ନୂଆଦିଲ୍ଲୀ: ଗାଜା ଯୁଦ୍ଧରେ ପ୍ରାଣ ହରାଇଥିବା ଜଣେ ଇସ୍ରାଏଲୀ ସୈନିକ ତାଙ୍କ ମୃତ୍ୟୁ ପରେ ୬ଜଣ ରୋଗୀଙ୍କ ବଞ୍ଚାଇଛନ୍ତି। ଇସ୍ରାଏଲର ନ୍ୟାସନାଲ ଟ୍ରାନ୍‌ସପ୍ଲାଣ୍ଟ ସେଣ୍ଟର ରବିବାର ଘୋଷଣା କରିଛି ଯେ ଇସ୍ରାଏଲ ସେନାର ଷ୍ଟାଫ୍‌ ସର୍ଜେଣ୍ଟ ୟେହୋନାତନ ୟିତ୍‌ଜାକ୍‌ ସେମୋ ଗାଜାରେ ଯୁଦ୍ଧରେ ପ୍ରାଣ ହରାଇଛନ୍ତି, କିନ୍ତୁ ତାଙ୍କ ଶରୀରର ଏକାଧିକ ଅଙ୍ଗ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ଥିବା ୬ ଜଣ ରୋଗୀଙ୍କୁ ଦାନ କରାଯାଇଛି।

Advertisment

ଅଙ୍ଗଦାତା କାର୍ଡରେ ଦସ୍ତଖତ କରିଥିବା ୨୧ ବର୍ଷୀୟ ସେମୋ ଇସ୍ରାଏଲ ସେନାର ପାରାଟ୍ରୁପର୍ସ ବ୍ରିଗେଡରେ କାର୍ଯ୍ୟ କରୁଥିଲେ। ନଭେମ୍ବର ୧୦ରେ କେନ୍ଦ୍ରୀୟ ଗାଜାରେ ହୋଇଥିବା ସଂଘର୍ଷରେ ସେ ଆହତ ହୋଇଥିଲେ ଏବଂ ତାଙ୍କୁ ପେଟାଚ୍‌ ଟିକ୍ୱାସ୍ଥିତ ବେଲିନ୍‌ସନ୍‌ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାରେ ସକ୍ଷମ ହୋଇ ନଥିଲେ।

ହେବ୍ରୋନ ନିକଟସ୍ଥ କର୍ମେଇ ଜୁରରେ ରହୁଥିବା ସେମୋଙ୍କ ପରିବାରରେ ୪ ଜଣ ସାନ ଭାଇଭଉଣୀ ଅଛନ୍ତି। ମୃତ୍ୟୁ ପରେ ତାଙ୍କର ଅଙ୍ଗଦାନ କରାଯିବ କି ନାହିଁ ସେ ନେଇ ଆଦୌ କୌଣସି ଦ୍ଵନ୍ଦ୍ୱ ନଥିଲା। କାରଣ ଜୀବିତାବସ୍ଥାରେ ସ୍ୱଇଚ୍ଛାରେ ସେ ତାଙ୍କର ଅଙ୍ଗଦାନ ପାଇଁ ବୁଝାମଣା କରିବା ସହ ସ୍ୱୀକୃତି ପ୍ରଦାନ କରିଥିଲେ। ଏବେ ମୃତ୍ୟୁ ପରେ ତାଙ୍କ ଶରୀରର ବିଭିନ୍ନ ଅଂଶ ଜୀବନ୍ତ ହୋଇ ରହିବ ଏବଂ ଅନ୍ୟମାନଙ୍କୁ ବଞ୍ଚିବାରେ ସାହାଯ୍ୟ କରିବ; ଏହାଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଆଉ କିଛି ନାହିଁ ବୋଲି ସେମୋଙ୍କ ପରିବାର କହିଛନ୍ତି।

ସେମୋଙ୍କ ଫୁସଫୁସ କିରିୟତ ଗାଟ୍‌ର ୩୬ ବର୍ଷୀୟ ମୀର ଅତ୍ସାବାଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ଦୁଇ ସନ୍ତାନର ପିତା ମୀର ଫୁସଫୁସ ରୋଗରେ ପୀଡ଼ିତ ଥିଲେ। କରୋନା ଭାଇରସ୍‌ରେ ସଂକ୍ରମିତ ହେବା ପରେ ତାଙ୍କ ଫୁସଫୁସ ନଷ୍ଟ ହୋଇଯାଇ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା। ସେମୋ ପରିବାର ସବୁଠାରୁ ଯନ୍ତ୍ରଣାଦାୟକ ମୁହୂର୍ତ୍ତରେ ସବୁଠାରୁ ମହାନ କାର୍ଯ୍ୟ କରିଥିବାରୁ ମୁଁ ତାଙ୍କ ନିକଟରେ ବହୁତ କୃତଜ୍ଞ। ଏହି ଯୁଦ୍ଧ ଏବଂ ଭୟଙ୍କର ଦିନ ମଧ୍ୟରେ ମୋତେ ନିଶ୍ୱାସ ନେବା ପାଇଁ ଆଲୋକ ଏବଂ ବାୟୁର କିରଣ ମିଳିଲା ବୋଲି କହିଛନ୍ତି ଅତ୍ସାବା।

ସେହିପରି କିରିୟତ ଗାଟ୍‌ର ୪୬ ବର୍ଷୀୟ ୟାକୋଭ ମାଲକାଙ୍କ ଶରୀରରେ ସେମୋଙ୍କ ହୃଦୟ ପ୍ରତିରୋଣ କରାଯାଇଛି। ସେ ହୃଦଘାତରେ ପୀଡ଼ିତ ହେବାପରେ ତାଙ୍କର କୃତ୍ରିମ ହୃଦୟ ଲାଗିଥିଲା। ହୃଦୟ ପ୍ରତିରୋପଣ କରିଥିବା ବେଲିନସନ ହସ୍ପିଟାଲର କାର୍ଡିଆକ୍‌ ଆଣ୍ଡ ଥୋରାସିକ୍‌ ସର୍ଜରୀ ୟୁନିଟ୍‌ର ନିର୍ଦ୍ଦେଶକ ପ୍ରଫେସର ଡାନ୍‌ ଆରାଭୋଟ କହିଛନ୍ତି, ଏହି ହୃତ୍‌ପିଣ୍ଡ, ଯାହା ଆଜି ୟାକୋଭଙ୍କ ଶରୀରରେ ସ୍ପନ୍ଦନ କରୁଛି, ତାହା ଇସ୍ରାଏଲର ହୃଦୟ।