ଡାକ୍ତରଖାନାକୁ ବି ଛାଡ଼ୁନି ଇସ୍ରାଏଲ: ଗାଜା ଛାଡ଼ିଲେ ପ୍ରଥମ ବ୍ୟାଚ୍‌ ଆମେରିକୀୟ

ଗାଜାରେ ମୃତ୍ୟୁସଂଖ୍ୟା ୯ ହଜାର ଟପିଲା, ଉତ୍ତର ଗାଜା ଷ୍ଟ୍ରିପ୍‌ରେ ଲଢ଼େଇ ଜାରି

ନୂଆଦିଲ୍ଲୀ: ଗତ ମାସ ୭ ତାରିଖରୁ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ୍‌ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ଆରମ୍ଭ ‌‌ହେବାପରଠାରୁ ଏଯାବତ ଗାଜାରେ ୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଅନ୍ୟପକ୍ଷେ ଇସ୍ରାଏଲରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଉତ୍ତର ଗାଜା ଷ୍ଟ୍ରିପ୍‌ରେ ଲଢ଼େଇ ଜାରି ରଖିଥିବା ଇସ୍ରାଏଲ ସେନା ହମାସ ସୁଡ଼ଙ୍ଗ, ରକେଟ୍‌ ଲଞ୍ଚର୍‌ ସମେତ ବିଭିନ୍ନ ଭିତ୍ତିଭୂମିକୁ ଟାର୍ଗେଟ୍‌ କରିଥିବା ଦାବି କରିଛି। ଇତି ମଧ୍ୟରେ ରାଫା କ୍ରସିଂ ଦେଇ ବିଦେଶୀ ନାଗରିକମାନେ ଗାଜା ଛାଡ଼ିଛନ୍ତି। ଗତକାଲି ୪୦୦ ନାଗରିକ ଗାଜା ଛାଡ଼ିଥିବା ଜାତିସଂଘ ପକ୍ଷରୁ କୁହାଯାଇଛି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, ଅନେକ ଦିନର କୂଟନୈତିକ କଥାବାର୍ତ୍ତା‌ ପରେ ଶେଷରେ ପ୍ରଥମ ବ୍ୟାଚ୍‌ ଆମେରିକୀୟ ଗାଜା ଛାଡ଼ିବାରେ ସକ୍ଷମ ହୋଇଛନ୍ତି। ଅନ୍ୟପ‌କ୍ଷେ ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଆସନ୍ତାକାଲି ଇସ୍ରାଏଲ ଗସ୍ତ କରିବେ। ଯୁଦ୍ଧ ଆରମ୍ଭ ହେବାରେ ବ୍ଲିଙ୍କେନ ଦ୍ବିତୀୟ ଥର ପାଇଁ ଇସ୍ରାଏଲ ଗସ୍ତ କରୁଛନ୍ତି। ଇତି ମଧ୍ୟରେ ବାଇଡେନ କହିଛନ୍ତି, ପଣବନ୍ଦୀଙ୍କୁ ମୁକ୍ତ କରିବାପାଇଁ ଯୁଦ୍ଧବିରତି ହେବା ଆବଶ୍ୟକ। ଉତ୍ତର ଗାଜା ଷ୍ଟ୍ରିପ୍‌ ଏବଂ ଗାଜା ସହରରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ୫ଟି ଭିନ୍ନ ଯୁଦ୍ଧ ଲାଗି ରହିଛି। ଉତ୍ତର ପଶ୍ଚିମ ଗାଜା ଷ୍ଟ୍ରିପ୍‌ରେ ସବୁଠାରୁ ବଡ଼ ଯୁଦ୍ଧ ଲାଗି ରହିଥିବା ଜଣେ ସାମ୍ବାଦିକ କହିଛନ୍ତି। ଗତକାଲି ରାତିରେ ମଧ୍ୟ ଇସ୍ରାଏଲ ସେନା ଦ୍ବାରା ଗାଜାରେ ବିମାନ ଆକ୍ରମଣ ଜାରି ରହିଛି। ୨ଟି ହସ୍ପିଟାଲ୍‌ ନିକଟ‌‌ରେ ମଧ୍ୟ ବିମାନ ଆକ୍ରମଣ ହୋଇଥିବା ଦାବି ହୋଇଛି।

ଅନ୍ୟପକ୍ଷେ ଗାଜାରେ ୩୫ଟି ହସ୍ପିଟାଲରୁ ୧୬ଟି ହସ୍ପିଟାଲ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ପ୍ରମୁଖ ହସ୍ପିଟାଲ୍‌ରେ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ବୋଲି ହମାସ୍‌ ପକ୍ଷରୁ ଦାବି ହୋଇଛି। ତେବେ ଗାଜା ସହ ଯୁଦ୍ଧରେ ୩୩୩ ଇସ୍ରାଏଲୀ ସୈନିକ ନିପାତ ହୋଇଥିବା ‌ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି। ହମାସ୍‌ ସହ ଲଢ଼େଇରେ ଗୁରୁବାର ଗାଜା ଷ୍ଟ୍ରିପ୍‌ରେ ଜଣେ ବରିଷ୍ଠ ଅଧିକାରୀ ନିପାତ ହୋଇଥିବା ଆଇଡିଏଫ୍‌ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) କହିଛି। ଅନ୍ୟପକ୍ଷେ ଗାଜାରେ ମୋଟ୍‌ ୨୪୨ ଇସ୍ରାଏଲୀ ନାଗରିକ ପଣବନ୍ଦୀ ଥିବା ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର