ନୂଆଦିଲ୍ଲୀ: ଶୁକ୍ରବାର ରାତିରୁ ଦକ୍ଷିଣ ଇସ୍ରାଏଲର ମରୁଭୂମିରେ ଚାଲିଥିଲା ସୁପରନୋଭା ମ୍ୟୁଜିକ ଫେଷ୍ଟିଭାଲ୍। ଶନିବାର ସୂର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ ସଂଗୀତ ଉତ୍ସବ ଜାରି ରହିଥିଲା। ଲୋକମାନେ ପାର୍ଟି ଉପଭୋଗ କରୁଥିଲେ। ଏହି ସମୟରେ ହଠାତ ହମାସ ଆତଙ୍କବାଦୀମାନେ ଫେଷ୍ଟିଭାଲ୍ ସ୍ଥଳରେ ଗୁଳିମାଡ଼ କରିଥିଲେ।
ଲୋକମାନେ ଭୟରେ ଦୌଡ଼ିଦୌଡ଼ି ନିଜ ନିଜ କାର୍ ପାଖକୁ ପହଞ୍ଚିବାପାଇଁ ଚେଷ୍ଟା କରିଥିଲେ। କିନ୍ତୁ ବନ୍ଧୁକଧାରୀ ବ୍ୟକ୍ତି କାର୍କୁ ଟାର୍ଗେଟ୍ କରି ଗୁଳିବର୍ଷା କରିଥିଲେ।
ରବିବାର ବିଳମ୍ବରେ ଇସ୍ରାଏଲ ଉଦ୍ଧାର ସେବା ଜାକା ପକ୍ଷରୁ ଏହି ସଂଗୀତ ଉତ୍ସବ ସ୍ଥଳରୁ ୨୬୦ ମୃତଦେହକୁ ଉଦ୍ଧାର କରାଯାଇଥିଲା ବୋଲି ରିପୋର୍ଟ ମିଳିଥିଲା। ଆହୁରି ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି। ଯେଉଁମାନଙ୍କ ସହିତ କୌଣସି ପ୍ରକାର ଯୋଗାଯୋଗ ହୋଇ ପାରୁନାହିଁ।
ସମ୍ପ୍ରତି ଇସ୍ରାଏଲ ସରକାରଙ୍କ ପକ୍ଷରୁ ଏକ କଲ ରେକର୍ଡ ଜାରି କରାଯାଇଛି। ଏହି କଲ ରେକର୍ଡରେ ଜଣେ ଯୁବତୀଙ୍କ କଣ୍ଠସ୍ବର ଶୁଣିବାକୁ ମିଳୁଛି। ଏହି ଯୁବତୀଙ୍କୁ ହମାସ ଆତଙ୍କବାଦୀମାନେ ପରେ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି।
ତେବେ ଯେତେବେଳେ ଆତଙ୍କବାଦୀମାନେ ସାମ୍ନାରେ ଥିଲେ ଯୁବତୀ ଭୟଭୀତ ହୋଇ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଫୋନ କରିଥିଲେ। ଆଉ କହିଥିଲେ, ‘ଆତଙ୍କବାଦୀମାନେ ମୋ ହାତରେ ଗୁଳି ମାରି ଦେଇଛନ୍ତି। ଶିମନ ମୁଁ ମରିଯିବି.. ମୁଁ ତୁମକୁ ଭଲପାଏ।’
ପୋଷ୍ଟ କ୍ୟାପସନରେ ଲେଖାହୋଇଛି, ‘ତାଙ୍କର ଚିତ୍କାର ଶୁଣ। କାନ୍ଦିବା ସ୍ବର ଶୁଣ। ଏହା ହମାସ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଥିବା ପୀଡିତଙ୍କ ବାସ୍ତବ ସ୍ବର।’