ନୂଆଦିଲ୍ଲୀ: ଇସ୍ରାଏଲର ଯୁଦ୍ଧ ବିମାନ ଆଜି ଇସ୍ରାଏଲ ଠାରୁ ୧୮୦୦ କିମି ଦୂର ୟେମେନର ହୁଦାୟଦା ବନ୍ଦର ସହର ଉପରେ ଜୋରଦାର ଆକ୍ରମଣ କରିଛି। ଏଥିରେ ତିନିଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୭ଜଣ ଆହତ‌ ହୋଇଛନ୍ତି। ଦୁଇଦିନ ପୂର୍ବେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ତେଲ୍‌ ଆଭିଭ ଉପରେ ଡ୍ରୋନ୍‌ ଆକ୍ରମଣ କରିଥିଲେ। ଏଥିରେ ଜଣେ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣର ଜବାବରେ ଆଜି ଇସ୍ରାଏଲ ୟେମେନରେ ଥିବା ହୁତି ବିଦ୍ରୋହୀଙ୍କ ଆଡ଼ା ଉପରେ ଜୋରଦାର ଆକ୍ରମଣ କରିଛି। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଆକ୍ରମଣ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏକ ସ୍ବତନ୍ତ୍ର ସାମରିକ ଅଭିଯାନରେ ଇସ୍ରାଏଲ୍‌ର ଯୁଦ୍ଧବିମାନ ଦେଶର ସୀମା ଠାରୁ ୧୮୦୦ କିମି ଦୂରରେ ଥିବା ଲକ୍ଷ୍ୟକୁ ଭେଦ କରିଛି।

Advertisment

ଏହି ଅଭିଯାନ ଦ୍ବାରା ଶତ୍ରୁଙ୍କୁ ଇସ୍ରାଏଲ ଚେତାଇଦେଇଛି ଯେ ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠିକୁ ଇସ୍ରାଏଲର ପ୍ରସାରିତ ବାହୁ ପହଞ୍ଚିପାରିବ ନାହିଁ। ଆଇଡିଏଫ୍‌ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି, ଲୋହିତ ସାଗରର ୟେମେନ ବନ୍ଦରକୁ ଟାର୍ଗେଟ୍‌ କରାଯାଇଛି। ଏହି ବନ୍ଦର ହୁତି ବିଦ୍ରୋହୀଙ୍କ ନିମନ୍ତେ ଇରାନ ଅସ୍ତ୍ରଶସ୍ତ୍ର ଯୋଗାଣର ପ୍ରମୁଖ ମାଧ୍ୟମ ଥିଲା। ହୁତି ସରକାର ପକ୍ଷରୁ ଜାରି ସୂଚନାରେ ଇସ୍ରାଏଲ୍‌ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୭ଜଣ ଆହତ ହୋଇଛନ୍ତି। ଅଧିକାଂଶ ଆହତଙ୍କ ଶରୀର ସାଂଘାତିକ ଭାବେ ପୋଡ଼ିଯାଇଛି। ଆହତଙ୍କ ମଧ୍ୟରେ ସର୍ବାଧିକ ବନ୍ଦର କର୍ମଚାରୀ ଅଛନ୍ତି। ସୂଚନାଯୋଗ୍ୟ, ପାଲେଷ୍ଟାଇନ ବିରୋଧରେ ଇସ୍ରାଏଲର ସଂଗ୍ରାମରେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ପାଲେଷ୍ଟାଇନକୁ ସମର୍ଥନ କରିଛନ୍ତି।