ଗାଜା ରକେଟ୍‌ ଆକ୍ରମଣରେ ନିହତ ଭାରତୀୟ ଗୃହ-ସହାୟିକାଙ୍କ ପରିବାର ସହ କଥା ହେଲେ ଇସ୍ରାଏଲ୍‌ର ରାଷ୍ଟ୍ରପତି

ଜେରୁଜେଲମ୍‌: ମେ ୧୧ ତାରିଖ ଦିନ ଗାଜାସ୍ଥିତ ପାଲେଷ୍ଟାଇନୀୟ ଆତଙ୍କବାଦୀଙ୍କ ରକେଟ୍‌ ‌ମାଡ଼ରେ ନିହତ ହୋଇଥିବା ଭାରତୀୟ ଗୃହ-ସହାୟିକାଙ୍କ ପରିବାରର ଲୋକମାନଙ୍କ ସହ ବୁଧବାର ଦିନ ଇସ୍ରାଏଲ୍‌ର ରାଷ୍ଟ୍ରପତି ରିୟୁଭେନ୍‌ ରିଭ୍‌ଲିନ୍‌ କଥାବାର୍ତ୍ତା କରିବା ସହ ସମବେଦନା ଜଣାଇଛନ୍ତି।

ଦକ୍ଷିଣ ଇସ୍ରାଏଲୀୟ ସହର ଆସ୍‌ଖେଲୋନ୍‌ରେ ଜଣେ ବୃଦ୍ଧାଙ୍କ ତତ୍ତ୍ବାବଧାରିକା ଭାବେ କାର୍ଯ୍ୟ କରୁଥିବା ସୌମ୍ୟା ସନ୍ତୋଷୀ ନାମ୍ନୀ ୩୦ ବର୍ଷୀୟ ମହିଳାଜଣକ ହେଉଛନ୍ତି କେରଳର ଇଡୁକ୍କି ଜିଲ୍ଲାବାସିନୀ। ମେ ୧୧ ତାରିଖ ସନ୍ଧ୍ୟାରେ ସ୍ବାମୀ ସନ୍ତୋଷଙ୍କ ସହ ସେ ଭିଡିଓ କଲ୍‌ ଜରିଆରେ କଥାବାର୍ତ୍ତା କରୁଥିବା ବେଳେ ଗାଜାରୁ ନିକ୍ଷେପ ହୋଇଥିବା ଗୋଟାଏ ରକେଟ୍‌ ସିଧାସଳଖ ତାଙ୍କ ଘର ଉପରେ ପଡ଼ିଥିଲା। ଫଳତଃ, ୭ ବର୍ଷ ହେବ ସେ ଘରେ ତତ୍ତ୍ବାବଧାରିକା ଭାବେ କାର୍ଯ୍ୟରତା ସୌମ୍ୟାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। କେରଳରେ ତାଙ୍କର ସ୍ବାମୀ ଓ ୯ ବର୍ଷର ପୁଅଟିଏ ଅଛନ୍ତି। କିନ୍ତୁ, ସୌମ୍ୟା ଯେଉଁ ବୃଦ୍ଧାଙ୍କର ସେବାଯତ୍ନ କରୁଥିଲେ ସେ ଜୀବିତ ଅଛନ୍ତି। ତାଙ୍କ ଘର ନିକଟରେ ରକେଟ୍‌-ସେଲ୍‌ଟର୍‌ ଥ‌ିଲେ ମଧ୍ୟ ସୌମ୍ୟା ଓ ସ‌େ ବୃଦ୍ଧା ସେଠାକୁ ଯାଇ ପାରି ନ ଥିଲେ।

ପରଦିନ ସ୍ବତନ୍ତ୍ର ବିମାନରେ ସୌମ୍ୟାଙ୍କ ଶବ କେରଳକୁ ପଠାଇ ଦିଆଯାଇଥିଲା।

Image Courtesy of Reuters

ଇସ୍ରାଏଲୀୟ ରାଷ୍ଟ୍ରପତି ତାଙ୍କ ପରିବାରବର୍ଗଙ୍କ ସହ କି କଥାବାର୍ତ୍ତା କଲେ ସେ ସଂକ୍ରାନ୍ତରେ ସବିଶେଷ ବିବରଣୀ ମିଳିନାହିଁ। କିନ୍ତୁ, କଥାବାର୍ତ୍ତା ହୋଇଥିବା କଥା ରାଷ୍ଟ୍ରପତି ରିଭ୍‌ଲିନ୍‌ଙ୍କର ଜଣେ ପରାମର୍ଶଦାତା ଗଣମାଧ୍ୟମକୁ କହିଛନ୍ତି।

ଗତ ସପ୍ତାହରେ ଭାରତସ୍ଥିତ ଇସ୍ରାଏଲୀୟ ରାଷ୍ଟ୍ରଦୂତ ଡକ୍ଟର୍‌ ରୋନ୍‌ ମଲ୍‌କା ମଧ୍ୟ ସୌମ୍ୟାଙ୍କ ପରିବାରବର୍ଗଙ୍କ ସହ କଥାବାର୍ତ୍ତା କରିଥିବା ଟୁଇଟ୍‌ କରି ସୂଚନା ଦେଇଥିଲେ। ସୌମ୍ୟାଙ୍କ ୯ ବର୍ଷିୟ ପୁଅ ଆଦୋନ ପାଇଁ ରୋନ୍‌ ଖୁବ୍‌ ବିଚଳିତ ହୋଇ ଉଠିଥିଲେ।

ଗୋଟିଏ ସପ୍ତାହରୁ ଊର୍ଦ୍ଧ୍ବ ହେବ ଚାଲିଥିବା ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ ସଂଘର୍ଷରେ ଏଯାବତ୍ ୨୩୦ଜଣଙ୍କର ପ୍ରାଣ ହରାଇଲେଣି ଓ ୧୪୦୦ରୁ ଅଧିକ ଆହତ ହେଲେଣି। ଇସ୍ରାଏଲୀୟ ସାମରିକ ବାହିନୀର ଜଣେ ମୁଖପାତ୍ରଙ୍କ କହିବା ଅନୁସାରେ, ଗାଜାରୁ ପ୍ରାୟ ୧୨୦୦୦ କ୍ଷେପଣାସ୍ତ୍ର ଓ ମୋର୍ଟାର ନିକ୍ଷେପ ହେଲାଣି। ଆହୁରି ନିକ୍ଷେପ କରିବାକୁ ମଧ୍ୟ ସେମାନଙ୍କ ପାଖରେ ‌କ୍ଷେପଣାସ୍ତ୍ର ଗଚ୍ଛିତ ଅଛି।

ପ୍ରତି ଆକ୍ରମଣରେ ୬ଟି ଡାକ୍ତରଖାନା, ୯ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସମେତ ଗାଜା ଷ୍ଟ୍ରିପ୍‌ରେ ପ୍ରାୟ ୪୫୦ କୋଠା ବିଧ୍ବସ୍ତ ବା କଦର୍ଯ୍ୟ ଭାବେ ନଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର