ଜେରୁଜେଲମ୍: ଗତ ନଅ ମାସ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଯୁଦ୍ଧ ଚାଲିଛି। ହମାସକୁ ହଟାଇବା ପାଇଁ ଇସ୍ରାଏଲ ଦୃଢ଼ ପ୍ରତିଜ୍ଞା କରିଛି। ତେବେ ଏହି ପ୍ରତିଜ୍ଞା ଗାଜା ଅଞ୍ଚଳର ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଗାଜାରେ ଇସ୍ରାଏଲର ସେନାର କାର୍ଯ୍ୟ ଜାରି ରହିଛି। ଏହି ସମୟ ମଧ୍ୟରେ ଖବର ଆସିଛି ଯେ ଇସ୍ରାଏଲ ପୁଣି ଥରେ ଗାଜା ଷ୍ଟ୍ରିପ୍ ଉପରେ ଏକ ବଡ଼ ଏୟାର ଷ୍ଟ୍ରାଇକ୍ କରିଛି ।

Advertisment

ଏହି ଆକ୍ରମଣରେ ହମାସ ଟ୍ରୁପ୍ ମୁଖ୍ୟ ମହମ୍ମଦ ଦଇଫଙ୍କ ସମେତ ୭୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦେଇଛି।

ଅନ୍ୟପକ୍ଷରେ, ଗାଜା ଷ୍ଟ୍ରିପ୍‌ର ଖାନ ୟୁନିସରେ ଇସ୍ରାଏଲ ଆତଙ୍କ ସୃଷ୍ଟି କରିଛି। ଗାଜା ଷ୍ଟ୍ରିପର ଖାନ ୟୁନିସ ଅଞ୍ଚଳରେ ଇସ୍ରାଏଲ ଏହି ଆକ୍ରମଣ କରିଛି। ଇସ୍ରାଏଲର ଅଧିକାରୀମାନେ କହିଛନ୍ତି ସେମାନେ ଦଇଫଙ୍କ ଶିବିରକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରିଛନ୍ତି। ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଭାବରେ ମହମ୍ମଦ ଦଇଫଙ୍କୁ ବିବେଚନା କରାଯାଏ।

ଅକ୍ଟୋବର ୭ରେ ହମାସ ଇସ୍ରାଏଲରେ ଆତଙ୍କ ସୃଷ୍ଟି କରିଥିଲା। ୧,୨୦୦ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହି କାରଣରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା।

ଇସ୍ରାଏଲ୍ ଗତ ବର୍ଷ ଠାରୁ ଦଇଫ୍‌ଙ୍କୁ ଟାର୍ଗେଟ ତାଲିକାରେ ରଖିଥିଲା ​। ଦଇଫଙ୍କ ନେତୃତ୍ୱରେ ହମାସ ଅନେକ ଥର ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲ ଆକ୍ରମଣରେ ୨୮୯ ଜଣ ଆହତ ହୋଇଛନ୍ତି। ପ୍ରକାଶ ଯେ, ଅନେକ ଆହତ ଓ ମୃତ ବ୍ୟକ୍ତିଙ୍କୁ ଖାନ ୟୁନିସ ଅଞ୍ଚଳର ନାସିର ହସ୍ପିଟାଲକୁ ନିଆଯାଇଛି।

ତେବେ ଇସ୍ରାଏଲ୍ ମିଲିଟାରୀ ଫୋର୍ସ (ଆଡିଏଫ) ମୁୱାସି ଉପରେ ଏହି ଆକ୍ରମଣ କରିଛି କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ମୁୱାସି ଇସ୍ରାଏଲ୍ ଅଧୀନରେ ଏବଂ ଉତ୍ତର ରାଫା ଠାରୁ ଖାନ୍ ୟୁନିସ୍ ପର୍ଯ୍ୟନ୍ତ ବିସ୍ତୃତ। ହଜାର ହଜାର ପାଲେଷ୍ଟାଇନ ଶରଣାର୍ଥୀ ଖାନ ୟୁନିସର କ୍ୟାମ୍ପରେ ରହୁଛନ୍ତି।