ଜେରୁଜେଲମ: ହମାସ ମୁଖ୍ୟ ୟାହିୟା ସିନୱାରଙ୍କ ମୃତ୍ୟୁ ପରେ ଇସ୍ରାଏଲ ସେନା ଦ୍ୱାରା ଗାଜା ଉପରେ ଆକ୍ରମଣ ବୃଦ୍ଧି ପାଉଛି। ଇସ୍ରାଏଲ ଆକ୍ରମଣରେ ତିନି ଶିଶୁଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶନିବାର ଦିନ ହୋଇଥିବା ଆକ୍ରମଣରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୨ଜଣଙ୍କର ମୃତ୍ୟୁ ହୋଇଛି। ୩୦୦ରୁ ଅଧିକ ଲୋକ ଆହତ ହୋଇଥିବା ଖବର ମିଳିଛି। ଆକ୍ରମଣ ସମୟରେ ବହୁ ଲୋକେ ବିଲ୍ଡିଂର ଆବର୍ଜନା ତଳେ ଜୀବନ୍ତ ପୋତି ହୋଇ ରହିଥିବାର ଆଶଙ୍କା ରହିଛି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରା ନ ଗଲେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି କୁହାଯାଉଛି।
ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲର ଜବାଲିଆ ଶରଣାର୍ଥୀ ଶିବିର ଉପରେ ହୋଇଥିବା ଆକ୍ରମଣରେ ଶହ ଶହ ଲୋକ ଆହତ ହୋଇଛନ୍ତି। ଅନେକ ଲୋକ ଆବର୍ଜନା ତଳେ ପୋତି ହୋଇଯାଇଛନ୍ତି। ଏଭଳି ପରିସ୍ଥିତିରେ ପାଲେଷ୍ଟାଇନ ମୃତକଙ୍କ ସଂଖ୍ୟା ୪୦ ହଜାର ଟପି ପ୍ରାୟ ୪୨ ହଜାରରେ ପହଞ୍ଚିବାର ଆଶଙ୍କା ରହିଛି।
ଇସ୍ରାଏଲ୍ ସୈନ୍ୟବାହିନୀ ଜବାଲିଆ ଶିବିରରେ ବୋମା ମାଡ଼ କରିଥିଲେ। ଇସ୍ରାଏଲ ସୀମାରେ ହମାସ ଆକ୍ରମଣ ପରେ ଗାଜା ଷ୍ଟ୍ରିପରେ ଏକ ବଡ଼ ଧରଣର ସାମରିକ ଅପରେସନ ଆରମ୍ଭ ହୋଇଥିଲା।
ହମାସ ପରିଚାଳିତ ଗାଜା ସରକାରଙ୍କ ମିଡିଆ କାର୍ଯ୍ୟାଳୟ କହିଛି ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବହୁ ଲୋକ ଭଙ୍ଗାକୋଠା ତଳେ ପୋତି ହୋଇ ଯାଇଛନ୍ତି। ଏଥିରେ ବହୁ ସଂଖ୍ୟକ ଶିଶୁ ଏବଂ ମହିଳା ମଧ୍ୟ ଅଛନ୍ତି। ତେବେ ଇସ୍ରାଏଲ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହିଁ।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଇସ୍ରାଏଲ ସେନା ପ୍ରତିଦିନ ଦଶହଜାର ଘରକୁ ଟାର୍ଗେଟ କରି ନଷ୍ଟ କରୁଛି। ଏହା ବ୍ୟତୀତ ବିସ୍ଫୋରକ ସାମଗ୍ରୀ ବିଲ୍ଡିଂରେ ରଖାଯାଉଛି ଏବଂ ସେଗୁଡିକୁ ଉଡ଼ାଇ ଦିଆଯାଉଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଯୋଗାଯୋଗ ଏବଂ ଇଣ୍ଟରନେଟ୍ ସେବା ବନ୍ଦ ହୋଇଯାଇଛି ଯେଉଁଥିପାଇଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଉପୁଜୁଛି।
ସୂଚନାଯୋଗ୍ୟ,ଗତ ଗୁରୁବାର ଦିନ ଇସ୍ରାଏଲ ହମାସର ନେତା ୟାହିୟା ସିନୱାରଙ୍କୁ ହତ୍ୟା କରିଥିଲା। ଏହା ହମାସ ଦ୍ବାରା ଶୁକ୍ରବାର ଅର୍ଥାତ୍ ୧୮ ଅକ୍ଟୋବରରେ ନିଶ୍ଚିତ କରାଯାଇଥିଲା। ଏହା ବ୍ୟତୀତ ସେଠାରେ ଥିବା ଉଗ୍ରବାଦୀ ସଂଗଠନ ଏହାର ପୁରୁଣା ଆଭିମୁଖ୍ୟ ଗ୍ରହଣ କରି କହିଛି ଯେ ଗାଜାରେ ଅସ୍ତ୍ରବିରତି ନ ହେବା ପର୍ଯ୍ୟନ୍ତ ଏବଂ ଇସ୍ରାଏଲ୍ ସୈନ୍ୟ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ବନ୍ଧକ ରଖାଯାଇଥିବା ଲୋକଙ୍କୁ ମୁକ୍ତ କରାଯିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)