ନୂଆଦିଲ୍ଲୀ: ଯୁଦ୍ଧ ବିରତୀ ହଟୁହଟୁ ହିଁ ଆରମ୍ଭ ହୋଇଯାଇଛି ଆକ୍ରମଣ । ଅତର୍କିତ ବୋମା ବର୍ଷାରେ ଥରିଛି ଗାଜା । ଇସ୍ରାଏଲର ଆକ୍ରମଣ ପରେ ଏବେ ଗାଜାରେ ହାହାକାର । ଚାଲିଯାଇଛି ଶତାଧିକ ଜୀବନ, ଭାଙ୍ଗିଯାଇଛି ଘର ଦ୍ବାର । ଯୁଦ୍ଧର ସ୍ଥିତି ଏତେ ଭୟଙ୍କର ଯେ ତାକୁ ବର୍ଣ୍ଣନା କରିବା ମୁକସିଲ୍ । 

Advertisment

ଯୁଦ୍ଧ ବିରାମ ପରେ ଗାଜା ଉପରେ ଅତର୍କିତ ଆକ୍ରମଣ କରିଛି ଇସ୍ରାଏଲ । ଘଟଣାରେ ୪୧୩ ଜଣଙ୍କ ପ୍ରାଣହାନୀ ହେବା ସହ ଶତାଧିକ ଲୋକ ଆହତ ହୋଇଛନ୍ତି । ସେପଟେ ଆକ୍ରମଣ ପୂର୍ବରୁ ଗାଜାକୁ ସମସ୍ତ ଅତ୍ୟାବଶକୀୟ ସାମଗ୍ରୀ ଆସିବା ଉପରେ ରୋକ ଲଗାଇଥିଲା ଇସ୍ରାଏଲ । ଯାହାଫଳରେ ଆଗକୁ କ୍ଷୁଧା ଜନିତ ଓ ସ୍ବାସ୍ଥ୍ୟ ସମସ୍ୟାରେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ଦେଖାଯାଇପାରେ । 

ଗାଜାର ବୁରେଜୀ ଅଞ୍ଚଳ ଏବେ ଇସ୍ରାଏଲର ଆକ୍ରମଣରେ ଛାରଖାର ହୋଇପଡିଛି । ଏଠାକାର ଏକ ସ୍କୁଲରେ ଆଶ୍ରୟ ନେଇଥିବା ଶରଣାର୍ଥୀଙ୍କ ଉପରେ ଆକ୍ରମଣ କରିଛି ଆଇଡିଏଫ । ଯେଉଁଠି ଆଖି ପଡୁଛି ସେଠି ଖାଲି ଶବ ଓ କ୍ଷତବିକ୍ଷତ ଶରୀର । ଯୁଦ୍ଧ ବିରାମ ସରିବା ପରେ ବଡ ଧରଣର ଆକ୍ରମଣ କରି ପୁଣି ଶକ୍ତି ପ୍ରଦର୍ଶନ କରିଛି ଇସ୍ରାଏଲ ସେନା ।

ଇସ୍ରାଏଲର ଆକ୍ରମଣରେ ରକ୍ତମୁଖା ହମାସ ଧମକ ପରେ ଧମକ ଦେଇ ଚାଲିଛି । ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦିଆଯିବ କହିଛି ହମାସ । ଇସ୍ରାଏଲର ଏହି ଭୁଲ, ପଣବନ୍ଦୀଙ୍କ ଜୀବନକୁ ବିପଦରେ ପକାଉଥିବା କହି ହମାସ ଧମକ ଦେଇଛି । ସେପଟେ ଇସ୍ରାଏଲ ମଧ୍ୟ ପଛଘୁଞ୍ଚା ଦେବାକୁ ଚାହୁଁନି । ଆଗକୁ ହମାସ ବିରୋଧରେ ବଡ ସୈନ୍ୟ ଅଭିଯାନ ଚାଲିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।

ଆକ୍ରମଣ ପୂର୍ବରୁ ଗାଜାକୁ ସମସ୍ତ ଅତ୍ୟାବଶକୀୟ ସାମଗ୍ରୀ ପହଁଚିବା ଉପରେ ରୋକ ଲଗାଇଛି ଇସ୍ରାଏଲ । ଖାଦ୍ୟଠୁ ନେଇ ଔଷଧ କିଛି ପହଁଚିପାରୁନି । ତେଣୁ ଆଗକୁ କ୍ଷୁଧା ଓ ସ୍ବାସ୍ଥ୍ୟ ଜନିତ ସମସ୍ୟାରେ ବଢ଼ିପାରେ ମୃତ୍ୟୁ ସଂଖ୍ୟା । ସେପଟେ ହମାସ ନିକଟରେ ଏବେ ବି ୨୪ଜଣ ବନ୍ଧକ ରହିଛନ୍ତି ଓ ଏମାନଙ୍କୁ ଛାଡିବା ପାଇଁ କିଛି ବଡ ସର୍ତ୍ତ ରଖିପାରେ । ସେପଟେ ଗାଜା ସହ ଲେବାନନ ଓ ଉତର ସିରିଆରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଥିବାରୁ ଆଗକୁ ସ୍ଥିତି ଅଧିକ ଭୟଙ୍କର ହେବା ଆଶଙ୍କା ରହିଛି ।