ଜଳାଭାବ ଥିବା ଅଂଚଳରେ ଇସ୍ରାଏଲ ପ୍ରଯୁକ୍ତି ପହଞ୍ଚାଇବ ପାଣି

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଦେଶର ସବୁଠାରୁ ବଡ ରାଜ୍ୟ ହୋଇଥିବାବେଳେ ବୁନ୍ଦେଲଖଣ୍ଡ ଅଞ୍ଚଳରେ ଜଳ ସଙ୍କଟ ବାବଦରେ ପ୍ରାୟ ସମସ୍ତେ ଜାଣନ୍ତି| ଏଠାରେ ବହୁ ବାଟ ଧରି ଲୋକ ପାଣି ପାଇଁ ଚାଲି ଚାଲି ଯାଇଥାନ୍ତି | ବର୍ତ୍ତମାନ ଏହି ସଙ୍କଟର ସମାଧାନ ପାଇଁ ଭାରତର ସହଯୋଗୀ ଇସ୍ରାଏଲ ସାହାଯ୍ୟ କରିବାକୁ ଆଗେଇ ଆସିଛି | ଇସ୍ରାଏଲ୍ ଉତ୍ତରପ୍ରଦେଶ ସରକାରଙ୍କ ସହିତ ଏକ ଚୁକ୍ତି କରିଛି ଯାହା ପରେ ବୁନ୍ଦେଲଖଣ୍ଡର ଲୋକଙ୍କର ଜଳର ଅଭାବ ରହିବ ନାହିଁ। ଗୁରୁବାର ଦିନ ଇସ୍ରାଏଲ ଏବଂ ଉତ୍ତରପ୍ରଦେଶ ସରକାରଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଉତ୍ତରପ୍ରଦେଶରେ କୃଷି ଉତ୍ପାଦନ କମିଶନର ଆଲୋକ ସିହ୍ନା ଏବଂ ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ରନ୍ ମାଲ୍କା ସେମାନଙ୍କ ସରକାରଙ୍କ ତରଫରୁ ଏହି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।

ଏହି ଚୁକ୍ତିନାମାକୁ ଭାରତ-ଇସ୍ରାଏଲ୍-ବୁନ୍ଦେଲଖଣ୍ଡ ଜଳ ପ୍ରକଳ୍ପ ନାମରେ ନାମିତ କରାଯାଇଛି। ଜଳ ସଂରକ୍ଷଣ, ଜଳକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବା ଏବଂ ଚାଷ ପାଇଁ ଆଧୁନିକ ପଦ୍ଧତି ମାଧ୍ୟମରେ ଜଳ ବ୍ୟବହାର କରିବା ଭଳି ତିନୋଟି କାର୍ଯ୍ୟ କରାଯିବା ଦ୍ୱାରା ସଙ୍କଟ ଦୂର ହେବ ବୋଲି ଉଭୟ ସରକାର ଆଶା କରିଛନ୍ତି । ସିହ୍ନା କହିଛନ୍ତି ଯେ ଭୂତଳ ଜଳ ପରିଚାଳନା ସହ ଜଳସେଚନ ପାଇଁ ମଧ୍ୟ ଇସ୍ରାଏଲ ଭାରତକୁ ସାହାଯ୍ୟ କରିବ |

ଯାହାଦ୍ୱାରା ବୁନ୍ଦେଲଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ଜଳ ସଙ୍କଟ ଦୂର ହେବ। ରାଷ୍ଟ୍ରଦୂତ ରନ୍ ମାଲ୍କା କହିଛନ୍ତି ଯେ ଏହି ପ୍ରକଳ୍ପ ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ବହୁମୁଖୀ ସହଭାଗୀତାର ଆଉ ଏକ ଉଦାହରଣ। ସେ କହିଛନ୍ତି ଯେ ଉତ୍ତରପ୍ରଦେଶ ସରକାରଙ୍କ ସହ ଅତ୍ୟାଧୁନିକ, ଉନ୍ନତ ତଥା ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ବାଣ୍ଟିବାକୁ ଇସ୍ରାଏଲ୍ ଆଗ୍ରହୀ। ସେ କହିଛନ୍ତି ଯେ ଭାରତରେ କିଭଳି ଜଳ ସୁରକ୍ଷା କରାଯାଇପାରିବ ତାହାକୁ ଇସ୍ରାଏଲ ପ୍ରାଥମିକତା ଦେଉଛି ।

ସମ୍ବନ୍ଧିତ ଖବର