ଜେରୁଜେଲମ୍: ଲେବାନନରେ ଆକ୍ରମଣକୁ ତୀବ୍ର କରିବା ପରେ ଇସ୍ରାଏଲର ସାମରିକ ବାହିନୀ ବର୍ତ୍ତମାନ ୱେଷ୍ଟବ୍ୟାଙ୍କରେ କାର୍ଯ୍ୟକଳାପକୁ ଜୋରଦାର୍ କରିଛି। ଏହି ସମୟରେ ୱେଷ୍ଟବ୍ୟାଙ୍କର ରାମଲ୍ଲାହ ସହରରେ ଅବସ୍ଥିତ ଅଲ୍ ଜଜିରା ଟିଭିର ବ୍ୟୁରୋ ଉପରେ ଇସ୍ରାଏଲ ସେନା ଆକ୍ରମଣ କରି କାର୍ଯ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।

Advertisment

ଇସ୍ରାଏଲ ବର୍ତ୍ତମାନ ୱେଷ୍ଟବ୍ୟାଙ୍କ ବ୍ୟୁରୋକୁ ଆସନ୍ତା ୪୫  ଦିନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ ଥିବା କର୍ମଚାରୀଙ୍କୁ ତୁରନ୍ତ ପ୍ରସାରଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ କ୍ୟାମେରା ବନ୍ଦ କରି ବାହାରକୁ ଯିବାକୁ କୁହାଯାଇଛି।

ଇସ୍ରାଏଲର ସୈନିକମାନେ ବିଲ୍ଡିଂରେ ପ୍ରବେଶ କରି ୱେଷ୍ଟବ୍ୟାଙ୍କର ବ୍ୟୁରୋ ମୁଖ୍ୟ ୱାଲିଦ ଅଲ୍‌-ଓମାରୀଙ୍କୁ ଚ୍ୟାନେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଅଲ୍ ଜଜିରା ସାମ୍ବାଦିକ ୱାଲିଦ ଅଲ୍ ଓମାର କହିଛନ୍ତି ସୈନିକମାନେ ତାଙ୍କୁ କହିଥିଲେ ଯେ ୪୫ ଦିନ ମଧ୍ୟରେ ଅଲ୍ ଜଜିରା ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଣେ ସୈନିକ ଆରବୀୟ ଭାଷାରେ କହିଥିଲେ ଯେ ମୁଁ ତୁମକୁ କହୁଛି ତୁମର କ୍ୟାମେରା ବନ୍ଦ କର ଏବଂ ବର୍ତ୍ତମାନ ଅଫିସ ଛାଡ। ଅଲ୍ ଜଜିରା କାର୍ଯ୍ୟାଳୟରେ  ଆକ୍ରମଣ ପୂର୍ବରୁ ଇସ୍ରାଏଲ ମେ’ମାସରେ ଦେଶ ଭିତରେ ଅଲ୍ ଜଜିରା ସଞ୍ଚାଳନକୁ ବାରଣ କରିଥିଲା ​​ଏବଂ ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି କହିଥିଲା।

ଅଲ୍ ଜଜିରା ହେଉଛି କତାରର ସରକାରୀ ଖବର ଚ୍ୟାନେଲ୍। ରବିବାର ସକାଳେ ଇସ୍ରାଏଲ ସେନା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇସ୍ରାଏଲ ଅଲ୍ ଜାଜିରାକୁ ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି କହିଛି।

ସୂଚନାଯୋଗ୍ୟ, ଗତ ବର୍ଷ ଇସ୍ରାଏଲ କହିଥିଲା ​​ଯେ ଏହା ଏକ ଅଲ୍ ଜଜିରା ସାମ୍ବାଦିକ ଇସମାଇଲ ଅଲ୍ ଘୋଲ୍‌ଙ୍କୁ ଏୟାର ଷ୍ଟ୍ରାଇକରେ ହତ୍ୟା କରିଛି। ସେ ହମାସ ପାଇଁ କାମ କରୁଥିଲେ ଏବଂ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ଭାଗ ନେଇଥିଲେ। ତେବେ ଅଲ୍ ଜଜିରା ଏହି ଅଭିଯୋଗକୁ ମିଥ୍ୟା ବୋଲି କହିଥିଲା।

ପାଲେଷ୍ଟାଇନ ସାମ୍ବାଦିକ ସଂଘ ଇସ୍ରାଏଲର ଏହି ପଦକ୍ଷେପକୁ ନିନ୍ଦା କରିଛି। ସଂଘ କହିଛି ଏହି ମନମୁଖୀ ସାମରିକ ନିଷ୍ପତ୍ତି ସାମ୍ବାଦିକତା ଏବଂ ଗଣମାଧ୍ୟମ କାର୍ଯ୍ୟ ବିରୁଦ୍ଧରେ ଏକ ନୂତନ ଉଲ୍ଲଂଘନ, ଯାହା ପାଲେଷ୍ଟାଇନବାସୀଙ୍କ ବିରୁଦ୍ଧରେ ହୋଇଥିବା ଦଖଲର ଅପରାଧକୁ ପ୍ରକାଶ କରିବାରେ ଲାଗିଛି। ଏହା ଦ୍ବାରା ଗଣମାଧ୍ୟମ ଉପରେ ପ୍ରଭାବ ପଡ଼ିବ ବୋଲି ସଂଘ କହିଛି।