ଦୂତାବାସ ନିକଟ ବିସ୍ଫୋରଣ ଘଟଣା ତଦନ୍ତରେ ସାହାଯ୍ୟ କରିବାକୁ ଦିଲ୍ଲୀ ଆସିବେ ଇସ୍ରାଏଲୀୟ ତଦନ୍ତକାରୀ

ନୂଆଦିଲ୍ଲୀ: ଦରିଆପାରିରେ ଥିବା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବଂ ଇସ୍ରାଏଲୀୟ ନାଗରିକମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାର ତଦନ୍ତ କରୁଥିବା ଇସ୍ରାଏଲ୍‌ ତଦନ୍ତକାରୀମାନେ ଖୁବ୍‌ ଶୀଘ୍ର ନୂଆଦିଲ୍ଲୀରେ ପହଞ୍ଚିବେ। ଶୁକ୍ରବାର ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ଇସ୍ରାଏଲୀୟ ଦୂତାବାସ ବାହାରେ ଘଟିଥିବା ଛୋଟଧରଣର ‘ଆଇଇଡି’ ବିସ୍ଫୋରଣ ଘଟଣା ତଦନ୍ତରେ ସେମାନେ ସହାୟତା କରିବେ।

ଦିଲ୍ଲୀର କଡ଼ା ନିରାପତ୍ତା ଜୋନ୍‌ ଲୁଟିୟେନ୍‌ସ୍‌ରେ ଅବସ୍ଥିତ ଏହି ଦୂତାବାସ ନିକଟରେ ଘଟିଥିବା ବିସ୍ଫୋରଣ ଯୋଗୁଁ କେତେକ କାର୍‌ ନଷ୍ଟ ହୋଇଯାଇଛି। ଏହି ଘଟଣାର ତଦନ୍ତରେ ଭାରତୀୟ ତଦନ୍ତ ଏଜେନ୍‌ସିଙ୍କୁ ସହାୟତା କରିବା ଲାଗି ଶନିବାର ସୁଦ୍ଧା ଦଳେ ଇସ୍ରାଏଲୀୟ ତଦନ୍ତକାରୀ ଦିଲ୍ଲୀରେ ପହଞ୍ଚିବେ।

Image Courtesy of India Today

ଏହି ଛୋଟଧରଣର ବିସ୍ଫୋରଣକୁ ଇସ୍ରାଏଲ୍‌ ଆତଙ୍କବାଦୀ କାଣ୍ଡ କହିବା ସହ ଭାରତୀୟ ତଦନ୍ତକାରୀ ଏଜେନ୍‌ସିଙ୍କୁ ତଦନ୍ତରେ ସାହାଯ୍ୟ କରିବେ।
ସୂଚନାଯୋଗ୍ୟ, ୨୦୧୨ରେ ନୂଆଦିଲ୍ଲୀରେ ଇସ୍ରାଲୀୟ କୂଟନୀତିଜ୍ଞଙ୍କୁ ଆକ୍ରମଣ ହେବା ଘଟଣାରେ ମଧ୍ୟ ଇସ୍ରାଏଲ୍‌ ଭାରତକୁ ଏହି ପ୍ରକାରର ସହାୟତା ଯୋଗାଇ ଦେଇଥିଲା। ସେତେବେଳେ ଇସ୍ରାଏଲୀୟ ତଦନ୍ତକାରୀମାନେ ଅପରାଧ ସ୍ଥଳ ଓ ସନ୍ଦିଗ୍ଧ ଇରାନୀୟମାନେ ଅବସ୍ଥାନ କରିଥିବା ହୋଟେଲ୍‌କୁ ଯାଇଥିଲେ।

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଶୁକ୍ରବାର ସନ୍ଧ୍ୟାରେ ଇସ୍ରାଏଲୀୟ ଦୂତାବାସ ନିକଟରେ ଘଟିଥିବା ବିସ୍ଫୋରଣସ୍ଥଳରୁ ଭାରତୀୟ ତଦନ୍ତକାରୀମାନେ ଇସ୍ରାଏଲୀୟ ଦୂତାବାସ ଠିକଣା ଉଲ୍ଲେଖ ଥାଇ ଚିଠି ଥିବା ଏକ ଲଫାପା ପାଇଛନ୍ତି। କିନ୍ତୁ, ସେଥିରେ କ’ଣ ଲେଖା ଯାଇଛି ତାହା ସେମାନେ ଗୁପ୍ତ ରଖିଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କ ଇସ୍ରାଏଲୀୟ ପ୍ରତିପକ୍ଷ ଗାବି ଆସ୍‌ଖେନାଜିଙ୍କ ସହ କଥାବାର୍ତ୍ତା କରିବା ସହ କୂଟନୀତିଜ୍ଞ ଏବଂ ଦୂତାବାସକୁ ପୂର୍ଣ୍ଣ ପ୍ରତିରକ୍ଷା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର