ଦୋହରାଇଲେ ଇସ୍ରାଏଲୀ ଫିଲ୍ମ ନିର୍ମାତା: କାଶ୍ମୀର ଫାଇଲ୍ସରେ ଫାଶୀବାଦୀ ବୈଶିଷ୍ଟ୍ୟ ଅଛି

ଭାରତୀୟ ଜାତୀୟ ସଂଗୀତ ଆବୃତ୍ତିକୁ ଅନାକର୍ଷଣୀୟ କହିଲେ

ନୂଆଦିଲ୍ଲୀ: ଗୋଆଠାରେ ନଭେମ୍ବର ୨୦ରୁ ୨୮ ଭିତରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଭାରତ ଚଳଚ୍ଚିତ୍ର ମହୋତ୍ସବରେ ବିଚାରକମଣ୍ଡଳୀର ମୁଖ୍ୟ ଥିବା ଇସ୍ରାଏଲୀ ଫିଲ୍ମ ନିର୍ମାତା ନାଦବ ଲାପିଡ଼ଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତାଙ୍କ ଦେଶର ରାଷ୍ଟ୍ରଦୂତ ତାଙ୍କ ତରଫରୁ କ୍ଷମା ମାଗିଥିଲେ ମଧ୍ୟ ଲାପିଡ଼ ଆଦୌ ତାଙ୍କ ମନ୍ତବ୍ୟ ପାଇଁ ଦୁଃଖିତ ନୁହନ୍ତି। ଭାରତୀୟ ଚଳଚ୍ଚିତ୍ର କାଶ୍ମୀର ଫାଇଲ୍ସ ‘ପ୍ରଚାର ସର୍ବସ୍ବ’ ଓ ‘ଅଶ୍ଳୀଳ’ ବୋଲି କହିଥିବା ଲାପିଡ଼ ତାଙ୍କ କଥାକୁ ଦୋହରାଇବା ସହ କହିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ଫାଶୀବାଦୀ ବୈଶିଷ୍ଟ୍ୟ ରହିଛି।

ଲାପିଡ଼ କହିଛନ୍ତି ଯେ ଏକ କଳାତ୍ମକ ଓ ପ୍ରତିଯୋଗିତାମୂଳକ ଚଳଚ୍ଚିତ୍ର ମହୋତ୍ସବରେ କାଶ୍ମୀର ଫାଇଲ୍ସ ପରି ପ୍ରଚାରସର୍ବସ୍ବ ଚଳଚ୍ଚିତ୍ର ପ୍ରଦର୍ଶନ କରିବା ଉଚିତ ନ ଥିଲା। ଲାପିଡ଼ଙ୍କ ଏପରି ମନ୍ତବ୍ୟକୁ ନେଇ ଝଡ଼ ଉଠିଛି। ବହୁ ପୁରସ୍କାରପ୍ରାପ୍ତ ଫିଲ୍ମ ନିର୍ମାତା ୧୯୯୦ ଦଶକରେ କାଶ୍ମୀର ପଣ୍ଡିତମାନଙ୍କ ଦୁର୍ଦ୍ଦଶା ପ୍ରତି ସମବେଦନଶୀଳ ନୁହନ୍ତି ବୋଲି ମତ ପ୍ରକାଶ ପାଇଛି। ୧୯୪୧ରୁ ୧୯୪୫ ଭିତରେ ନାଜିମାନଙ୍କ ଦ୍ବାରା ଇହୁଦୀମାନଙ୍କର ଗଣହତ୍ୟା କରାଯାଇଥିଲା ଯାହାକୁ ହଲୋକଷ୍ଟ ବୋଲି କୁହାଯାଉଛି। ଏପରି ବୀଭତ୍ସ ଗଣହତ୍ୟାର ଶିକାର ହୋଇଥିବା ସମ୍ପ୍ରଦାୟରୁ ଆସିଥିବା ଜଣେ ଲୋକ କିପରି ଏଭଳି ମନ୍ତବ୍ୟ ଦେଇପାରୁଛନ୍ତି ବୋଲି ମତ ପ୍ରକାଶ ପାଉଛି। କାଶ୍ମୀର ଫାଇଲ୍ସ ବିରୋଧରେ ଅସମ୍ବେଦନଶୀଳ ମନ୍ତବ୍ୟ ଦେବା ଅର୍ଥ ଇହୁଦୀଙ୍କ ହଲୋକଷ୍ଟକୁ ଅସ୍ବୀକାର କରିବା। ଏକ ଇସ୍ରାଏଲୀ ଗଣମାଧ୍ୟମକୁ ଫୋନ୍‌ରେ ସାକ୍ଷାତ୍‌କାର ଦେଇ ଲାପିଡ଼ କହିଛନ୍ତି, ‘ଏହା ଭାରତର ସବୁଠାରୁ ବଡ଼ ଚଳଚ୍ଚିତ୍ର ଉତ୍ସବ। କାଶ୍ମୀର ଫାଇଲ୍ସ ଏକ ଚଳଚ୍ଚିତ୍ର ଏବଂ ଭାରତ ସରକାର ଯଦିଚ ଏହାକୁ ତିଆରି କରିନାହାନ୍ତି, ତଥାପି ଏହାକୁ ଅନୁଚିତ ଢଙ୍ଗରେ ପ୍ରମୋଟ୍ କରୁଛନ୍ତି। ଏହା ମାଧ୍ୟମରେ ଭାରତର କାଶ୍ମୀର ନୀତିକୁ ଯୁକ୍ତଯୁକ୍ତ ବୋଲି ପ୍ରତିପାଦିତ କରାଯାଉଛି ଏବଂ ଏଥିରେ ଫାଶୀବାଦୀ ବୈଶିଷ୍ଟ୍ୟ ରହିଛି।’

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଭାରତ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ୨୦୨୨ର ଉଦ୍‌ଯାବନୀ ଉତ୍ସବରେ ଇସ୍ରାଏଲୀ ଫିଲ୍ମ ନିର୍ମାତା ନାଦବ ଲାପିଡ଼ଙ୍କ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ନାଦବ କେବଳ ଏହି ମହୋତ୍ସବରେ ପ୍ରଦର୍ଶିତ ଭାରତୀୟ ଚଳଚ୍ଚିତ୍ର କାଶ୍ମୀର ଫାଇଲ୍ସକୁ ନିନ୍ଦା କରିନାହାନ୍ତି, ଉକ୍ତ ଚଳଚ୍ଚିତ୍ର ଉତ୍ସବରେ ଭାରତୀୟ ଜାତୀୟ ସଂଗୀତ ଆବୃତ୍ତିକୁ ମଧ୍ୟ ଅନାକର୍ଷୀଣୀୟ ବୋଲି କହିଥିଲେ। ଗୋଆ ଏଣ୍ଟରଟେନମେଣ୍ଟ ସୋସାଇଟି ଦ୍ବାରା ପ୍ରକାଶିତ ‘ପିକକ୍’ ପତ୍ରିକାକୁ ସାକ୍ଷାତ୍‌କାର ଦେଇ ଲାପିଡ଼ କହିଥିଲେ- ଭାରତର ଜାତୀୟତାବାଦକୁ ମୁଁ ପ୍ରଶଂସା କରୁଛି, କିନ୍ତୁ ଏକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ‘ଜନଗଣ ମନ..’ ଆବୃତ୍ତି କରାଯିବା ଏକ ଅନାକର୍ଷଣୀୟ ଅନୁଭୂତି ଥିଲା।

ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଉତ୍ସବ ଚାଲିଥିବା ବେଳେ ଏହି ପତ୍ରିକା ପ୍ରକାଶ ପାଇଥିଲା। ତା’ ମାନେ କାଶ୍ମୀର ଫାଇଲ୍ସ ଉପରେ ମନ୍ତବ୍ୟ ଦେବା ପୂର୍ବରୁ ପତ୍ରିକାକୁ ସେ ଏଭଳି ମନ୍ତବ୍ୟ ଦେଇଥିଲେ। ଏଥିରୁ ତାଙ୍କର ଭାରତ-ବିରୋଧୀ ମନୋଭାବ ସ୍ପଷ୍ଟ ହୋଇଯାଇଛି। ଲାପିଡ଼ଙ୍କ ଭାରତ ବିରୋଧୀ ଆଭିମୁଖ୍ୟକୁ ସବୁ ମହଲରୁ ନିନ୍ଦା କରାଯାଇଛି। ଭାରତରେ ଅବସ୍ଥାପିତ ଇସ୍ରାଏଲୀ ରାଷ୍ଟ୍ରଦୂତ ନାଓର ଗୋଲିନ ଏଥିପାଇଁ ତାଙ୍କ ଦେଶ ତରଫରୁ ସାମାଜିକ ଗଣମାଧ୍ୟମରେ କ୍ଷମା ମାଗିବା ସହ ନାଦବଙ୍କ ଉଦ୍ଦେଶ୍ୟରେ କହିଥିଲେ ‘ତୁମକୁ ଲାଜ ଲାଗିବା ଉଚିତ’।

ସମ୍ବନ୍ଧିତ ଖବର