ତେହରାନ: ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗତକାଲି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କୁ ହତ୍ୟା ଧମକ ଦେଇଥିବା ବେଳେ ଆଜି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ କହିଛନ୍ତି ଯେ ଖେମିନିଙ୍କୁ ହତ୍ୟା କରାଯିବ ଏବଂ ତା’ପରେ ହିଁ ଏହି ଯୁଦ୍ଧ ବନ୍ଦ ହେବ। ଇରାକର ଏକଛତ୍ରବାଦୀ ଶାସକ ସଦ୍ଦାମଙ୍କ ଭଳି ଖେମିନିଙ୍କୁ ମଧ୍ୟ ଫାଶୀ ଦିଆଯିବ ବୋଲି ସେ କହିଛନ୍ତି। ନିକଟ ଅତୀତରେ ଇସ୍ରାଏଲ ଖେମିନିଙ୍କୁ ହତ୍ୟା କରିବା ପାଇଁ ସମ୍ପୂର୍ଣ୍ଣ ଯୋଜନା କରିଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଭଳି ପଦକ୍ଷେପକୁ ବିରୋଧ କରିବାକୁ ଏହା ଅଟକିଥିଲା।
‘ସଦ୍ଦାମ ହୁସେନଙ୍କ ଭଳି ଦଶା ହେବ’
ଇସ୍ରାଏଲ ଖୁବ୍ ଶୀଘ୍ର ଇରାନ ବିରୋଧରେ ବହୁତ ବଡ଼ ପଦକ୍ଷେପ ନେବାକୁ ଯାଉଛି ବୋଲି ମଧ୍ୟ ସଙ୍କେତ ମିଳିଛି। ଟ୍ରମ୍ପ ପ୍ରଶାସନ ଇରାନର ସର୍ବୋଚ୍ଚ ନେତାଙ୍କ ହତ୍ୟାକୁ ବିରୋଧ କରୁଥିଲେ ମଧ୍ୟ ଇସ୍ରାଏଲ ଏହାକୁ ନିଜ ଅସ୍ତିତ୍ବର ଲଢ଼େଇ ଭାବେ ଗ୍ରହଣ କରିଥିବାରୁ କେତେବେଳେ କିଭଳି ସ୍ଥିତି ଉପୁଜିବ କହିହେବ ନାହିଁ। କାଟ୍ଜ ତାଙ୍କ ବିବୃତିରେ ସ୍ପଷ୍ଟ କରିଛନ୍ତି ଯେ ଖେମିନି ହୁଏତ ଇସ୍ରାଏଲ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ କିମ୍ବା ସଦ୍ଦାମ ହୁସେନଙ୍କ ଭଳି ଫାଶୀ ପାଇବେ। ଇରାନ ନାଗରିକଙ୍କ ଦ୍ବାରା ମଧ୍ୟ ଖେମିନି ଦଣ୍ଡିତ ହୋଇପାରନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଇରାକର ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସେନ ବିଭିନ୍ନ ମାମଲାରେ ହଜାର ହଜାର ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ୨୦୦୩ରେ ଆମେରିକା ନେତୃତ୍ବାଧୀନ ମେଣ୍ଟ ତାଙ୍କୁ କ୍ଷମତାରୁ ହଟାଇବା ପରେ ତାଙ୍କୁ ଗିରଫ କରାଯାଇଥିଲା। ୨୦୦୬ମସିହାରେ ଇରାକର ଏକ ସ୍ୱତନ୍ତ୍ର ଅଦାଲତ ତାଙ୍କୁ ମାନବିକତା ବିରୋଧୀ ଅପରାଧରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ୨୦୦୬ ମସିହା ଡିସେମ୍ବର ୩୦ ତାରିଖରେ ତାଙ୍କୁ ବାଗଦାଦର ଏକ ସାମରିକ ଘାଟିରେ ଫାଶୀ ଦିଆଯାଇଥିଲା। ଫାଶୀର ଭିଡିଓ ମଧ୍ୟ ଲିକ୍ ହୋଇଥିଲା, ଯାହା ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା।