ତେଲ୍ ଅଭିଭ୍: ଗାଜାରେ ଅସ୍ତ୍ରବିରତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବ ମଧ୍ୟରେ ଇସ୍ରାଏଲ ଧ୍ୱଂସଲୀଳା ଜାରି ରଖିଛି। ଗତ ୨୪ ଘଣ୍ଟାରେ ଇସ୍ରାଏଲ ଆକ୍ରମଣରେ ୭ ଜଣ ଶିଶୁଙ୍କ ସମେତ ୭୦ ଜଣ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପ କହିଛନ୍ତି ଯେ ହମାସ କିଛି ସର୍ତ୍ତ ଗ୍ରହଣ କରିଛି ଏବଂ ଇସ୍ରାଏଲ ମଧ୍ୟ ଗାଜାରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଏହି ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବାକୁ ଟ୍ରମ୍ପ ଗୁରୁତ୍ବାରୋପ କରିଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ପଣବନ୍ଦୀଙ୍କ ମୁକ୍ତି ପରେ ହିଁ ଅସ୍ତ୍ରବିରତି ଲାଗୁ ହେବ। ହମାସ୍ ପଣବନ୍ଦୀଙ୍କୁ ମୁକ୍ତ ନକରିବା ପର୍ଯ୍ୟନ୍ତ ବୋମାବର୍ଷା ଜାରି ରହିବ ବୋଲି ଇସ୍ରାଏଲ ସେନା ମଧ୍ୟ ବୟାନ ଦେଇଥିବାରୁ ଶାନ୍ତି ପ୍ରସ୍ତାବକୁ ନେଇ
ଦ୍ବନ୍ଦ୍ବ ଲାଗି ରହିଛି।
ଗାଜାର ପ୍ରାୟ ୧୦ ଲକ୍ଷ ଲୋକ ଏହି ସଂଘର୍ଷରେ ପ୍ରଭାବିତ ହୋଇଛନ୍ତି ଏବଂ ବହୁ ସଂଖ୍ୟକ ଲୋକ ଗାଜା ସିଟିରୁ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ଆଜି ଦକ୍ଷିଣ ଗାଜାର ଅଲ-ମାୱାସିରେ ଥିବା ଏକ କ୍ୟାମ୍ପ ଉପରେ ଇସ୍ରାଏଲ ଆକ୍ରମଣରେ ୩୫ ଜଣ ନିହତ ହୋଇଛନ୍ତି। ଇସ୍ରାଏଲ ସାମୟିକ ଭାବେ ବୋମା ମାଡ଼ ବନ୍ଦ କରିଦେଇଛି ବୋଲି ଆଜି ଟ୍ରମ୍ପ କହିଥିଲେ ମଧ୍ୟ ଏଥିରେ ସାମାନ୍ୟତମ ସତ୍ୟତା ନାହିଁ ବୋଲି କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ତେବେ ଟ୍ରମ୍ପ ହମାସକୁ କଡ଼ା ବାର୍ତ୍ତା ଦେଇ କହିଛନ୍ତି, ବନ୍ଧକମାନଙ୍କୁ ମୁକ୍ତ କରିବାରେ ହମାସ ବିଳମ୍ବ କରିବା ଉଚିତ୍ ନୁହେଁ, ନଚେତ୍ ପୁନର୍ବାର ବୋମାମାଡ଼ ଆରମ୍ଭ ହେବ। ଇସ୍ରାଏଲ ମଧ୍ୟ ସର୍ତ୍ତ ମାନିବାକୁ ବାଧ୍ୟ ଏବଂ ଏହା ପାଖରେ ଅନ୍ୟ ବିକଳ୍ପ ନାହିଁ ବୋଲି ସେ କହିଛନ୍ତି। ହମାସ ଶାନ୍ତି ଚୁକ୍ତିନାମାକୁ ଗ୍ରହଣ କରିବା ଘୋଷଣା କରିବା ପରେ ଯଥାଶୀଘ୍ର ବନ୍ଦୀ ଏବଂ ବନ୍ଧକମାନଙ୍କ ବିନିମୟ ଆରମ୍ଭ ହେବ। ହମାସ କହିଛି ଯେ ବନ୍ଧକ ବଦଳରେ ଇସ୍ରାଏଲ ନିଶ୍ଚିତ ଭାବରେ ୨୦୦୦ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ। ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ହମାସ ପ୍ରଥମେ ଅସ୍ତ୍ରଶସ୍ତ୍ର ତ୍ୟାଗ ଘୋଷଣା କରିବା ହିଁ ଶାନ୍ତିଚୁକ୍ତିର ମୁଖ୍ୟ ଆଧାର ହେବ।
ସୂଚନାଯୋଗ୍ୟ, ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୬୭,୦୦୦ ଅତିକ୍ରମ କରିଛି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛି। ଇତିମଧ୍ୟରେ ଇସ୍ରାଏଲ ସେନା କହିଛି ଯେ ଗାଜାରେ ଯୁଦ୍ଧ ଶେଷ କରିବା ଏବଂ ଅବଶିଷ୍ଟ ସମସ୍ତ ବନ୍ଧକମାନଙ୍କୁ ଫେରାଇ ଆଣିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଯୋଜନାର ପ୍ରଥମ ପର୍ଯ୍ୟାୟ ପାଇଁ ଏହା ପ୍ରସ୍ତୁତ ହେଉଛି। ଏହି ପରିପ୍ରେକ୍ଷୀରେ ଜଣେ ଅଧିକାରୀ କହିଛନ୍ତି ଯେ ଶାନ୍ତି ପ୍ରସ୍ତାବ ନେଇ ହମାସଲର ନିଷ୍ପତ୍ତି ଉପରେ ଗାଜାର ଭାଗ୍ୟ ନିର୍ଭର କରୁଛି।