ତେହରାନ/ଜେରୁଜେଲମ୍: ଶନିବାର ବଡ଼ି ଭୋରରେ ଇରାନ ଉପରେ ବଡ଼ ଧରଣର ଆକ୍ରମଣ କରିଛି ଇସ୍ରାଏଲ। ଚଳିତମାସ ୧ ତାରିଖରେ ଇରାନ କରିଥିବା ବଡ଼ କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ଦେଇ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଏହି ଆକ୍ରମଣ କରିଛି। ଆତ୍ମରକ୍ଷା ପାଇଁ ଏହି ଆକ୍ରମଣ ଯୁକ୍ତିସଂଗତ। କେବଳ ସେତିକି ନୁହେଁ, କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ପାଇଁ ନାଗରିକମାନେ ସତର୍କ ରହିବା ପାଇଁ ଆଇଡିଏଫ୍ ପରାମର୍ଶ ଦେଇଛି।
ଇସ୍ରାଏଲର ଆକ୍ରମଣରେ ଇରାନର ୨ ସୈନିକଙ୍କର ମୃତ୍ୟୁ ହୋଇଛି। ଇରାନର କ୍ଷେପଣାସ୍ତ୍ର ନିର୍ମାଣ କେନ୍ଦ୍ର, କ୍ଷେପଣାସ୍ତ୍ର ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଇସ୍ରାଏଲ ଆକ୍ରମଣ କରିଛି। ଯଦି ଇରାନ ପ୍ରତିଆକ୍ରମଣ କରେ ତା’ହେଲେ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଇସ୍ରାଏଲ ଚେତାବନୀ ଦେଇଛି। ଆମେରିକା ମଧ୍ୟ ଦୁଇ ରାଷ୍ଟ୍ରକୁ ଯୁଦ୍ଧ ବନ୍ଦ ପାଇଁ ପରାମର୍ଶ ଦେଇଛି। ଯଦି ଏହାର ଜବାବ ଦେବାକୁ ଇରାନ ପ୍ରୟାସ କରେ ତାହେଲେ ଏହାର ଚରମ ପରିମାଣ ଭୋଗିବ ବୋଲି ଆମେରିକା ଚେତାଇ ଦେଇଛି। ଇରାନ ସମେତ ସିରିୟା ରାଜଧାନୀ ଦାମାସକସ ଏବଂ କେତେକ ସାମରିକ ଘାଟି ଉପରେ ମଧ୍ୟ ଇସ୍ରାଏଲ ଆଜି ଆକ୍ରମଣ କରିଛି। ଇରାନ ଉପରେ ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବରିଷ୍ଠ ଅଧିକାରୀମାନଙ୍କ ସହ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି। ଇରାନ ଉପରେ ଆକ୍ରମଣ ସଂପର୍କରେ ଇସ୍ରାଏଲ ଆମେରିକାକୁ ସୂଚନା ଦେଇଥିଲା। କିନ୍ତୁ ଏହି ଆକ୍ରମଣରେ ଆମେରିକାର କୌଣସି ବ୍ୟକ୍ତି କିମ୍ବା ଅସ୍ତ୍ର ସାମିଲ ନଥିଲା ବୋଲି ହ୍ବାଇଟ୍ ହାଉସ୍ ଜାତୀୟ ସୁରକ୍ଷା ପରିଷଦର ପ୍ରବକ୍ତା ସିଆନ୍ ସାଭେଟ୍ ସ୍ପଷ୍ଟ କରିଛନ୍ତି। ଇରାନର ସରକାରୀ ଟିଭି ପକ୍ଷରୁ କୁହାଯାଇଛି ଯେ ଶନିବାର ସକାଳେ ତେହରାନ ଆଖପାଖରେ ବଡ଼ଧରଣର ବିସ୍ଫୋରଣ ହୋଇଛି। ରାଜଧାନୀ ବାହାରେ ୩ଟି ସ୍ଥାନରେ ଇସ୍ରାଏଲ ଆକ୍ରମଣ କରିଥିବା ସୂଚନା ମିଳିଛି।
ଟାର୍ଗେଟ୍ରେ କ୍ଷେପଣାସ୍ତ୍ର ନିର୍ମାଣ କେନ୍ଦ୍ର
ଇରାନ୍ର ଧମକ: ଅନୁରୂପ ଜବାବ ଦିଆଯିବ
ଇସ୍ରାଏଲ ସେନା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଇରାନ ସରକାର ଏବଂ ଏହାର ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ମାନେ ଗତବର୍ଷ ଅକ୍ଟୋବର ୭ ତାରିଖରୁ ଲଗାତାର ୭ ଦିଗରୁ ଆକ୍ରମଣ କରି ଆସୁଛନ୍ତି। ଏପରିକି ଇରାନ ମାଟିରୁ ମଧ୍ୟ ସିଧାସଳଖ ଆକ୍ରମଣ ହୋଇଛି। ବିଶ୍ବର ଅନ୍ୟ ଯେକୌଣସି ସାର୍ବଭୌମ ଦେଶ ଭଳି ଇସ୍ରାଏଲର ମଧ୍ୟ ସୁରକ୍ଷା ଓ ଜବାବ ଦେବାର ଅଧିକାର ଓ ଦାୟିତ୍ବ ରହିଛି। ଆଇଡିଏଫ୍ ପ୍ରବକ୍ତା ରିଅର ଆଡମିରାଲ ଡାନିଏଲ ହଗାରି କହିଛନ୍ତି, ଆକ୍ରମଣ ପୂର୍ବରୁ ଇସ୍ରାଏଲ ଏହାର ପ୍ରତିରକ୍ଷାମୂଳକ କ୍ଷମତାକୁ ସଂପୂର୍ଣ୍ଣ ଭାବେ ଉପଯୋଗ କରିଥିଲା। ଆଜିର ଆକ୍ରମଣକୁ ୩ଟି ପର୍ଯ୍ୟାୟରେ ଇସ୍ରାଏଲ କରିଛି। ରାତି ୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି ଅପରେସନ୍ ଚାଲିଥିଲା। ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟର ଆକ୍ରମଣରେ କ୍ଷେପଣାସ୍ତ୍ର, ଡ୍ରୋନ ଘାଟି ଏବଂ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ୍ କରାଯାଇଥିଲା। ଇଲମ, ଖୁଜେସ୍ତାନ ଏବଂ ତେହରାନ ପ୍ରଦେଶରେ ସାମରିକ ଘାଟିଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି। ୬ଟାରେ ଆକ୍ରମଣ ଶେଷ ହୋଇଥିବା ନେଇ ଇସ୍ରାଏଲ ପକ୍ଷରୁ ଘୋଷଣା କରାଯାଇଥିଲା। ଇରାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସକ୍ରିୟ ଥିବା ଯୋଗୁ କ୍ଷୟକ୍ଷତି କମ୍ ହୋଇଥିବା ଇରାନ ଦାବି କରିଛି। କିନ୍ତୁ ଏହାର ଅନୁରୂପ ଜବାବ ଦିଆଯିବ ବୋଲି ଇରାନ କହିଛି।
ଇରାନ ଉପରେ ଇସ୍ରାଏଲ ଆକ୍ରମଣ କରିବା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଦେଖାଦେଇଛି। ଏହାକୁ ନେଇ ଭାରତ ମଧ୍ୟ ଚିନ୍ତାବ୍ୟକ୍ତ କରିଛି। ତେବେ ଏଥିରେ ସଂପୃକ୍ତ ସମସ୍ତ ପକ୍ଷକୁ ସଂଯମତା ଅବଲମ୍ବନ କରି ଆଲୋଚନାକୁ ଫେରିବା ପାଇଁ ମତ ଦେଇଛି। ଅନ୍ୟପକ୍ଷରେ ଇରାନ ଉପରେ ଇସ୍ରାଏଲର ଆକ୍ରମଣକୁ ପାକିସ୍ତାନ, ସାଉଦି ଆରବ ସମେତ ଅନ୍ୟ କେତେକ ଦେଶ ନିନ୍ଦା କରିଛନ୍ତି। ମଧ୍ୟ ପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା ପାଇଁ ଇସ୍ରାଏଲ ସଂପୂର୍ଣ୍ଣ ଦାୟୀ ବୋଲି ପାକିସ୍ତାନ କହିଛି। ଇରାନ ଉପରେ ଇସ୍ରାଏଲ ଆକ୍ରମଣ କରିବା ପରେ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିଛି। ଇରାନ ସମର୍ଥିତ ଏହି ଗୋଷ୍ଠୀ ପକ୍ଷରୁ ପ୍ରାୟ ୮୦ କ୍ଷେପଣାସ୍ତ୍ର ନିକ୍ଷେପ ହୋଇଛି। ଲେବାନନ୍ରୁ ଏସବୁ କ୍ଷେପଣାସ୍ତ୍ର ଆସିଥିବା ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି। ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ଇରାନ, ଇରାକ ଆଦି ଦେଶରେ ବିମାନସେବା ପ୍ରଭାବିତ ହୋଇଛି।