ବେରୁଟ୍: ଲେବାନନ୍ରେ ଥିବା ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ଆଡ୍ଡା ଉପରେ ଇସ୍ରାଏଲ୍ ନିଜର ଆକ୍ରମଣକୁ ଆଜି ଜୋରଦାର କରିଛି। ସୋମବାର, ଦକ୍ଷିଣ ଲେବାନନ୍ର ୩ଶହରୁ ଅଧିକ ଲକ୍ଷ୍ୟସ୍ଥଳ ଉପରେ ଇସ୍ରାଏଲ୍ ଯୁଦ୍ଧବିମାନ ଆକ୍ରମଣ କରିଛି। ଏଥିରେ ଅତିକମ୍ରେ ୨୭୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୦୦୦ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨୧ ଶିଶୁ ଓ ୩୧ ମହିଳା ଅଛନ୍ତି। ଗତବର୍ଷ ଇସ୍ରାଏଲ-ହମାସ ଲଢ଼େଇ ଆରମ୍ଭ ହେବା ଦିନଠାରୁ ଲେବାନନରେ ଅବସ୍ଥିତ ହେଜବୁଲ୍ଲା ଆତଙ୍କବାଦୀ ଗୋଷ୍ଠୀ ଉପରେ ସବୁଠୁ ଭୟଙ୍କର ଆକ୍ରମଣ।
ଇସ୍ରାଏଲ୍ ଆକ୍ରମଣ, ମୃତାହତ ଓ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇ ଲେବାନନ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଆଜି ପୂର୍ବାହ୍ଣ ଠାରୁ ଦକ୍ଷିଣ ଲେବାନନ୍ର ସହର ଓ ଗାଁଗୁଡ଼ିକରେ ଶତ୍ରୁପକ୍ଷର ଆକ୍ରମଣ ଜାରି ରହିଛି। ଅପରପକ୍ଷରେ, ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍)ର ମୁଖପାତ୍ର ଡାନିଏଲ୍ ହାଗାରି କହିଛନ୍ତି, ଲେବାନନ୍ର ବେକା ଉପତ୍ୟକା ଉପରେ ଆକ୍ରମଣ କରିବାକୁ ଇସ୍ରାଏଲ୍ର ଯୁଦ୍ଧବିମାନ ପ୍ରସ୍ତୁତ ଅଛନ୍ତି। ଆକ୍ରମଣର ଲକ୍ଷ୍ୟ ବେକା ଉପତ୍ୟକାରେ ଥିବା ହେଜବୁଲ୍ଲା ସଂଗଠନର ଆଡ଼ା, ସେମାନଙ୍କ ଅସ୍ତ୍ରଶସ୍ତ୍ରାଗାର ରହିଛି। ପୂର୍ବାହ୍ଣରେ ବିଣ୍ଟ୍ ଜାବୈଲ୍, ଐତାରୌନ୍, ମାଜଦାଲ୍ ସେଲିମ୍, ହୁଲା, ତୁଆରା, କିଲାଇଲେ, ନାବି ଚିତ୍, ତାରାୟା, ସେମ୍ଷ୍ଟାର, ହାରବାତା, ଲିବ୍ବାୟା ଓ ସୋମୋର ଉପରେ ଆକ୍ରମଣ କରାଯାଇଥିଲା।
୨୭୪ ମୃତ ୧୦୦୦ ଆହତ
ବିଦ୍ୟାଳୟଗୁଡ଼ିକୁ ଆଶ୍ରୟସ୍ଥଳ କରାଗଲା
ବିଦ୍ୟାଳୟଗୁଡ଼ିକୁ ଆଶ୍ରୟସ୍ଥଳରେ ପରିଣତ କରିବା ପାଇଁ ଲେବାନନର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ବେରୁଟ୍, ତ୍ରିପୋଲି ସମେତ ପୂର୍ବ ଓ ଦକ୍ଷିଣ ଏସ୍ରାଏଲରେ ବିସ୍ଥାପିତ ହୋଇଥିବା ଲୋକଙ୍କୁ ବିଦ୍ୟାଳୟରେ ଆଶ୍ରୟ ଦେବାକୁ କୁହାଯାଇଛି।
ଆକ୍ରମଣ ପରେ ଇସ୍ରାଏଲ ପକ୍ଷରୁ ପୁନର୍ବାର ଆକ୍ରମଣ ସଂପର୍କରେ ଏକ ମାନଚିତ୍ର ଜାରି କରାଯାଇଛି। ଏଥିରେ ଦକ୍ଷିଣ ଲେବାନନର ସହର ଏବଂ ୧୭ଟି ଗାଁ ରହିଛି। ତେବେ ସେଥିରୁ କେଉଁଟି ଟାର୍ଗେଟ୍ରେ ରହିଛି ତାହା ସ୍ପଷ୍ଟ କରାଯାଇନାହିଁ। ତେବେ ସାମରିକ ଉଦ୍ଦେଶ୍ୟରେ ହେଜବୁଲ୍ଲା ବ୍ୟବହାର କରୁଥିବା କୋଠା ଏବଂ ଅଞ୍ଚଳ ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇ ଯିବା ପାଇଁ ଇସ୍ରାଏଲ ସେନା ଲୋକମାନଙ୍କୁ ପରାମର୍ଶ ଦେଇଛି। ନିକଟରେ ଇସ୍ରାଏଲ ହେଜବୁଲ୍ଲାର ଯୋଗାଯୋଗ ବ୍ୟବସ୍ଥା ଉପରେ ଆକ୍ରମଣ କରି ସଂଗଠନକୁ ଦୁର୍ବଳ କରିଥିଲା। ଏଥିସହିତ ଗତ ଶୁକ୍ରବାର ହେଜବୁଲ୍ଲାର ବରିଷ୍ଠ କମାଣ୍ଡରମାନେ ବୈଠକ କରୁଥିବା ଏକ କୋଠା ଉପରେ ଇସ୍ରାଏଲ ସେନା ଆକ୍ରମଣ କରିଥିଲା।
ଲେବାନନର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଇସ୍ରାଏଲରୁ ପାଖାପାଖି ୮୦ ହଜାର ଟେଲିଫୋନ କଲ୍ ଲୋକମାନଙ୍କୁ ଆସିଥିଲା। ସେମାନଙ୍କୁ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇ ଯିବା ପାଇଁ କୁହାଯାଇଥିଲା। ଟେଲିକମ୍ କମ୍ପାନି ଓଗେରୋ ମୁଖ୍ୟ ଇମାଦ କ୍ରିଡେ ଏହାକୁ ସ୍ବୀକାର କରିଛନ୍ତି। ଇସ୍ରାଏଲ ସେନାର ଏହି ଆକ୍ରମଣକୁ ଲେବାନନ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଲେବାନନ ପ୍ରଧାନମନ୍ତ୍ରୀ ନଜିବ ମିକାତି ଏହାକୁ ସଂହାର ଯୁଦ୍ଧ ଭାବେ ବର୍ଣ୍ଣନା କରିଛନ୍ତି। ଲେବାନନର ସହର ଏବଂ ଗ୍ରାମଗୁଡ଼ିକୁ ନଷ୍ଟ କରିବା ପାଇଁ ବିଧ୍ବଂସୀ ଯୋଜନା ବୋଲି ସେ କହିଛନ୍ତି। ଜାତିସଂଘ ସାଧାରଣ ପରିଷଦ ବୈଠକରେ ଯୋଗଦେବା ନେଇ ରହିଥିବା ଗସ୍ତ କାର୍ଯ୍ୟକ୍ରମକୁ ସେ ବାତିଲ କରି କ୍ୟାବିନେଟ୍ ବୈଠକ କରିଛନ୍ତି। ଇସ୍ରାଏଲର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ବୈଠକରେ ମତ ରଖିଛନ୍ତି। ଇସ୍ରାଏଲ ଆକ୍ରମଣ କରିଥିବା ଅଞ୍ଚଳଗୁଡ଼ିକର ଆକାଶ କିଛି ସମୟ ପାଇଁ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ବିଦ୍ୟାଳୟକୁ ଆଣିବା ଲାଗି ଭିଡ଼ ଲଗାଇଥିଲେ।