ଉଭୟ ଦେଶ ମଧ୍ୟରେ ଥିବା ସଂପର୍କ ଶିଥିଳ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ଏପରିକି ସେତେବେଳେ ଇସ୍ରାଏଲ ସରକାର ଏହାକୁ ନେଇ ନୈରାଶ୍ୟ ପ୍ରକଟ କରିଥିଲେ । ଏହାଛଡ଼ା ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ୫୦୦ ନିୟୁତ ଡଲାରର ସ୍ପାଇକ୍‌ ମିଶାଇଲ ଚୁକ୍ତ ବାତିଲ ହେବା ପରେ ମଧ୍ୟ ଏହି ଆଶଙ୍କା ବଢିଯାଇଥିଲା । କିନ୍ତୁ ଏହା ଦ୍ୱାରା ସଂପର୍କ ପ୍ରଭାବିତ ହେବ ନାହିଁ ବୋଲି ଗତ କାଲି ଇସ୍ରାଏଲ ରାଷ୍ଟ୍ରଦୂତଙ୍କ ଘୋଷଣା ପରେ ଏହି ଆଶଙ୍କା ଦୂର ହୋଇଥିଲା ।

ସମ୍ବନ୍ଧିତ ଖବର