ନୂଆଦିଲ୍ଲୀ: ଇସ୍ରାଏଲ ଆଜି ଗାଜା ଉପରେ ଭୟଙ୍କର ଆକ୍ରମଣ କରିଛି। ଏହି ଆକ୍ରମଣ‌ରେ ୪୧୩ ଜଣଙ୍କର ମୃତ୍ୟୁ ହୋଇଛି। ଜାନୁଆରି ୧୯ ତାରିଖରେ  ଯୁଦ୍ଧବିରତି ହେବା ପରଠାରୁ  ଏହା ଇସ୍ରାଏଲ ଦ୍ବାରା ଗାଜା ଉପରେ ପ୍ରଥମ ଆକ୍ରମଣ। ଏସଂକ୍ରାନ୍ତରେ ସ୍ପଷ୍ଟ କରି ଗାଜା କହିଛି ଯେ ରମଜାନ ମାସରେ ଇସ୍ରାଏଲ କରିଥିବା ଆକ୍ରମଣରେ ଶିଶୁ, ମହିଳା ଏବଂ ବୟସ୍କଙ୍କ ସମେତ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଆକ୍ରମଣରେ ୧୫୦ ଜଣ ଆହତ ହୋଇଛନ୍ତି। କେନ୍ଦ୍ରୀୟ ଏବଂ ଦକ୍ଷିଣ ଗାଜା ଷ୍ଟ୍ରିପ୍‌ରେ ଗାଜା, ଗାଜା ସିଟି ଏବଂ ଦେର ଅଲ୍‌ ବଲା, ଖାନ୍‌ ୟୁନିସ ସମେତ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣ ଶୁଣିବାକୁ ମିଳିଛି। ହମାସ ପୁଲିସ ମୁଖ୍ୟ ମହମୁଦ ଅବୁ ୱାତଫାର ଏହି ଆକ୍ରମଣରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ଏକ୍ସରେ ଏକ ପୋଷ୍ଟ୍‌ କରି କହିଛି ଯେ ଏହା ଗାଜା ଷ୍ଟ୍ରିପ୍‌ରେ ହମାସ ଆତଙ୍କବାଦୀ ଗୋଷ୍ଠୀକୁ ଟାର୍ଗେଟ୍‌ କରି ଭୟଙ୍କର ଆକ୍ରମଣ କରିଛି। ଇସ୍ରାଏଲ ମଧ୍ୟ ଗାଜା‌ ଏବଂ ଏହାର ନିକଟସ୍ଥ ଅଞ୍ଚଳରେ ସମସ୍ତ ସ୍କୁଲ୍‌ ଛୁଟି‌ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଅଫିସ୍‌ ପକ୍ଷରୁ କୁହାଯାଇଛି ଯେ ହମାସ ଆମ ପଣବନ୍ଦୀଙ୍କୁ ଛାଡ଼ିବା ପାଇଁ ଲଗାତାର ଭାବେ ମନା କରିବାପରେ ଏବଂ ଆମେରିକା ରାଷ୍ଟ୍ରପତିଙ୍କ ପ୍ରତିନିଧି ଷ୍ଟିଭ୍ ୱିଟକଫ୍‌ ଓ ଅନ୍ୟ ମଧ୍ୟସ୍ଥିଙ୍କ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବା ପରେ ଏହି ଆକ୍ରମଣ କରାଯାଇଛି।  ହମାସ ବିରୋଧରେ ଇସ୍ରାଏଲ ଆଗକୁ ଅଧିକ ସାମରିକ ସାମର୍ଥ୍ୟ ସହ ଲଢ଼େଇ କରିବ ବୋଲି ଆଇଡିଏଫ୍‌ କହିଛି।  

Advertisment

ଇତି ମଧ୍ୟରେ ହମାସ କହିଛି ଯେ ନେତାନ୍ୟାହୁ ପୁଣିଥରେ ଯୁଦ୍ଧ ଆରମ୍ଭ କରି ପଣବନ୍ଦୀମାନଙ୍କୁ ବଳି ପକାଇବାକୁ ନିଷ୍ପତ୍ତି ନେଇଛନ୍ତି।  ତେବେ ଇସ୍ରାଏଲର ଏହି ଆକ୍ରମଣ ସଂକ୍ରାନ୍ତ‌ରେ ଜଣେ ହ୍ବାଇଟ୍‌ ହାଉସ ମୁଖପାତ୍ର କହିଛନ୍ତି, ୩ ପର୍ଯ୍ୟାୟ ଯୁଦ୍ଧବିରତି ଚୁକ୍ତିର ପ୍ରଥମ ପର୍ଯ୍ୟାୟକୁ ଇସ୍ରାଏଲ ବଢ଼ାଇବାକୁ ଚାହୁଥିଲା। କିନ୍ତୁ ହମାସ ଏଥିରେ ରାଜି ନଥିଲା। ହମାସ କହିଲା ଯେ ମାର୍ଚ୍ଚ ୨ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଯୁଦ୍ଧବିରତି ଚୁକ୍ତି ଅଧୀନରେ ଏହା ପଣବନ୍ଦୀଙ୍କୁ ଛାଡ଼ିବ। କିନ୍ତୁ ଇସ୍ରାଏଲ ପ୍ରଥମ ପର୍ଯ୍ୟାୟ ଯୁଦ୍ଧବିରତିକୁ ଏପ୍ରିଲ ମଧ୍ୟଭାଗ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଚାହିଥିଲା।

ଆକ୍ରମଣ ପୂର୍ବରୁ ଆମେରିକାକୁ ଅବଗତ କରିଥିଲା ଇସ୍ରାଏଲ

ନୂଆଦିଲ୍ଲୀ: ଇସ୍ରାଏଲ ଆଜି ଗାଜା ଉପରେ ଆକ୍ରମଣ କରିବା ପୂର୍ବରୁ ଆମେରିକା ସହ ଯୋଗାଯୋଗ କରିଥିଲା। ହ୍ବାଇଟ୍‌ ହାଉସ୍‌ ମଧ୍ୟ ଏନେଇ ସ୍ପଷ୍ଟ କରିଛି।  ଫକ୍ସ ନ୍ୟୁଜ୍‌ କାର୍ଯ୍ୟକ୍ରମରେ ଆଜି ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ କାରୋଲିନ ଲେଭିଟ ପ୍ରକାଶ କରିଛନ୍ତି ଯେ ଟ୍ରମ୍ପ୍‌ ପ୍ରଶାସନ ଏବଂ ହ୍ବାଇଟ୍‌ ହାଉସ୍‌କୁ ଇସ୍ରାଏଲ ଆକ୍ରମଣ କରିବା ପୂର୍ବରୁ ଯୋଗାଯୋଗ କରିଥିଲା।  ସେ କହିଥିଲେ ଯେ ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ହମାସ, ହୁତି, ଇରାନ୍‌ ଯେଉଁମ‌ାନେ କେବଳ ଇସ୍ରାଏଲ ନୁହେଁ ଏବଂ ଆମେରିକାରେ ଆତଙ୍କ ସୃଷ୍ଟି କରିବା ପାଇଁ ‌ଚାହାନ୍ତି ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ।  ଉଲ୍ଳେଖଯୋଗ୍ୟ ଯେ ମଙ୍ଗଳବାର ବଡ଼ି ଭୋର୍‌ ସମୟରେ ଇସ୍ରାଏଲ ଗାଜା ଷ୍ଟ୍ରିପ୍‌ ଉପରେ ବିମାନ ଆକ୍ରମଣ କରିଛି। ହମାସ ଆତଙ୍କବାଦୀଙ୍କ ଆଡ଼ା ସ୍ଥଳକୁ ଟାର୍ଗେଟ୍‌ କରି ଇସ୍ରାଏଲ ଏହି ଆକ୍ରମଣ କରିଥିବା କହିଛି।