ଗାଜା: ଦକ୍ଷିଣ ଗାଜାର ରାଫାରେ ଥିବା ଆମେରିକା ଅନୁଦାନପ୍ରାପ୍ତ ସହାୟତା ବିତରଣ କେନ୍ଦ୍ର ନିକଟରେ ଆଜି ସକାଳେ ଇସ୍ରାଏଲ ସେନା ଗୁଳି ଚଳାଇବାରୁ ୩୧ ଜଣ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ୧୧୫ରୁ ଅଧିକ ଆହତ ହୋଇଛନ୍ତି। ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଅନେକ ମୁସ୍‌ଲିମ ରାଷ୍ଟ୍ର ଏଭଳି ଆକ୍ରମଣକୁ ମାନବତା ବିରୋଧୀ ଦର୍ଶାଇବା ସହ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।

Advertisment

ରବିବାର ସକାଳୁ ସହାୟତା କେନ୍ଦ୍ର ନିକଟରେ ହଜାର ହଜାର ପାଲେଷ୍ଟାଇନ ନାଗରିକ ଏକତ୍ରିତ ହୋଇଥିବା ବେଳେ ଦୁଇଟି ଟ୍ୟାଙ୍କ୍‌ରୁ ଗୁଳିମାଡ଼ ଆରମ୍ଭ ହୋଇଥିଲା। ଜଣେ ସ୍ଥାନୀୟ ସାମ୍ବାଦିକ କହିଛନ୍ତି ଯେ ଇସ୍ରାଏଲ ଟ୍ୟାଙ୍କରୁ ଜନତାଙ୍କ ଉପରକୁ ଗୁଳିବର୍ଷା ଭୟାବହ ସ୍ଥିତି ସୃଷ୍ଟି କରିଥିଲା। ମୃତ ଓ ଆହତଙ୍କୁ ଗଧ ଗାଡ଼ି ସାହାଯ୍ୟରେ ଘଟଣାସ୍ଥଳରୁ ପରିବହନ କରାଯାଇଥିବା ଦୃଶ୍ୟ ଏହି ଅଞ୍ଚଳର ଅତି ଦୟନୀୟ ସ୍ଥିତିକୁ ଦର୍ଶାଉଥିଲା। ସୂଚନାଯୋଗ୍ୟ, ଯୁଦ୍ଧବିଧ୍ବସ୍ତ ଗାଜାରେ ହମାସକୁ ମୂଳପୋଛ କରିବା ଲକ୍ଷ୍ୟରେ ଅଗ୍ରସର ହେଉଥିବା ଇସ୍ରାଏଲ ସେନା ସମଗ୍ର ଦକ୍ଷିଣ ଗାଜାକୁ ନିଜ କବ୍‌ଜାକୁ ନେବାପାଇଁ ପ୍ରୟାସ ଆରମ୍ଭ କରିଛି। ଏହି ଅଭଯାନରେ ହସ୍ପିଟାଲ, ସହାୟତା କେନ୍ଦ୍ର ଓ ଜାତିସଂଘ ସ୍ବେଚ୍ଛାସେବୀଙ୍କୁ ମଧ୍ୟ ଟାର୍ଗେଟ୍‌ କରାଯାଉଛି। 

ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ହମାସ କହିଛି ଯେ ରାଫାରେ କାର୍ଯ୍ୟରତ ଇସ୍ରାଏଲ ସେନା ‘ମାନବିକ ସହାୟତା’ ବଣ୍ଟନ ସ୍ଥଳରେ ଏକାଠି ହୋଇଥିବା ଭୋକିଲା ସାଧାରଣ ନାଗରିକଙ୍କୁ ହତ୍ୟା କରିଛି। ରିଲିଫ୍‌ ଆଳରେ ସାମୂହିକ ମୃତ୍ୟୁ ଜାଲ ବିଛାଇ ପାଲେଷ୍ଟାଇନ ନାଗରିକଙ୍କୁ ଅତି ବର୍ବରତାର ସହ ହତ୍ୟା କରାଯାଉଛି ବୋଲି ହମାସ ବିବୃତି ଜାରି କରିଛି। ଆମେରିକା ସମର୍ଥିତ ସଦ୍ୟତମ ଅସ୍ତ୍ରବିରତି ପ୍ରସ୍ତାବ ଉପରେ ହମାସ ନିଜର ପ୍ରତିକ୍ରିୟା ଜାରି କରିବାର କିଛି ଘଣ୍ଟା ପରେ ଏହି ଭୟାନକ ଘଟଣା ଘଟିଛି। 

ହମାସ କହିଛି ଯେ ସେମାନେ ସ୍ଥାୟୀ ଅସ୍ତ୍ରବିରତି ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି କିନ୍ତୁ ଇସ୍ରାଏଲ ନୂଆ ଚାଲ୍‌ ଚଳାଇ କେବଳ ଦମନଲୀଳା ଜାରି ରଖିଛି। ରିଲିଫ୍‌ କେନ୍ଦ୍ର ନିକଟରେ ଗଣହତ୍ୟାକୁ ନେଇ ଜାତିସଂଘ କହିଛି ଯେ ଭୋକିଲା ପାଲେଷ୍ଟାଇନ ନାଗରିକମାନଙ୍କୁ ସାହାଯ୍ୟ କରିବା ପାଇଁ ଚାଲିଥିବା ମିସନ୍‌କୁ ଏଭଳି ଅପରାଧ ଭଣ୍ଡୁର କରୁଛି। ଏଭଳି ଯୁଦ୍ଧ ଅପରାଧ ବନ୍ଦ ହେଲେ ହିଁ ଗାଜାର ଲୋକଙ୍କୁ ନ୍ୟାୟ ମିଳିପାରିବ ବୋଲି ଜାତିସଂଘ କହିଛି। ଇସ୍ରାଏଲ ସେନା ୧ ହଜାରରୁ ଅଧିକ ରିଲିଫ୍‌ ଟ୍ରକ୍‌କୁ ପ୍ରବେଶ ମଂଜୁରି ଦେଉନଥିବାରୁ ସହାୟତା ପ୍ରଦାନ ବାଧାପ୍ରାପ୍ତ ହୋଇଛି ବୋଲି ମଧ୍ୟ ଜାତିସଂଘ କହିଛି। ସୂଚନାଯୋଗ୍ୟ, ଗାଜା ବିରୋଧରେ ଇସ୍ରାଏଲର ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୫ ହଜାର ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି, ଯେଉଁଥିରେ ଅଧିକାଂଶ ମହିଳା ଏବଂ ଶିଶୁ ଅଛନ୍ତି।