ନୂଆଦିଲ୍ଲୀ: ଶନିବାର ରାତିରେ ସିରିୟାର ଡାମାସ୍କସ୍ ଅଞ୍ଚଳରେ ଥିବା ଗୋଟାଏ ଆବାସିକ ଅଟ୍ଟାଳିକା ଉପରେ ଇସ୍ରାଏଲୀୟ କ୍ଷେପଣାସ୍ତ୍ର ପଡ଼ିବାରୁ ସାଧାରଣ ନାଗରିକଙ୍କ ସମେତ ଅନ୍ୟୂନ ୧୫ଜଣଙ୍କର ମୃତ୍ୟୁ ଘଟିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍ପି’ ରିପୋର୍ଟ କରିଛି।
‘ଏଏଫ୍ପି’ର ଉକ୍ତ ରିପୋର୍ଟ ‘ସିରିୟାନ୍ ଅବ୍ଜର୍ଭେଟରି ଫର୍ ହ୍ୟୁମାନ୍ ରାଇଟ୍ସ୍’ ତଥ୍ୟ ଉପରେ ଆଧାରିତ।
ରାଷ୍ଟ୍ରାୟତ ସମ୍ବାଦ ସରବରାହ ଏଜେନ୍ସି ରିପୋର୍ଟ ଅନୁସାରେ, ଭୀଷଣ ଭୂମିକମ୍ପ ସଂଘଠିତ ହେବାର ମାତ୍ର ୨ ସପ୍ତାହ ପୂରୁ ପୂରୁ କେନ୍ଦ୍ରୀୟ ଡାମାସ୍କସ୍ ଓ ଆଖପାଖ ଅଞ୍ଚଳରେ ଶନିବାର ରାତିରେ ଇସ୍ରାଏଲ୍ ବିମାନ ଆକ୍ରମଣ ଆରମ୍ଭ କରିଛି।
/sambad/media/post_attachments/wp-content/uploads/2023/02/rt1.jpg)
ପ୍ରତ୍ୟକ୍ଷଦର୍ଶୀ ଓ ସରକାରୀ ଅଧିକାରୀମାନେ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ କହିଛନ୍ତି, ଇରାନୀୟ ସାଂସ୍କୃତିକ କେନ୍ଦ୍ର ନିକଟବର୍ତ୍ତୀ କଡ଼ା ନିରାପତ୍ତା ବଳୟରେ ଥିବା ଉକ୍ତ ଅଟ୍ଟାଳିକା ଉପରକୁ ରକେଟ୍ ନିକ୍ଷେପ କରାଯାଇଥିଲା। ଡାମାସ୍କସ୍ ଅଞ୍ଚଳ ପାଖାପାଖି ସ୍ଥାନଗୁଡ଼ିକ ଉପରେ ଇସ୍ରାଏଲ୍ ସବୁବେଳେ ବିମାନ ଆକ୍ରମଣ କରୁଥିଲେ ବି, ସେ ଅଞ୍ଚଳରେ ଥିବା ଆବାସିକ ଅଞ୍ଚଳରେ କ୍ଷେପଣାସ୍ତ୍ର ପ୍ରାୟ ପଡ଼େନାହିଁ।
‘ଦି ସିରିୟାନ୍ ଅବ୍ଜର୍ଭେଟରି ଫର୍ ହ୍ୟୁମାନ୍ ରାଇଟ୍ସ୍’ କହିଛି ଯେ, ଇରାନୀୟ ସାଂସ୍କୃତିକ କେନ୍ଦ୍ର ନିକଟରେ ପଡ଼ିଥିବା ଉକ୍ତ କ୍ଷେପଣାସ୍ତ୍ର ବିସ୍ଫୋରଣ ଯୋଗୁଁ ସାଧାରଣ ନାଗରିକଙ୍କ ସେମେତ ୧୫ଜଣ ଲୋକଙ୍କର ମୃତ୍ୟୁ ଘଟିଛି।
ସିରୀୟ ରାଜଧାନୀ ଅନ୍ତର୍ଗତ କାଫର୍ ସୌସା ନାମକ କଡ଼ା ସୁରକ୍ଷା ବଳୟରେ ଥିବା ସେ ଅଞ୍ଚଳରେ ପଦସ୍ତ ନିରାପତ୍ତା କର୍ମଚାରୀ, ନିରାପତ୍ତା ଶାଖା ଏବଂ ଗୁଇନ୍ଦା ମୁଖ୍ୟାଳୟ ସବୁ ଅବସ୍ଥିତ। ଏହି ଆକ୍ରମଣ ଯୋଗୁଁ ଅନେକ କୋଠାବାଡ଼ି କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ସମୟ ରାତି ୧୨.୦୩ରେ ପ୍ରଚଣ୍ଡ ବିସ୍ଫୋରଣ ଶୁଣିଥିବା କଥା ସ୍ଥାନୀୟ ଲୋକେ ଗଣମାଧମକୁ କହିଛନ୍ତି।