ଜେରୁଜେଲମ୍: ଗାଜାର ପରିସ୍ଥିତି ବହୁତ ଖରାପ। ଲୋକମାନେ ଅନାହାରରେ ଅଛନ୍ତି। ଅନେକ ଦେଶ ଯୁଦ୍ଧ ବନ୍ଦ କରିବା ପାଇଁ ଇସ୍ରାଏଲ ଉପରେ ଚାପ ପକାଉଛନ୍ତି। ଅନ୍ୟପକ୍ଷରେ, ଯୁଦ୍ଧବିରତି ସମ୍ପର୍କରେ ହମାସ ସହିତ ମଧ୍ୟ ଆଲୋଚନା ଚାଲିଛି। ସମ୍ପ୍ରତି ଯେତେବେଳେ ଫ୍ରାନ୍ସ ଏବଂ କାନାଡ଼ା ଭଳି ଦେଶ ପାଲେଷ୍ଟାଇନକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ମାନ୍ୟତା ଦେବା ବିଷୟରେ କଥା ହୋଇଛନ୍ତି, ସେତେବେଳେ ବିଶେଷଜ୍ଞମାନେ କହୁଥିଲେ ଯେ, ଏହା ହୁଏତ ଇସ୍ରାଏଲ ଉପରେ କିଛି ଚାପ ପକାଇବ। କିନ୍ତୁ ଏବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏକ ନିର୍ଦ୍ଦେଶ ଏହି ସମସ୍ତ ଆଶାକୁ ଧୂଳିସାତ କରିଦେଇଛି।
ପ୍ରକୃତରେ, ନେତାନ୍ୟାହୁ ଇଜିପ୍ଟ ସୀମା ପର୍ଯ୍ୟନ୍ତ ଗାଜା ଷ୍ଟ୍ରିପର ସମ୍ପୂର୍ଣ୍ଣ ସାମରିକ ଦଖଲକୁ ଅନୁମୋଦନ କରିଛନ୍ତି। ଏହା କେବଳ ଗାଜା ଷ୍ଟ୍ରିପ ବିଷୟରେ ନୁହେଁ। ରିପୋର୍ଟ ଅନୁଯାୟୀ, ଗତ ଗୋଟିଏ ବର୍ଷ ମଧ୍ୟରେ ଇସ୍ରାଏଲ ଆଉ ଦୁଇଟି ଦେଶର କିଛି କିଲୋମିଟର ଅଞ୍ଚଳ ଦଖଲ କରିଛି। ଇସ୍ରାଏଲର ଏହି କାର୍ଯ୍ୟ ବିଷୟରେ ଅନ୍ତର୍ଜାତୀୟ ମଞ୍ଚରେ ଚିନ୍ତା ପ୍ରକାଶ ପାଉଛି।
ଅଲ ଜଜିରାର ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଡିସେମ୍ବର ୨୦୨୪ ଠାରୁ ସିରିଆର ଦକ୍ଷିଣ ଭାଗରେ ପ୍ରାୟ ୪୦୦ କିଲୋମିଟର ଅଞ୍ଚଳକୁ ଏକ ବଫର ଜୋନ୍ ଭାବରେ ଘୋଷଣା କରିଛି। ଏହା ହେଉଛି ସେହି ଅଞ୍ଚଳ ଯାହା ଇସ୍ରାଏଲକୁ ଲାଗି ରହିଛି। ସିରିଆ ସରକାର ଏହି ଅଞ୍ଚଳକୁ ପୁଣି ଥରେ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ଇସ୍ରାଏଲୀ ସେନା ଏଠାରେ ସମ୍ପୂର୍ଣ୍ଣ ଭାବରେ ମୁତୟନ ଏବଂ ପାଟ୍ରୋଲିଂ କରୁଛନ୍ତି। ଇସ୍ରାଏଲ ଏହି ପଦକ୍ଷେପକୁ ଏହାର ସୁରକ୍ଷା ନୀତିର ଏକ ଅଂଶ ଭାବରେ ବର୍ଣ୍ଣନା କରିଛି। କିନ୍ତୁ ସମାଲୋଚକମାନେ କହିଛନ୍ତି ଯେ, ଏହା ଆଞ୍ଚଳିକ ସାର୍ବଭୌମତ୍ୱର ସିଧାସଳଖ ଉଲ୍ଲଂଘନ।
ସେହିପରି ଲେବାନନ ସୀମା ଭିତରେ ୫ କିଲୋମିଟର ପର୍ଯ୍ୟନ୍ତ ଅନୁପ୍ରବେଶ କରିଛି। ହେଜବୁଲ୍ଲା ବିରୋଧରେ ଅଭିଯାନର ଅଂଶ ସ୍ୱରୂପ, ଇସ୍ରାଏଲ ଲେବାନନର ସୀମା ଭିତରେ ୫ କିଲୋମିଟର ପର୍ଯ୍ୟନ୍ତ ଏକ ଅଞ୍ଚଳକୁ ନିୟନ୍ତ୍ରଣ କରିଛି। ଇସ୍ରାଏଲୀ ସୈନ୍ୟ ଏଠାରେ ଉପସ୍ଥିତ ଅଛନ୍ତି ଏବଂ ଏହି ଅଞ୍ଚଳରେ ସାଧାରଣ ଲୋକଙ୍କ ଗତିବିଧି ମଧ୍ୟ ପ୍ରଭାବିତ ହୋଇଛି। ଇସ୍ରାଏଲ ଏହାକୁ ଏକ ପ୍ରତିରକ୍ଷାମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହୁଛି, କିନ୍ତୁ ଲେବାନନ ଏହାକୁ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ବୋଲି ଅଭିଯୋଗ କରିଛି।
ଅଧିକ ପଢ଼ନ୍ତୁ:ଉତ୍ତରକାଶୀରେ ବାଦଲଫଟା ବର୍ଷା: ବନ୍ୟା ଜଳରେ ଭାସିଗଲା ଘର, ଦେଖନ୍ତୁ ଭିଡିଓ
ଇସ୍ରାଏଲ ପାଲେଷ୍ଟାଇନର ୧୨ କିଲୋମିଟର ମଧ୍ୟ ଦଖଲ କରିଛି। ଏଥିରେ ୱେଷ୍ଟ ବ୍ୟାଙ୍କର ଅନେକ ଗ୍ରାମ ଏବଂ ଅଞ୍ଚଳ ଅନ୍ତର୍ଭୁକ୍ତ ରହିଛି। ଏହି ସମ୍ପୂର୍ଣ୍ଣ ବିସ୍ତାର ସମୟରେ, ଇସ୍ରାଏଲ ପାଲେଷ୍ଟାଇନୀ ଜନସଂଖ୍ୟାକୁ କମାଇ ଦେଇଛି। ଅପରପକ୍ଷରେ ଏହି ଅଞ୍ଚଳରେ ନୂତନ ଇହୂଦୀ ବସତି ନିର୍ମାଣର ଗତି ମଧ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ ଇସ୍ରାଏଲର ନଜର ଗାଜା ଉପରେ ରହିଛି। ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସାମରିକ ଚାପ ପ୍ରାୟ ୪୧ କିଲୋମିଟର ଲମ୍ବା ଗାଜା ଷ୍ଟ୍ରିପ୍ ଉପରେ ରହିଛି।
ସୂଚନାଯୋଗ୍ୟ,ଅକ୍ଟୋବର ୨୦୨୩ରେ ଆରମ୍ଭ ହୋଇଥିବା ଗାଜା ଯୁଦ୍ଧ ପୂର୍ବରୁ, ଇସ୍ରାଏଲର କ୍ଷେତ୍ରଫଳ ପ୍ରାୟ ୨୨,୦୦୦ ବର୍ଗ କିଲୋମିଟର ଥିଲା। କିନ୍ତୁ ଯଦି ଆମେ ସାମ୍ପ୍ରତିକ ସାମରିକ ଅଭିଯାନ ଏବଂ ପ୍ରକୃତ ନିୟନ୍ତ୍ରଣାଧୀନ ଅଞ୍ଚଳଗୁଡ଼ିକୁ ଯୋଡିବା, ତେବେ ଇସ୍ରାଏଲ ଅତି କମରେ ୪୨୦ କିଲୋମିଟର ନୂତନ ଅଞ୍ଚଳକୁ ନିଜର ଦଖଲକୁ ନେଇଛି। ଯଦିଓ ଏହି ଦଖଲ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ନୁହେଁ, କିନ୍ତୁ ବାସ୍ତବତା ହେଉଛି ଯେ, ଇସ୍ରାଏଲୀ ସେନା ଏହି ଅଞ୍ଚଳଗୁଡ଼ିକରେ ଏକ ଦୃଢ଼ ଉପସ୍ଥିତି ବଜାୟ ରଖିଛନ୍ତି।
ଅଧିକ ପଢ଼ନ୍ତୁ:ପାକିସ୍ତାନ ସେନା ସହିତ ସମ୍ପର୍କ ଭାଙ୍ଗିଲା ଭାରତ; ୟୁଏନ ଟ୍ରୁପ୍ କଣ୍ଟ୍ରିବ୍ୟୁଟର ଚିଫ୍ କନକ୍ଲେଭକୁ କଲାନାହିଁ ନିମନ୍ତ୍ରଣ
israel | Gaza | syria | lebanon | Benjamin Netanyahu
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/05/israels-map-in-the-middle-east-changed-netanyahu-seized-420-kilometers-of-land-in-3-countries-in-a-year-2025-08-05-15-54-06.jpg)